ଚକିତ କରୁଛି ପଦ୍ମପୁର ଉପନିର୍ବାଚନର ଭୋଟିଂ ଟ୍ରେଣ୍ଡ 

ବରଗଡ଼: ଉପନିର୍ବାଚନରେ ପଦ୍ମପୁର ଆସନ କାହା ହାତକୁ ଯିବ, ତାହା ପୂର୍ବାନୁମାନ କରିବା ବି ମୁସ୍କିଲ ଥିଲା। ତମାମ ନିର୍ବାଚନ ପ୍ରକ୍ରିୟାରେ ଭୋଟର୍‌ଙ୍କ ନିରବତା ସମସ୍ତଙ୍କୁ ଅଡ଼ୁଆରେ ପକାଇଥିଲା। ଅନ୍ୟପକ୍ଷରେ, ପଦ୍ମପୁରର ଭୋଟିଂ ଟ୍ରେଣ୍ଡ ମଧ୍ୟ ଫଳାଫଳର ପୂର୍ବାନୁମାନକୁ ଝୁଲାଇ ରଖିଥିଲା। ଗତ ଦୁଇଟି ସାଧାରଣ ନିର୍ବାଚନ ଏବଂ ପୌର, ପଞ୍ଚାୟତ ନିର୍ବାଚନରେ ମଧ୍ୟ କୌଣସି ଦଳ ସଠିକ୍‌ ହିସାବ ଲଗାଇ ପାରିନଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ବିଜେପି, ୨୦୧୯ରେ ବିଜେଡି ଏଠାରେ ବିଜୟୀ ହୋଇଥିଲା। ଗତ ପଞ୍ଚାୟତ ନିର୍ବାଚନରେ ଏହି ବିଧାନସଭା ମଣ୍ଡଳୀ ଅଧିନରେ ଥିବା ଆଠଟି ଜୋନ୍‌ରୁ ବିଜେପି  ୪ ଟିରେ ବିଜୟ ଲାଭ କରିଥିଲା। କେବଳ ସେତିକି ନୁହେଁ, ବିଜେପି ଭୋଟ୍‌ ହାର ମଧ୍ୟ ବିଜେଡି ପାଖାପାଖି ହାସଲ କରିଥିଲା।

ପଞ୍ଚାୟତ ନିର୍ବାଚନରେ ବିଜେଡି ୮୮୦୧୧ ଭୋଟ ପାଇଥିବା ବେଳେ ବିଜେପି ମଧ୍ୟ ୮୨ ହଜାରରୁ ଅଧିକ ଭୋଟ ପାଇଥିଲା। ‌ଏହି ଉତ୍ସାହଜନକ ଫଳାଫଳ ପୌର ନିର୍ବାଚନରେ ପଡ଼ିବ ବୋଲି ବିଜେପି ଆଶା ରଖିଥିଲା। ଅଧ୍ୟକ୍ଷା ପଦ ବିଜେପି ମାତ୍ର ୬୬୨ ଭୋଟ୍‌ରେ ହାତଛଡ଼ା କଲା। ବିଜେଡି ୧୧ଟି ୱାର୍ଡରୁ ୭ଟିରେ ବିଜୟ ଲାଭ ପାଇଲା।  ତେଣୁ ପ୍ରତିଟି ନିର୍ବାଚନରେ ଏହି ଆସନର ରାଜନୈତିକ ପାଣିପାଗ କଡ଼ ଲେଉଟାଉଛି। ପଞ୍ଚାୟତ ନିର୍ବାଚନ ବେଳେ ଜିଲ୍ଲାର ଅନ୍ୟ ନିର୍ବାଚନ ମଣ୍ଡଳୀ ତୁଳନାରେ ବିଜେଡି ପଦ୍ମପୁରରେ ପ୍ରଭାବୀ ପ୍ରଦର୍ଶନ କରିନଥିଲା। ତେଣୁ ବିଧାୟକ ବିଜୟରଂଜନ ସିଂ ବରିହାଙ୍କ ବିୟୋଗ ପରେ ଦଳକୁ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ କରିବା କାଠିକର ପାଠ ଥିଲା। ଉପନିର୍ବାଚନରେ ଏଥିପାଇଁ ବିଜେଡିକୁ ବହେ କସରତ ପରେ କଷ୍ଟରେ ବିଜୟ ମିଳିବ ବୋଲି ଆକଳନ ଥିଲା। କିନ୍ତୁ ୪୩ ହଜାରର ବ୍ୟବଧାନରେ ଜିତିବା ନିଶ୍ଚିତ ଭାବେ ବିଜେଡି ଶିବିରକୁ ମଧ୍ୟ ଚକିତ କରିଛି।

ପାଇକମାଳ ବ୍ଲକ୍‌ରେ ଜନ୍ମିତ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ତାଙ୍କରି ଇଲାକାରେ ମାତ୍‌ ମିଳିବା ଅନ୍ୟତମ ଚର୍ଚ୍ଚିତ ଅଧ୍ୟାୟ ଏହି ଉପନିର୍ବାଚନ ସହ ଯୋଡ଼ି ହୋଇଛି। ପାଇକମାଳ ବ୍ଲକ୍‌ରେ ଶ୍ରୀ ପୁରୋହିତଙ୍କୁ ୨୭,୧୩୨ ଭୋଟ୍‌ ମିଳିଥିବାବେଳେ ବର୍ଷା ୪୨,୭୮୦ ଭୋଟ୍‌ ହାତେଇଥିଲେ। ଯାହା ବିଜେପି ପାଇଁ ସବୁଠୁ ବଡ଼ ଝଟ୍‌କା। ଅନ୍ୟପକ୍ଷରେ, ପଦ୍ମପୁର ସହରାଞ୍ଚଳ (ଏନ୍‌ଏସି)ରେ ବିଜେପି ଭଲ ସ୍ଥିତିରେ ରହିବ ବୋଲି ଆଶା ଥିଲା। ଅନ୍ତତଃ ସହରୀ ଭୋଟ୍‌ର ସିଂହଭାଗ ବିଜେପି ଖାତାକୁ ଯିବ ବୋଲି ଅନୁମାନ ଥିଲା। କିନ୍ତୁ ଅନୁମାନ

ବିପରୀତ ଏଠାରେ ବିଜେଡି ବାଜିମାତ୍‌ କରିଛି। ବିଜେଡି ୧୪,୭୯୯ ଭୋଟ୍‌ ପାଇଥିବାବେଳେ ବିଜେପିକୁ ୧୧,୦୯୫ ଭୋଟ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଅନ୍ତତଃ ଝାରବନ୍ଧ ବ୍ଲକ୍‌ରେ କଂଗ୍ରେସ୍‌ କିଛିଟା ପ୍ରଭାବୀ ପ୍ରଦର୍ଶନ କରିବ ବୋଲି ଚର୍ଚ୍ଚା ଥିଲା। ହେଲେ ଏଠାରେ ବିଜେଡି ୩୧,୮୮୬ ଏବଂ ବିଜେପି ୨୧,୧୮୨ ଭୋଟ୍‌ ହାତେଇ ‌ନେଲେ। କଂଗ୍ରେସ ଏଠାରେ ନିଶ୍ଚିହ୍ନ ହୋଇଗଲା। ପଦ୍ମପୁର ବ୍ଲକ୍‌ରେ ଭଲ ପ୍ରଦର୍ଶନ କରୁଥିବା ବିଜେପି ମାତ୍ର ୧୮୦୪୧ ଭୋଟ୍‌ ପାଇଥିବାବେଳେ ବିଜେଡି ଖାତାକୁ ୩୦,୦୪୭ ଭୋଟ୍‌ ଚଢ଼ିଥିଲା। ତେଣୁ ପୂର୍ବ ସାଧାରଣ ଏବଂ ପଞ୍ଚାୟତ ନିର୍ବାଚନ ପରେ ପଦ୍ମପୁର ନିର୍ବାଚନମଣ୍ଡଳୀର ଭୋଟର୍‌ ପୁଣି ଟ୍ରେଣ୍ଡ ବଦଳାଇ ଦେଇଛନ୍ତି।

କେଉଁଠୁ କେତେ ଭୋଟ୍‌

ଦଳ                             ଝାରବନ୍ଧ                  ପାଇକମାଳ            ପଦ୍ମପୁର                  ପଦ୍ମପୁର(ଏନ୍‌ଏସି)

ବିଜେଡି                        ୩୧,୮୮୬               ୪୨,୭୮୦         ୩୦,୦୪୭               ୧୪,୭୯୯

ବିଜେପି                        ୨୧,୧୮୨               ୨୭,୧୩୨         ୧୮,୦୪୧               ୧୧,୦୯୫

କଂଗ୍ରେସ                        ୯୭୦                    ୧,୪୨୩            ୭୨୭                      ୪୨୮

ସମ୍ବନ୍ଧିତ ଖବର