ସୁନ୍ଦରଗଡ଼: ଖଣି ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ସଡ଼କ ଦୁର୍ଘଟଣା ସ୍ଥିତି ଉଦ୍ବେଗଜନକ। କେବଳ ହେମଗିର କୋଇଲା ଖଣି ଅଞ୍ଚଳରେ କୋଇଲା ପରିବହନରେ ନିୟୋଜିତ ଭାରୀଯାନ ୭ ଦିନରେ ୭ ଜଣଙ୍କ ଜୀବନ ନେଲାଣି। ଏହା ହିଁ ବଖାଣୁଛି ଜିଲ୍ଲାର ସଡ଼କ ଜନଜୀବନ ପାଇଁ କେତେ ସୁରକ୍ଷିତ। ଜିଲ୍ଲାରେ ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ଛାତିଥରା ତଥ୍ୟ ସାମ୍ନାକୁ ଆସିଛି। ଜିଲ୍ଲାରେ ଚଳିତ ବର୍ଷ ୬ ମାସ ମଧ୍ୟରେ ୪୫୯ଟି ସଡ଼କ ଦୁର୍ଘଟଣା ଘଟିଥିବାବେଳେ ୨୫୪ ଜଣଙ୍କ ଜୀବନ ଯାଇଛି। କେବଳ ସୁନ୍ଦରଗଡ଼ ଉପଖଣ୍ଡରେ ୨୦୨୪ ଜାନୁଆରିରୁ ଅକ୍ଟୋବର ମଧ୍ୟରେ ୨୫୯ ଦୁର୍ଘଟଣା ଘଟିଛି। ଯେଉଁଥିରେ ୧୫୮ ଜଣଙ୍କ ମୃତ୍ୟୁ ଓ ୧୧୭ ଜଣ ଗୁରୁତର ହୋଇଛନ୍ତି। ସାମାନ୍ୟ ଆହତ ସଂଖ୍ୟା ୯୪। ହାରାହାରି ମାସକରେ ରାସ୍ତାରେ ଗଡ଼ୁଛି ୪୨ ମୁଣ୍ଡ। ଅଧିକାଂଶ ଭାରୀଯାନ ଅନଭିଜ୍ଞ ଚାଳକଙ୍କ ହାତରେ ରହିଥିବା ଓ ବେପରୱା ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ବଢ଼ୁଥିବା ଅଭିଯୋଗ ହୋଇଛି। ଏହାଛଡ଼ା ରାଉରକେଲାରୁ ସମ୍ବଲପୁର ଯାଇଥିବା ବିଜୁ ଏକ୍ସପ୍ରେସ ୱେ, ରାଜ୍ୟ ରାଜପଥ ତଥା ଅନ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଟ୍ରକ୍ ବେଆଇନ ପାର୍କିଂ କରୁଥିବାରୁ ସମସ୍ୟା ବଢ଼ୁଛି। ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ଭାରୀଯାନ କୋଇଲା, ଲୁହାପଥର ସହ ପଣ୍ୟଦ୍ରବ୍ୟ ପରିବହନରେ ନିୟୋଜିତ ଥିବାବେଳେ ସୁରକ୍ଷିତ ପାର୍କିଂ ପାଇଁ ଟ୍ରକ୍ ଟର୍ମିନାଲ୍ ନାହିଁ।
୬ ମାସରେ ଗଲାଣି ୨୫୪ ଜୀବନ
କୋଇଲା ଖଣି ଅଞ୍ଚଳରେ ସପ୍ତାହକରେ ୭ ମଲେ
ଦୁର୍ଘଟଣାର ସପ୍ତାହ
ନଭେମ୍ବର ୨ ତାରିଖରେ ହେମଗିର ଥାନା ଗଇକନପାଲିରେ ଟ୍ରେଲର-ମାରୁତି ଭ୍ୟାନ୍ ଦୁର୍ଘଟଣାରେ କୀର୍ତ୍ତନ ଦଳର ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ୫ ଜଣ ଗୁରୁତର ଆହତ ହୋଇ ଏବେ ବି ଚିକିତ୍ସିତ ହେଉଛନ୍ତି। ୫ ତାରିଖରେ ସୁନ୍ଦରଗଡ଼ ସହର ଶଙ୍କରା ମେଡିକାଲ କଲେଜ ନିକଟରେ ଏକ କାର୍ ଧକ୍କାରେ ସ୍କୁଟିରେ ଯାଉଥିବା ଗୁରୁକୁଳର ଜଣେ କଲେଜ ଛାତ୍ରୀ ସଂସ୍କୃତି ନାଏକ ଗୁରୁତର ଆହତ ହେଲେ। ଚିକିତ୍ସାଧୀନ ଅବସ୍ଥାରେ ୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ୭ ତାରିଖରେ ସହରର ପାରିଜାତ ପାର୍କ ନିକଟ ଛକରେ ମହିପାନିର ଯୁଗେଶ୍ବର କାଲୋ ପତ୍ନୀ ସରୋଜିନୀଙ୍କ ସହ ସୁନ୍ଦରଗଡ଼ ପବ୍ଲିକ୍ ସ୍କୁଲରେ ନର୍ସରିରେ ପଢ଼ୁଥିବା ତାଙ୍କ ୩ ବର୍ଷର ଝିଅ ଶ୍ରଦ୍ଧାଞ୍ଜଳିଙ୍କୁ ଛାଡ଼ିବାକୁ ବାଇକ୍ରେ ଆସୁଥିବାବେଳେ ଏମ୍ସିଲକୁ ଯାଉଥିବା ଟ୍ରେଲର ଚଢ଼ିଗଲା। ମା’ ଓ ଝିଅ ସାମ୍ନାରେ ଚାଲିଗଲା ବାପାଙ୍କ ଜୀବନ। ମା, ଝିଅ ଦୂରକୁ ଛିଟକି ପଡ଼ିବାରୁ ରକ୍ଷା ପାଇଗଲେ। ୧୦ ତାରିଖରେ କନିକା-ବରପାଲି ମୁଖ୍ୟ ରାସ୍ତାରେ ଦୁଇଟି ପୃଥକ୍ ଦୁର୍ଘଟଣା ଘଟିଥିଲା। କୋଇଲା ବୋଝେଇ ଟ୍ରକ ଧକ୍କାରେ ହେମଗିର ଥାନା ସୁଖାଡିହି ଗାଁର ଅଲୋକ ଧ୍ରୁଆ ଓ ଗର୍ଜନବାହାଲର ପପୁ ଅମାତଙ୍କ ଜୀବନ ଯାଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।