ଭୁବନେଶ୍ୱର : ଶୁକ୍ରବାର ପ୍ରକାଶିତ ଏନଟିଏ-ଏନଇଇଟି ( ନିଟ୍) ପରୀକ୍ଷାରେ ଓଡ଼ିଶାର ସୋଏବ ଆଫତାବ ଇତିହାସ ସୃଷ୍ଟି କରିଛନ୍ତି । ସେ ମୋଟ ୭୨୦ ନମ୍ବରରୁ ୭୨୦ ନମ୍ବର ରଖି ୧୦୦ ପ୍ରତିଶତ ସଫଳତା ପାଇଛନ୍ତି । ସେହିପରି ଓଡ଼ିଶାର ପ୍ରଥମ ଛାତ୍ର ଭାବେ ଏନଇଇଟିରେ ଟପ୍ପର ହୋଇଛନ୍ତି ।
ଜାତୀୟ ଗଣମାଧ୍ୟମ ଟାଇମ୍ସନାଓକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ତାଙ୍କ ବାପା ଓଡ଼ିଶାରେ ନିର୍ମାଣ ବ୍ୟବସାୟରେ ଅଛନ୍ତି । ତେବେ ତାଙ୍କର ପାଠପଢ଼ା ପାଇଁ ତାଙ୍କ ମା’ ତାଙ୍କୁ ନେଇ ରାଜସ୍ଥାନର କୋଟାଠାରେ ରହୁଛନ୍ତି । କୋଟାର ଏକ କୋଚିଂ ସେଣ୍ଟରରେ ସେ ନାମ ଲେଖାଇ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ ।
I thank @DG_NTA for giving a new cohort of Doctors this year. Exams were conducted during "testing" times and the spirit of Cooperative Federalism was clearly visible. I thank all the Chief Ministers for the same. #NEETResult2020 #NEET2020#NEETUG @PIB_India @DDNewslive pic.twitter.com/OEkoOJSWSS
— Dr. Ramesh Pokhriyal Nishank (@DrRPNishank) October 16, 2020
ସୂଚନାଯୋଗ୍ୟ ଯେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ କରାଯାଇଥିବା ଏନଟିଏ ଏନଇଇଟି (ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା)-୨୦୨୦ର ଫଳାଫଳ ପ୍ରକାଶ ପାଇଛି । ଏଥିରେ ଉଭୟ ସେପ୍ଟେମ୍ବର ୧୩ ଓ ଅକ୍ଟୋବର ୧୪ରେ ହୋଇଥିବା ପରୀକ୍ଷାର ଫଳାଫଳ ଅନ୍ତର୍ଭୁକ୍ତ ରହିଛି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟ୍ଵିଟ କରି ସଫଳ ପରୀକ୍ଷା ପରିଚାଳନା ପାଇଁ ଏନଟିଏ ମହାନିର୍ଦ୍ଦେଶକ, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ସଫଳ ପରୀକ୍ଷାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତେବେ ଯେଉଁମାନେ ସଫଳ ହୋଇପାରିନାହାନ୍ତି ସେମାନଙ୍କୁ ନିରାଶ ନହେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଗୋଟିଏ ପରୀକ୍ଷାରେ ବିଫଳତା ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିପାରିବ ନାହିଁ ବୋଲି ସେ କହିଛନ୍ତି ।