ନୀଳଗିରି: ଶୁକ୍ରବାର ଅନାସ୍ଥା ଭୋଟିଂରେ ନୀଳଗିରି ଏନ୍‌ଏସି ଅଧ୍ୟକ୍ଷା ଅମ୍ବିକା ଦାସ ପରାସ୍ତ ହୋଇଛନ୍ତି। ଏନ୍‌ଏସିର ମୋଟ୍‌ ୧୩ ଜଣ କାଉନ୍‌ସିଲରଙ୍କ ମଧ୍ୟରୁ ୧୧ ଜଣ ଭୋଟିଂରେ ଅଂଶଗ୍ରହଣ କରିଥିଲେ। ୭ ଓ ୧୩ ନମ୍ବର ୱାର୍ଡ କାଉନ୍‌ସିଲର ଭୋଟିଂ ପ୍ରକ୍ରିୟାରେ ସାମିଲ ହୋଇ ନଥିଲେ। ୧୧ଟି ଭୋଟ୍‌ରୁ ୧୦ଟି ଭୋଟ୍‌ ଅମ୍ବିକାଙ୍କ ବିପକ୍ଷରେ ଯାଇଥିବା ବେଳେ ମାତ୍ର ଗୋଟିଏ ଭୋଟ୍‌ ସପକ୍ଷରେ ଯାଇଥିବା ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ସୂଚନା ଦେଇଛନ୍ତି।

Advertisment

ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ, ଆଜି ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ଯାଏ ନୀଳଗିରି ଏନ୍‌ଏସି ସଭାଗୃହରେ ପ୍ରଥମେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ୧୨ଟା ୧୦ରେ ମତଦାନ ଏବଂ ୧୨ଟା ୩୦ରେ ଫଳାଫଳ ପ୍ରକାଶ ପାଇଥିଲା। ଭୋଟିଂ ସମୟରେ ନୀଳଗିରି ଉପଜିଲ୍ଲାପାଳଙ୍କ ସହ ତହସିଲଦାର ଦୀପ୍ତିମୟୀ ବେହେରା ଓ ଏନ୍‌ଏସି ନିର୍ବାହୀ ଅଧିକାରୀ ପ୍ରସନ୍ନ ଦାସ ଉପସ୍ଥିତ ଥିଲେ। ଯାହା ଚର୍ଚ୍ଚା ହେଉଛି; ଉପାଧ୍ୟକ୍ଷ ମହେନ୍ଦ୍ରନାଥ ବେହେରା ଆଗାମୀ ଦିନରେ ଏନ୍‌ଏସି ଅଧ୍ୟକ୍ଷ ହୋଇ ପାରନ୍ତି। ତେବେ ଏନେଇ ପରାଜିତ ଅଧ୍ୟକ୍ଷା ଶ୍ରୀମତୀ ଦାସଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ମୋ ପ୍ରତି ଅନ୍ୟାୟ ହୋଇଛି। ମୁଁ ନ୍ୟାୟ ପାଇଁ ଖୁବ୍‌ଶୀଘ୍ର ଉଚ୍ଚନ୍ୟାୟାଳୟର ଦ୍ବାରସ୍ଥ ହେବି। ଅନ୍ୟପଟେ ଭୋଟିଂ ଫଳାଫଳ ଆସିବା ପରେ ଏନ୍‌ଏସି ସଭାଗୃହରେ କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ସମର୍ଥିତ କାଉନ୍‌ସିଲରଙ୍କୁ ଫୁଲମାଳ ପିନ୍ଧାଇ ସ୍ବାଗତ କରିଥିଲେ। ସେହିପରି କିଛି ବିଜେପି କର୍ମୀ ବାଣ ଫୁଟାଇ ବିଜୟ ଉତ୍ସବ ପାଳିଥିଲେ।

ଉଲ୍ଲେଖଥାଉକି; ନୀଳଗିରି ବିଜ୍ଞାପିତ ପରିଷଦରେ ମୋଟ୍‌ ୧୩ଟି ୱାର୍ଡ ମଧ୍ୟରୁ ୯ଟିରେ ବିଜେଡି, ୨ଟିରେ ବିଜେପି, ଗୋଟିଏରେ ସ୍ବାଧୀନ ଓ ଗୋଟିଏରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ। ତେବେ ସାଧାରଣ ନିର୍ବାଚନ ପୂର୍ବରୁ ବିଧାୟକ ସନ୍ତୋଷ ଖଟୁଆଙ୍କ ସହ ୬ ଜଣ କାଉନ୍‌ସିଲର ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ପରେ ସ୍ଥିତି ବିଗିଡ଼ି ଯାଇଥିଲା। ନୀଳଗିରି ଏନ୍‌ଏସି ଅଧ୍ୟକ୍ଷା ଅମ୍ବିକା ଦାସଙ୍କୁ ପଦରୁ ହଟାଇବା ପାଇଁ ଗତ ଜୁଲାଇ ୩୦ ତାରିଖରେ ବିରୋଧୀ କାଉନ୍‌ସିଲରମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏ ନେଇ ଭୋଟିଂ କରିବାକୁ ଗତ ଅଗଷ୍ଟ ୫ ତାରିଖରେ ୧୧ ଜଣ କାଉନ୍‌ସିଲର ବାଲେଶ୍ୱର ଜିଲ୍ଲାପାଳଙ୍କଠାରେ ଆବେଦନ କରିଥିଲେ।