ଜୋତା, ମୋଜା, ପୋଷାକ ମିଳିନି: ଚିରାଫଟାରେ ସ୍କୁଲ ଆସୁଛନ୍ତି ପ୍ରାଥମିକ ପିଲା

ଜୁନ୍‌ ୨୦ ସୁଦ୍ଧା ବାଣ୍ଟିବାକୁ କୁହାଯାଇଥିଲା, ପହଞ୍ଚିନି ଅର୍ଥ, ହାତ ଟେକିଲେଣି ପ୍ରଧାନ ଶିକ୍ଷକ

କେଶବ ପାଣି
ଭୁବନେଶ୍ବର: ୨୦୨୪-୨୫ ଶିକ୍ଷାବର୍ଷ ଏପ୍ରିଲରୁ ଆରମ୍ଭ ହେଲାଣି। ଏଯାଏଁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଜୋତା‌, ମୋଜା, ପୋଷାକ ମିଳିପାରି ନାହିଁ। ଛାତ୍ରଛାତ୍ରୀ ବିନା ୟୁନିଫର୍ମରେ ସ୍କୁଲ ଯାଉଛନ୍ତି। କ୍ଲାସରେ ବସୁଛନ୍ତି। କିଛି ଛାତ୍ରଛାତ୍ରୀ ପୁରୁଣା ବର୍ଷର ଚିରାଫଟା ୟୁନିଫର୍ମ ଓ ଜୋତା ମୋଜା ପିନ୍ଧି ସ୍କୁଲ ଆସୁଥିବାର ଚିତ୍ର ସାମ୍ନାକୁ ଆସିଲାଣି। ନୂଆ ସରକାର ପିଲାଙ୍କ ପାଠପଢ଼ା ଉପରେ ଗୁରୁତ୍ବ ଦେଇ ତନାଘନା ଆରମ୍ଭ କରିଥିବା ବେଳେ ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିହୀନତା ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି କଲାଣି। ପିଲାମାନଙ୍କୁ କେବେ ସୁଦ୍ଧା ୟୁନିଫର୍ମ ବଣ୍ଟନ କରାଯିବ ସେ ଉତ୍ତର କାହା ପାଖରେ ନାହିଁ।

ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ (ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ) ଅଧ୍ୟୟନରତ ଛାତ୍ରଛାତ୍ରୀ ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଜୁନ୍‌ ୨୦ ସୁଦ୍ଧା ମାଗଣା ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍‌ ପ୍ୟାଣ୍ଟ, ଟୋପି ଓ ପରିଚୟପତ୍ର ବଣ୍ଟନ କରିବାକୁ ନିଷ୍ପତ୍ତି ହୋଇଥିଲା। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ପାରୁଲ ପଟାୱାରି ମେ’ ୨୦ରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଚିଠି ଲେଖିଥିଲେ। ଏହି ଶିକ୍ଷାବର୍ଷରେ ଜଣେ ପିଲା ପିଛା ୫୦୦ ଟଙ୍କା ଖର୍ଚ୍ଚ କରିବାକୁ କୁହାଯାଇଥିଲା। ୨୦୦ ଟଙ୍କା ମୂଲ୍ୟରେ ହଳେ ଜୋତା ଓ ଦୁଇ ହଳ ମୋଜା, ୧୨୫ ଟଙ୍କା ମୂଲ୍ୟରେ ଗୋଟିଏ ଟି-ସାର୍ଟ, ୧୨୫ ଟଙ୍କା ମୂଲ୍ୟରେ ଗୋଟିଏ ଟ୍ରାକ୍‌ ପ୍ୟାଣ୍ଟ, ୩୦ ଟଙ୍କା ମୂଲ୍ୟର ଗୋଟିଏ ଟୋପି(ବ୍ରାଣ୍ଡିଂ ସହ) ଏବଂ ୨୦ ଟଙ୍କା ଗୋଟିଏ ପରିଚୟପତ୍ର ବାବଦରେ ଖର୍ଚ୍ଚ କରାଯିବ।

ଚିରାଫଟାରେ ସ୍କୁଲ ଆସୁଛନ୍ତି ପ୍ରାଥମିକ ପିଲା
ଜୁନ୍‌ ୨୦ ସୁଦ୍ଧା ବାଣ୍ଟିବାକୁ କୁହାଯାଇଥିଲା
ପହଞ୍ଚିନି ଅର୍ଥ, ହାତ ଟେକିଲେଣି ପ୍ରଧାନ ଶିକ୍ଷକ
ପୋଷାକ ବଣ୍ଟନ ନିର୍ଦ୍ଦେଶାବଳୀ ଆସିପାରୁ ନାହିଁ

ଅନୁସୂଚିତ ଜାତି ଓ ଜନଜାତି, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ସମସ୍ତ ବାଳକଙ୍କ କ୍ଷେତ୍ରରେ ୫୦୦ ଟଙ୍କା ମଧ୍ୟରୁ ୧୦୦ ଟଙ୍କା ସମଗ୍ର ଶିକ୍ଷା ଯୋଜନା ଓ ୪୦୦ ଟଙ୍କା ରାଜ୍ୟ ସରକାରଙ୍କ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରୁ ଭରଣା କରାଯିବ। ସରକାରୀ ବିଦ୍ୟାଳୟ ଓ ଦାରିଦ୍ର୍ୟ ସୀମ‌ାରେଖା ଉପରେ ଥିବା ସମସ୍ତ ବାଳକ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଗଙ୍ଗାଧର ମେହେର ‌ଶିକ୍ଷା ମାନକ ‌ବୃଦ୍ଧି ଯୋଜନାରୁ ୫୦୦ ଟଙ୍କା ଭରଣା କରିବାକୁ ନିଷ୍ପତ୍ତି ହୋଇଛି। ଜୋତା ବଣ୍ଟନ ପ୍ରକ୍ରିୟା ଜୁନ୍‌ ୨୦ ସୁଦ୍ଧା ସାରିବା ସହ ଜୁଲାଇ ୨୫ ସୁଦ୍ଧା ପ୍ରତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ବଣ୍ଟନ ସମ୍ପର୍କିତ ବିନିଯୋଗ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦେଶ ରହିଛି। ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍‌, ବିଶିଷ୍ଟ ବ୍ୟକ୍ତି, ସମାଜସେବୀ, ସ୍ବାଧୀନତା ସଂଗ୍ରାମୀଙ୍କ ଉପସ୍ଥିତିରେ ବଣ୍ଟନ ପ୍ରକ୍ରିୟା ଶେଷ କରିବାକୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ନିର୍ଦେଶ ଦେଇଥିଲେ। ଜୁନ୍‌ ମାସ ଶେଷ ହେବାକୁ ବସିଥିବା ବେଳେ ପିଲାଙ୍କ ନିକଟରେ ଜୋତା ମୋଜା କିମ୍ବା ଟି-ସାର୍ଟ ପହଞ୍ଚିପାରି ନାହିଁ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଓସେପା ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଆଧାରରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକମାନେ ପ୍ରସ୍ତୁତି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅର୍ଥ ପହଞ୍ଚିପାରି ନାହିଁ। ଏମିତିକି ରାଜ୍ୟ ସରକାରଙ୍କ ପକ୍ଷରୁ ଏବାବଦରେ ଅର୍ଥ ମଞ୍ଜୁର ହୋଇ ନ ଥିବାରୁ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନେ ହାତ ଟେକି ଦେଲେଣି। କେବେ ଜୋତା ଓ ପୋଷାକ ମିଳିବ ଅଭିଭାବକମାନେ ବାରମ୍ବାର ସ୍କୁଲ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରୁଥିଲେ ମଧ୍ୟ ସଠିକ୍‌ ଉତ୍ତର ପାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଓସେପାର ଯେଉଁ ନିର୍ଦ୍ଦେଶନାମା ଜାରି ହୋଇଥିଲା ସେଥିରେ କୁହାଯାଇଥିଲା ଯେ ପ୍ରତି ଛାତ୍ରଛାତ୍ରୀଙ୍କ ପିଛା ୫୦୦ ଟଙ୍କା ଲେଖାଏଁ ପୋଷାକ ବାବଦରେ ପ୍ରଦାନ କରାଯିବ। ଏସମ୍ପର୍କରେ ଦ୍ବିତୀୟ ପର୍ଯ୍ୟାୟରେ ନିର୍ଦ୍ଦେଶନାମା ତଥା‌ ମାର୍ଗଦର୍ଶିକା ସ୍ବତନ୍ତ୍ର ଭାବେ ପଠାଯିବ। ମାର୍ଗଦର୍ଶିକା ନ ମିଳିବା ପର୍ଯ୍ୟନ୍ତ ପୋଷାକ ବିତରଣ ପ୍ରକ୍ରିୟା ଆରମ୍ଭ ନ କରିବାକୁ ସ୍ପଷ୍ଟ କରାଯାଇଥିଲା। ତେଣୁ ଡିଇଓ, ବିଇଓ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବେ ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରି ରହିଛନ୍ତି।

ସମ୍ବନ୍ଧିତ ଖବର