ବନବିଭାଗ ଦୁର୍ନୀତିର ଚାଞ୍ଚଲ୍ୟକର ତଥ୍ୟ : ବାବୁଙ୍କ ପାଖରେ ଶ୍ରମିକଙ୍କ ପାସ୍‌ବୁକ୍‌, ଏଟିଏମ୍‌

ଏଟିଏମ୍‌ରୁ ଉଠାଇନେଲେ ଲକ୍ଷଲକ୍ଷ ଟଙ୍କା

ଯାଜପୁର : ଯାଜପୁର ବନବିଭାଗ ମହାଦୁର୍ନୀତର ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ବନ ବିଭାଗ ଅଧିକାରୀ ଶ୍ରମିକମାନଙ୍କ ପାସ୍‌ବୁକ୍‌‌ରେ ଟଙ୍କା ଜମା କରି ଏଟିଏମ୍‌‌ ଜରିଆରେ ଉଠାଇ ନେଇଛନ୍ତି। ଏହିଭଳି ଭାବେ ଲକ୍ଷ ଲକ୍ଷ ଟଙ୍କା କାରବାର ହୋଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, କରୋନା ସମୟରେ ଭୋକ, ଉପାସରେ କାଳାତିପାତ କରୁଥିବା ଶ୍ରମିକ ଏ ସମ୍ପର୍କରେ ସମ୍ପୂର୍ଣ୍ଣଭାବେ ଅନ୍ଧାରରେ ରହିଛନ୍ତି।

ଏହି ଶ୍ରମିକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜିଲ୍ଲାର କୋରେଇ ବ୍ଲକ୍ ବଡ଼ବିରୁଆଁ ପଞ୍ଚାୟତର ବନମାଳିପୁର ଗ୍ରାମର ବୃଦ୍ଧ ଘନଶ୍ୟାମ ମଲିକ। ତାଙ୍କ ପାସବୁକ୍‌ରୁ ୩୩ହଜାର ଟଙ୍କା ଲେଖାଏଁ ତିନି ଥରରେ ମୋଟ ୯୯ହଜାର ଟଙ୍କା ଜମା କରି ଏଟିଏମ ଜରିଆରେ ଉଠାଇ ନିଆଯାଇଛି। ଭଙ୍ଗା କୁଡ଼ିଆରେ ପଡ଼ିଥିବା, ଭଲ ଭାବରେ ଚଲାବୁଲା କରିପାରୁନାହାନ୍ତି ବୃଦ୍ଧ ଘନଶ୍ୟାମ। ସେ ଓ ତାଙ୍କ ପରିବାର କରୋନା କଟକଣା ସମୟରେ କାମଧନ୍ଦା ନପାଇ ଭୋକ ଉପବାସରେ ଦିନ କାଟୁଛନ୍ତି। ତାଙ୍କ ଆକାଉଣ୍ଟ ବ୍ୟବହାର କରି ଟଙ୍କା ଜମା ସହିତ ଉଠାଯାଇଥିବା ବେଳେ ସେ ଜାଣିନାହାନ୍ତି।
ସେହିପରି ବଡ଼ବିରୁଆଁର ଲକ୍ଷ୍ମୀଧର ମଲିକଙ୍କ ପାସ୍‌ବୁକରେ ୪୪ହଜାର ୭୦୦ ଟଙ୍କା ଜମା କରି ଏଟିଏମ ଜରିଆରେ ବନ ବିଭାଗ ଅଧିକାରୀ ଉଠାଇ ନେଇଛନ୍ତି। ଲକ୍ଷ୍ମୀଧରଙ୍କ ପରି ମାର୍କଣ୍ଡ ମଲିକଙ୍କ ପାସ୍‌ବୁକରେ ୪୪ହଜାର ୭୦୦ଟଙ୍କା, ଉଗ୍ରେସନ ଦାସ ପାସବୁକ୍‌ରେ ୪୫ହଜାର ଟଙ୍କା ଲେଖାଏଁ ୩ଥରରେ ୧ଲକ୍ଷ ୩୫ହଜାର ଜମା କରାଯାଇ ହଡ଼ପ ହୋଇଛି। ମୃତ ବାବୁଲି ମଲିକ ନାମରେ ୪ଥରରେ ୪୪ହଜାର ଟଙ୍କା କରି ମୋଟ ୧ଲକ୍ଷ ୭୬ହଜାର ଟଙ୍କା ଜମା କରାଯାଇ ଏଟିଏମ୍‌ ଜରିଆରେ ଉଠାଇ ନିଆଯାଇଛି।

ଏହି ଚାଞ୍ଚଲ୍ୟକର ତଥ୍ୟ ଆଜି ‘ସମ୍ବାଦ’ ଅନୁସନ୍ଧାନ ଟିମ୍‌ର ହସ୍ତଗତ ‌ହେଉଛି। ସବୁଠାରୁ ଚକିତ କରିବା ଭଳି ବିଷୟ ହେଉଛି ଏହି ଲୋକମାନଙ୍କ ଘର ଠାରୁ ପ୍ରାୟ ୫୦କିଲୋମିଟର ଦୂର ଡାଳିଯୋଡ଼ା ରେଞ୍ଜ ଅଧୀନ ମହାବିନାୟକ ମନ୍ଦିର ନିକଟରେ ଥିବା ବନ ବିଭାଗର ସ୍ଥାୟୀ ନର୍ସରିରେ କାମ, ସାମଗ୍ରୀ ଯୋଗାଣ ଓ ପରିବହନ ବାବଦରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଛି। ଏହି ଶ୍ରମିକମାନେ ନର୍ସରିରେ କାମ କରିବା ଦୂର କଥା ଦେଖି ବି ନାହାନ୍ତି ବୋଲି କହିଛନ୍ତି। ଶ୍ରମିକମାନେ ଆହୁରି କହିଛନ୍ତି ବହୁ ପୂର୍ବରୁ ସେମାନେ ରାସ୍ତା କଡ଼ରେ ଗଛଲଗା କାମ କରିଥିଲେ। ସେହି ସମୟରେ ସେମାନଙ୍କ ନାମରେ ପାସବୁକ୍ ଓ ଏଟିଏମ କରି ବନ ବିଭାଗ ଅଧିକାରୀ ତାଙ୍କୁ ନଦେଇ ନିଜ ପାଖରେ ରଖିଛନ୍ତି।

ବେଶ୍‌ କିଛିଦିନ ଧରି କଟକ ବନଖଣ୍ଡ ଅଧୀନ ଯାଜପୁର ଜିଲ୍ଲାର ୪ଟି ରେଞ୍ଜ ଡାଳିଯୋଡ଼ା, ଯାଜପୁରରୋଡ଼, ସୁକିନ୍ଦା ଓ ଟମକାରେ ଡିଏମଏଫ, ଓମ୍‌ବାଡସି, କାମ୍ପା, ମନରେଗା ପ୍ରଭୃତି ଯୋଜନାରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ଏବେ ଭୋକିଲା ଶ୍ରମିକଙ୍କ ନାଁରେ ଲକ୍ଷଲକ୍ଷ ଟଙ୍କା ହଡ଼ପ କରିବା ଘଟଣା ଅସନ୍ତୋଷ ଖେଳିଯାଇଛି। କୋଟିକୋଟି ଟଙ୍କାର ଏହି ଦୁର୍ନୀତି ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର