ବ୍ରହ୍ମପୁର : ‘ ମଦମାଫିଆଙ୍କ ଚକ୍ରବ୍ୟୂହ ଯୋଗୁ ହାରିଥିଲି। ଉପବାଚସ୍ପତି ଥିବା ସମୟରେ ନିଜ ପଦରୁ ୩ଥର ଇସ୍ତଫା ଦେବାକୁ ଚେତାବନୀ ଓ ଧମକ ଦେଇଥିଲି।’ ନିଜ ଆତ୍ମଜୀବନୀ ପୁସ୍ତକ ‘ନିଜକଥା’ ମାଧ୍ୟମରେ ବହୁବର୍ଷ ତଳର ରାଜନୈତିକ ପେଡ଼ିକୁ ଖୋଲିଛନ୍ତି ବିଧାନସଭାର ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା। ୪୨୪ ପୃଷ୍ଠାର ଏହି ପୁସ୍ତକରେ ସେ ମଧ୍ୟ ଜୀବନର ବହୁ ଗୁରୁତ୍ବପୂର୍ଣ୍ଣ ଘଟଣାବଳୀ ଓ ରୋଚକ କଥା ଅବତାରଣା କରିଛନ୍ତି। ଗତକାଲି ପୁସ୍ତକ ଉନ୍ମୋଚନ ହେବାପ‌ରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ପୁସ୍ତକରେ ଶ୍ରୀ ପଣ୍ଡା ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ, ସେ ୪ ବର୍ଷର ଉପବାଚସ୍ପତି କାର୍ଯ୍ୟକାଳ ମଧ୍ୟରେ ୩ ଥର ଇସ୍ତଫା ଦେବାକୁ ଧମକ ଦେଇଥିଲେ। ପ୍ରଥମେ ୨୦୦୦ ମସିହା ଡିସେମ୍ବର ମାସରେ ଜଣେ କଂଗ୍ରେସ କର୍ମୀଙ୍କ ମୃତ୍ୟୁ ଘଟଣାକୁ ନେଇ କୋର୍ଟରେ ତାଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଦାଖଲ କରାଯାଇଥିଲା। କିନ୍ତୁ ଘଟଣା ଦିନ ସେ ବିଧାନସଭାରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ସମୀକ୍ଷା କରୁଥିଲେ। ଏହାକୁ ନେଇ ସେତେବେଳେ ବିଧାନସଭାରେ ତମ୍ବିତୋଫନ ହୋଇଥିଲା। ଏହି ଅଭିଯୋଗରୁ ନ ମୁକୁଳିବା ପର୍ଯ୍ୟନ୍ତ ନୈତିକତା ଦୃଷ୍ଟିରୁ ବିଧାନସଭା ଯିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ଘଟଣାର କ୍ରାଇମବ୍ରାଞ୍ଚ୍‌ ତଦନ୍ତ ହୋଇଥିଲା ଏବଂ ଅଭିଯୋଗ ନିରାଧାର ବୋଲି ପ୍ରମାଣିତ ହୋଇଥିଲା।

publive-image Facebook

ସେହିପରି ୨୦୦୩ ଡିସେମ୍ବର ୨୩ ବିଧାନସଭା ଅଧିବେଶନରେ ସଭ୍ୟମାନେ ବିଧାନସଭା ବିବରଣୀର ନକଲ ପାଉ ନ ଥିବା ଅଭିଯୋଗ କରିଥିଲେ। ବାଚସ୍ପତିଙ୍କ ରୁଲିଂ ପାଇବା ପାଇଁ ଗୃହରେ ଦୀର୍ଘ ସମୟ ଅପେକ୍ଷା କରିବାର ଅନୁଭୂତି ଓ ଗୃହ ସଚିବାଳୟର ଖାମଖିଆଲି ଆଚରଣ ଲାଗି ନ‌ିଜକୁ ଉତ୍ତରଦାୟୀ ଦର୍ଶାଇ ଉପବାଚସ୍ପତି ପଦରୁ ଶ୍ରୀ ପଣ୍ଡା ଇସ୍ତଫା ଦେବାକୁ ଘୋଷଣା କରିଥିଲେ। ୨୦୦୩ ମସିହାରେ ତୃତୀୟ ଘଟଣା ଘଟିଥିଲା। ବିଧାନସଭାର ଅପରାହ୍‌ଣ ଅଧିବେଶନ ନିଜେ ବାଚସ୍ପତି ଅଧ୍ୟକ୍ଷତା କରିବାର ରହିଥିଲା। କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଚନ୍ଦକା କାର୍ଯ୍ୟକ୍ରମରେ ଯୋଗ ଦେଇ ନ ପାରି ଅଧାରାସ୍ତାରୁ ଉପବାଚସ୍ପତି ଶ୍ରୀ ପଣ୍ଡାଙ୍କୁ ବିଧାନସଭାକୁ ଫେରିବାକୁ ପଡ଼ିଥିଲା। ବିଧାନସଭା ଆରମ୍ଭ ହେବାର ନିର୍ଦ୍ଧାରିତ ସମୟ ଠାରୁ ୨ ମିନିଟ୍‌ ବିଳମ୍ବ ହୋଇ ଯାଇଥିଲା। ବାଚସ୍ପତି ମଧ୍ୟ ଆସି ନ ଥିଲେ। ସଙ୍ଗେ ସଙ୍ଗେ ଉପବାଚସ୍ପତି ଶ୍ରୀ ପଣ୍ଡା ଯାଇ ଗୃହରେ ଅଧ୍ୟକ୍ଷତା କରିଥିଲେ। ଗୃହ ଠିକ୍‌ ସମୟରେ ଆରମ୍ଭ ହୋଇ ନପାରିବା ଗୁରୁତର ତ୍ରୁଟି ଥିଲା। ଯଦିଓ ଏହି ଘଟଣାରେ ଉପବାଚସ୍ପତି ଭାବେ ତାଙ୍କର କୌଣସି ଭୁଲ ନ ଥିଲା, ତଥାପି ନୈତିକତା ଦୃଷ୍ଟିରେ ସେ ଇସ୍ତଫା ଦେଇଥିଲେ। ବାଚସ୍ପତି ଦୁଇ ଦିନ ଇସ୍ତଫା ପତ୍ରକୁ ପାଖରେ ରଖି ଫେରାଇ ଦେଇଥିଲେ ବୋଲି ଶ୍ରୀ ପଣ୍ଡା ତାଙ୍କ ଆତ୍ମଜୀବନୀରେ ଉଲ୍ଲେଖ କରିଛନ୍ତି।

ସେହିପରି ୨୦୦୪ ବିଧାନସଭା ନିର୍ବାଚନରେ ଛତ୍ରପୁର ବିଧାନସଭାରୁ ହାରିବା ଶ୍ରୀପଣ୍ଡାଙ୍କ ରାଜନୈତିକ ଜୀବନର ଆଉ ଏକ ଚର୍ଚ୍ଚିତ ଘଟଣା। ଏଥିପାଇଁ ସେ ୩ଟି କାରଣକୁ ଦାୟୀ କରିଛନ୍ତି। ପ୍ରଥମ କାରଣ ହେଉଛି, ବିଦେଶୀ ଅନୁଦାନପ୍ରାପ୍ତ ୨ଟି ଏନ୍‌ଜିଓ ପ୍ରରୋଚନାରେ ୫୦ଟି ଗ୍ରାମର ଲୋକ ତାଙ୍କୁ ହରାଇବା ପାଇଁ ଲାଗିପଡ଼ିଥିଲେ। ତେବେ, ଗୁରୁତ୍ବପୂର୍ଣ୍ଣ ହେଉଛି ବିଧାୟକ ଥିବାବେଳେ ଦୁଇ ଜଣ ବ୍ୟବସାୟୀ ଦୁଇଟି ବିଦେଶୀ ମଦ ଦୋକାନ ଖୋଲିବା ଲାଗି ସୁପାରିସ ଚାହିଁଥିଲେ। ନୀତିଗତ ଦୃଷ୍ଟିକୋଣରୁ ଶ୍ରୀ ପଣ୍ଡା ସମ୍ମତିପତ୍ର ଦେଇ ନ ଥିଲେ। ବେଆଇନ ମଦ କାରବାର ରୋକିବା ଲାଗି ସେ ପ୍ରଶାସନ ଉପରେ ଚାପ ପକାଇଥିଲେ। ଏହାର ପରିମାଣ ସ୍ବରୂପ ମଦ ମାଫିଆମାନେ ଶ୍ରୀ ପଣ୍ଡାଙ୍କୁ ହରାଇବା ଲାଗି ବିପକ୍ଷ ପ୍ରାର୍ଥୀଙ୍କୁ ଆର୍ଥିକ ସହଯୋଗ ଓ ସାହାଯ୍ୟ ଦେଇଥିଲେ। ତାଙ୍କ ଛତ୍ରପୁର ନିର୍ବାଚନମଣ୍ଡଳୀରେ କିଛି ବ‌ିରୋଧୀ ସାଂସଦ ପାଣ୍ଠି ମାଧ୍ୟମରେ କର୍ମୀଙ୍କୁ ନିଜ ହାତମୁଠାକୁ ଆଣିବାକୁ ଉଦ୍ୟମ କରିଥିଲେ। ଯାହାକୁ ନେଇ ଗୋଷ୍ଠୀକନ୍ଦଳ ଉପୁଜୁଥିଲା। ଏହା ମଧ୍ୟ ତାଙ୍କ ପରାଜୟର ଆଉ ଏକ କାରଣ ବୋଲି ପୂର୍ବତନ ଉପବାଚସ୍ପତି ଶ୍ରୀ ପଣ୍ଡା ନିଜ ଆତ୍ମଜୀବନୀ ପୁସ୍ତକରେ ଏହା ଉଲ୍ଲେଖ କରିଛନ୍ତି।