ଭୁବନେଶ୍ବର: ବିଧାନସଭାରେ ଅଧିବେଶନ ଜାରି ଥିବା ବେଳେ ଆଜି ବାଚସ୍ପତିଙ୍କ ଉପରକୁ ଜୋତା ଫୋପଡ଼ାଯିବାକୁ ନେଇ ଗୃହରେ ଶାସକ ଦଳର ଉଦବେଗ ପ୍ରକାଶ ପାଇଛି। ଏହି ଘଟଣାକୁ ଶାସକ ଦଳର ବିଧାୟକ ଭୁପିନ୍ଦର ସିଂ, ପ୍ରତାପ ଦେବ ଓ ଶଶିଭୂଷଣ ବେହେରା ତୀବ୍ର ନିନ୍ଦା କରିଛନ୍ତି। ସେମାନେ ବିଶୃଙ୍ଖଳା ପ୍ରଦର୍ଶନ କରିଥିବା ବିଧାୟକଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ଶାସକ ଦଳ ସଦସ୍ୟ ଭୁପିନ୍ଦର ସିଂ କହିଛନ୍ତି, ଘଟଣା ଅତ୍ୟନ୍ତ ଦୁଖଦାୟକ। ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଭାବରେ ଦେଶରେ ସବୁଦୃଷ୍ଟିରୁ ସମ୍ମାନ ରହିଛି। ବାଚସ୍ପତିଙ୍କ ସମ୍ମାନ ଏ ଗୃହର ସମ୍ମାନ ଓ ଓଡ଼ିଶାର ସମ୍ମାନ। ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମ ଅନୁଯାୟୀ ବାଚସ୍ପତି ରୁଲିଙ୍ଗ ଦିଅନ୍ତୁ ବୋଲି ସେ ମତ ରଖିଥିଲେ । ସେହିଭଳି ବିଜେଡି ବିଧାୟକ କିଶୋର ମହାନ୍ତି କହିଛନ୍ତି ଏହା ଇତିହାସର ଏକ କଳଙ୍କିତ ଅଧ୍ୟାୟ। ପୂର୍ବରୁ ମଇକ୍ରୋଫୋନ ଭାଙ୍ଗିଥିବାରୁ ୨୫ ହଜାର ଟଙ୍କା ଫାଇନ ଆଦାୟ ହୋଇଥିଲା। ଏଭଳି ବ୍ୟବହାର କେବେ ହୋଇ ନ ଥିଲା। କୌଣସି ସଦସ୍ୟ ଏ କଥାକୁ ଗ୍ରହଣ କରିପାରିବେ ନାହିଁ। ନୀତି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ।
ଏହାରି ମଧ୍ୟରେ ଜୋତା ଫିଙ୍ଗା ଭିଡିଓର ଯାଂଚ ହୋଇଛି। ବାଚସ୍ପତିଙ୍କ ପ୍ରକୋଷ୍ଠକୁ ସରକାରୀ ଦଳ ମୁଖ୍ୟ ସଚେତକ ଯାଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ବାଚସ୍ପତିଙ୍କ ପ୍ରକୋଷ୍ଠକୁ ଯାଇଛନ୍ତି।
କେବଳ ଶାସକ ଦଳ ନୁହେଁ, କଂଗ୍ରେସ ମଧ୍ୟ ଜୋତା ଫୋପାଡ଼ିବା ଘଟଣାକୁ ନିନ୍ଦା କରିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ଏହାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, ଏହି କାମ ଦ୍ବାରା ବାଚସ୍ପତିଙ୍କ ପଦ ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଛି। ସଂପୃକ୍ତ ବିଧାୟକଙ୍କୁ ସସପେଣ୍ଡ କରାଯାଉ। ଏହି ଘଟଣାରେ ଅସନ୍ତୋଷ ପ୍ରକାଶ କରିବା ସହ ଗୃହରେ ଯାହା ଘଟଣା ଘଟିଲା ତାହା ଅସାମ୍ବିଧାନିକ ଵୋଲି ସେ ମତ ରଖିଥିଲେ।
ଅନ୍ୟପକ୍ଷରେ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ଷୋଡ଼ଶ ବିଧାନସଭାରେ ଆମର ଏକ ନିଆରା ଅନୁଭୂତି ହେଲା । ବାଚସ୍ପତି ମହୋଦୟ ଆପଣ ସମସ୍ତଙ୍କୁ ସମାନ ନଜରରେ ଦେଖନ୍ତୁ । ବାଚସ୍ପତି ଗୃହକୁ ବିଶ୍ଵାସକୁ ନିଅନ୍ତୁ । ଏହି ଅଧିବେଶନରେ ଆମେ ଦେଖିଥିଲୁ ଶାସକ ଦଳର ନେତା ଗୃହର ମଧ୍ୟ ଭାଗକୁ ଆସି ଗୃହକୁ ଅଚଳ କରିଥିଲେ । କଂଗ୍ରେସ ପକ୍ଷରୁ ଆଜି ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା । ବାଚସ୍ପତି ଆପଣ ତାକୁ କହିଁକି ଗ୍ରହଣ କଲେନି । ଶାସକ ଦଳର ଚାପରେ ଗ୍ରହଣ କଲେ ନି ନାହିଁ ତାହା ଜାଣେନା । କିନ୍ତୁ ବାଚସ୍ପତି ମହୋଦୟ ଆପଣ ବିରୋଧୀଙ୍କୁ ବିଶ୍ୱାସକୁ ନିଅନ୍ତୁ । ଆପଣଙ୍କର ବିରାଟ ହୃଦୟ ଆପଣ ଏହି ଭଳି ଛୋଟମୋଟ ଘଟଣାକୁ ଭୁଲି ଗୃହ କାର୍ଯ୍ୟ ଆଗକୁ ନିଅନ୍ତୁ । ଆମେ ବି ଏହି ଘଟଣା ପାଇଁ ଦୁଃଖିତ । ମାତ୍ର ବାଚସ୍ପତି ଏହାକୁ ଭୁଲି ଆଗକୁ ବଢ଼ନ୍ତୁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/t-304.jpg)