ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଜୋତା ପିନ୍ଧାଇଲେ ମନ୍ତ୍ରୀ ଟୁକୁନି ସାହୁ

ଟିଟିଲାଗଡ଼ : ଟିଟିଲାଗଡ଼ ଭିନ୍ନକ୍ଷମ କେନ୍ଦ୍ରରେ ଶନିବାର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ‌ ଦେଇଥିବା ମନ୍ତ୍ରୀ ଟୁକୁନି ସାହୁ ନିଜ ହାତରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମୋଜା ଓ ଜୋତା ପିନ୍ଧାଇ ଦେଇଥିଲେ। ଏହି ସେଣ୍ଟରରେ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଶନିବାର ମୋଜା, ଜୋତା ଓ ପୋଷାକ ବଣ୍ଟନ କରାଯାଇଥିଲା। ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିସନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସାମଗ୍ରୀ ବଣ୍ଟନ ଆରମ୍ଭ ହେବା ସମୟରେ ମନ୍ତ୍ରୀ ନିଜେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଜୋତା ମୋଜା ପିନ୍ଧାଇ ଦେଇଥିଲେ। ଏହି ଦୃଶ୍ୟ ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ବଳ କରି ଦେଇଥିଲା। ଏହା ପରେ ମନ୍ତ୍ରୀ ଶ୍ରୀମତୀ ସାହୁ ନିଜ ବକ୍ତବ୍ୟରେ ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଚକ୍ଷଣ ପ୍ରତିଭା ଲୁଚି ରହିଛି। ଏମାନଙ୍କ ପାଇଁ ଯେକୌଣସି ସମୟରେ ଯେକୌଣସି ସହାୟତା ଦରକାର ହେଲେ ସେ କରିବାକୁ ପଛାଇବେ ନାହିଁ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟିଟିଲାଗଡ଼ ପୂର୍ବ ପୌରାଧ୍ୟକ୍ଷ ଗୋବର୍ଦ୍ଧନ ନାଗ, ରାଜଜ୍ୟୋତି ଟ୍ରଷ୍ଟର ସଭାପତି ଦୀପକ ସାହୁ, ପୌର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା, ଶିବା ରାଓ, ରାଜେଶ ବେହେରା, କାଳୀଚରଣ ପରୁଆ ପ୍ରମୁଖଙ୍କ ସହ କେନ୍ଦ୍ରର ସଂପାଦକ ସୁଶାନ୍ତ ମହାରଣା, ଈଶ୍ୱର ଦତ୍ତ, ଅଞ୍ଜଳି ବେହେରା, ଯୋଗମାୟା ମହାରଣା, ସୁଚେତା ମହାରଣା, ଶିକ୍ଷକ ପ୍ରଶାନ୍ତ ପଟ୍ଟନାୟକ, ମାନସ ଦଳବେହେରା, ଲବ ମିର୍ଦ୍ଧା, ଦିଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର