‘ସମ୍ବାଦ ପରିବାର’ ତା’ର ବଡ଼ପୁଅକୁ ହରାଇଲା

ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ବିୟୋଗରେ ଶୋକସଭା

ଭୁବନେଶ୍ବର : ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ନାଟ୍ୟ କଳାକାର ତଥା ସମ୍ବାଦ’ର ସଂପାଦକ(ସଂପାଦକୀୟ ପୃଷ୍ଠା) ରଣଜିତ ଗୁରୁଙ୍କ ବିୟୋଗରେ ଆଜି ‘ସମ୍ବାଦ ଗ୍ରୁପ୍‌’ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ ପରିବାରର ଉପସ୍ଥିତ ସଦସ୍ୟମାନେ ୧ ମିନିଟ୍‌ ନିରବ ପ୍ରାର୍ଥନା କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ‘ସମ୍ବାଦ’ ସଂପାଦକ  ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ଯେ, ସ୍ବର୍ଗତ ଗୁରୁଙ୍କ ବିୟୋଗରେ ‘ସମ୍ବାଦ’ ପରିବାର ତା’ର ବଡ଼ପୁଅକୁ ହରାଇଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

‘ସମ୍ବାଦ’ ସଂପାଦକ(ଫିଚର) ଗୌରହରି ଦାସଙ୍କ ସଭାପତିତ୍ବରେ ‘ସମ୍ବାଦ ଭବନ’ଠାରେ ଆୟୋଜିତ ଶୋକସଭାରେ ସ୍ବର୍ଗତଃ ଗୁରୁଙ୍କ ସ୍ମୃତିଚାରଣ କରାଯାଇଥିଲା। ‘ସମ୍ବାଦ’ ସଂପାଦକ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ସ୍ବର୍ଗତଃ ଗୁରୁ ଇଚ୍ଛା କରି ସେ ସାମ୍ବାଦିକ ହୋଇଥିଲେ। ସାମ୍ବାଦିକତାର ଶୀର୍ଷତମ ସୋପାନରେ ସେ ପହଞ୍ଚି ପାରିଥିଲେ। ‘ସମ୍ବାଦ’ର ସଫଳତା ପଛରେ ଯେଉଁମାନଙ୍କର ବିରାଟ ଭୂମିକା ରହିଛି, ସେମାନଙ୍କର ମଧ୍ୟରେ ଗୁରୁ ବାବୁଙ୍କୁ ଯଥେଷ୍ଟ ଭୂମିକା ରହିଥିଲା। ତେବେ ତାଙ୍କ ବିୟୋଗରେ ଶୋକ ନ କରି ଏହାକୁ ପର୍ବ ଆକାରରେ ପାଳନ କରାଯିବା ଉଚିତ୍। ଆମ ପରମ୍ପରାରେ ତିରୋଧାନ ଦିବସକୁ ପୁଣ୍ୟତିଥି ଭାବେ ପାଳନ କରାଯାଏ।

ଆଜିକାଲି ସମୟରେ ସାମ୍ବାଦିକଙ୍କ ବିରୋଧରେ ମିଛ ହେଉ ବା ସତ, ଅଭିଯୋଗ ଆସୁଥିବା ବେଳେ ତାଙ୍କ ସାମ୍ବାଦିକତା ଜୀବନରେ କେହି କେବେ ତାଙ୍କ ବିରୋଧରେ କୌଣସି ଅଭିଯୋଗ କରିନାହାନ୍ତି। ଯେଉଁ ସମୟରେ ‘ସମ୍ବାଦ’ ଅବକ୍ଷୟମୁଖୀ ଥିଲା ଓ ଏହାର ସଫଳତା ନେଇ ଅନେକ ସନ୍ଦେହ ପ୍ରକାଶ କରିଥିଲେ ସେ ସମୟରେ ତାଙ୍କୁ ‘ସମ୍ବାଦ’ର ରାଉରକେଲା ସଂସ୍କରଣର ଦାୟିତ୍ବ ଦିଆଯାଇଥିଲା। ସାଧାରଣ ଭାବେ ସଂପାଦକ ପୃଷ୍ଠାକୁ ବୟସ୍କ ଓ ବୁଦ୍ଧିଜୀବୀଙ୍କ ପୃଷ୍ଠା ଭାବେ ବିବେଚନା କରାଯାଇଥାଏ। ମାତ୍ର ଆଜିର ସମୟରେ ଯଦି ସଂପାଦକୀୟ ପୃଷ୍ଠାକୁ ଲୋକମାନେ ଗୁରୁତ୍ବର ସହ ବିଚାର କରୁଛନ୍ତି, ତହିଁରେ ଗୁରୁବାବୁଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ପରବର୍ତୀ ସମୟରେ ଟେଲିଭିଜନ୍‌ରେ ଜଣେ ଭାଷ୍ୟକାର ଭାବେ ବେଶ୍ ସଫଳତା ହାସଲ କରିଥିଲେ। ଗୁରୁବାବୁଙ୍କ ବ୍ୟକ୍ତିତ୍ବ, ପାରଦର୍ଶିତା ଓ ଜ‌ଣେ ସାମ୍ବାଦିକ ହିସାବରେ ‌ସେ ନିଜର ଯେଉଁ ଛାପ ସୃଷ୍ଟି କରିଥିଲେ, ତାହାକୁ ଲୋକମାନେ ଆଜି ମନେପକାଉଛନ୍ତି। ତାଙ୍କ ବିୟୋଗରେ ଶୋକ ପାଳନ କରିବା ଅପେକ୍ଷା ତାଙ୍କ ଅବର୍ତମାନରେ ‘ସମ୍ବାଦ’ ଯେଭଳି ଥିଲା ସେଭଳି ରହିବ, ସେଥିପାଇଁ ସମସ୍ତେ ସଂକଳ୍ପ ନେବା ଉଚିତ୍ , ତାହା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସ୍ବର୍ଗତଃ ଗୁରୁଙ୍କ ସ୍ମୃତିଚାରଣ କରି ‘ସମ୍ବାଦ’ ସଂପାଦକ ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଥିଲେ ଯେ, ସେ କେବେ ଉତ୍ତେଜିତ ହେଉ ନଥିଲେ। ‌ତାଙ୍କୁ ଯେତେ ପ୍ରଭାବିତ କରିବାକୁ ଚେଷ୍ଟା କରିବାକୁ କଲେ ହେଁ ସେ ପ୍ରଭାବିତ ହେଉ ନଥିଲେ। ଯେତେ ଅସୁସ୍ଥତା ଥିଲେ ହେଁ ଏହାକୁ ବାହାନା କରି ସେ କେବେ କାମରେ ଅବହେଳା କରୁ ନଥିଲେ। ତା‌ଙ୍କର ଏହି ଗୁଣକୁ ସମସ୍ତେ ଶିଖିବା ଉଚିତ୍। କିଡ୍‌ନି ରୋଗରେ ଆକ୍ରାନ୍ତ ହେବାପରେ ଦିଲ୍ଲୀ ଏମ୍‌ସରେ ତାଙ୍କର କିଡ୍‌ନି ପ୍ରତିରୋପଣ ସମୟରେ ତାଙ୍କୁ କିଡ୍‌ନି ଦେବା ପାଇଁ ତାଙ୍କ ବଡ଼ ଭାଇ ଆଗେଇ ଆସିଥିଲେ। ଆଜିର ସମୟରେ ଯୌଥ ପରିବାରର ଏହା ଏକ ବିରଳ ଉଦାହରଣ, ଯାହାକି ବହୁତ କମ୍ ଦେଖିବାକୁ ମିଳିଥାଏ।

‘ସମ୍ବାଦ’ଗ୍ରୁପର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଥିଲେ, ୨୦୦୬ ମସିହାରେ ପ୍ରଥମେ ରାଉରକେଲାରେ ତାଙ୍କ ସହ ସାକ୍ଷାତ ହୋଇଥିଲା। ମାତ୍ର ତାଙ୍କ ସ୍ବାସ୍ଥ୍ୟ ଖରାପ ହେବା ପରେ ତିନିଥର ହସ୍ପିଟାଲରେ ଆଡମିଟ୍‌ ହୋଇଥିଲେ। କୌଣସିଥର ତାଙ୍କ ସହ କଥା ହେବାର ସୁଯୋଗ ମିଳି ନଥିଲା ବୋଲି ଅତ୍ୟନ୍ତ ଦୁଃଖର ସହ ଶ୍ରୀମତୀ ପଟ୍ଟନାୟକ କହିଥିଲେ।

‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ କହିଥିଲେ, ଉଭୟ ସମ୍ବାଦ ଓ କନକ ନ୍ୟୁଜ୍ ଗୁରୁବାବୁଙ୍କ ଅନୁପସ୍ଥିତି ଅନୁଭବ କରିବ। ଯେ କୌଣସି ବିଷୟରେ ତାଙ୍କର ପ୍ରଖର ଜ୍ଞାନ ଥିଲା। ସମ୍ବାଦରେ ତ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା, ଏଥିସହିତ ଜଣେ ବିଶେଷଜ୍ଞ ଭାବେ ମଧ୍ୟ କନକଟିଭି ପାଇଁ ଲୋଡ଼ା ପଡ଼ୁଥିଲେ।

‘ସମ୍ବାଦ’ର ମୁଖ୍ୟ ପରିଚାଳନା ଅଧିକାରୀ କମଳାକାନ୍ତ ମହାପାତ୍ର କହିଥିଲେ, ଗୁରୁ ବାବୁଙ୍କ ସହ ପାରିବାରିକ ସଂପର୍କ ରହିଥିଲା। ଏକ ସଂସ୍ଥା ପ୍ରତି ଜଣେ ବ୍ୟକ୍ତିର ଆନୁଗତ୍ୟ କ’ଣ, ତାହା ତାଙ୍କଠାରୁ ଶିଖିବା ଉଚିତ୍।

ମୁଖ୍ୟ ମହାପ୍ରବନ୍ଧକ(ବାର୍ତା) ଅରବିନ୍ଦ ଦାସ କହିଲେ, ଗୁରୁ ବାବୁ ଜଣେ ନିରବ ରତ୍ନ ଥିଲେ। ସାମାଜିକ ଗଣମାଧ୍ୟମରେ ତାଙ୍କ ବିୟୋଗ ନେଇ ଯେଉଁ ପ୍ରତିକ୍ରିୟା ଆସିଛି, ହୁଏତ ନିକଟ ଅତୀତରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ପାଇଁ ଏଭଳି ପ୍ରତିକ୍ରିୟା ଆସିବାର ନଜିର ନାହିଁ। ‘ସମ୍ବାଦ’ ଆରମ୍ଭ ହେବା ସମୟରେ ଏହାର ଦୁଃସ୍ଥିତି ସହିତ ଜଡ଼ିତ ଥିଲେ। ଏପରିକି ପେପର ଗାଡ଼ିରେ ଯିବା ଆଜିର ସମୟରେ ଜଣେ ସାମ୍ବାଦିକ ଏହାକୁ ଅନୁଭବ କରିପାରିବ ନାହିଁ। ୩୬ ବର୍ଷର ସାମ୍ବାଦିକତା ଜୀବନରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିନାହିଁ। ‘ସମ୍ବାଦ’ ତାଙ୍କର ଏକମାତ୍ର ଏଜେଣ୍ଡା ରହିଥିଲା। ୨୦୦୪ ମସିହା‌ରେ ଅସୁସ୍ଥ ହେବା ପରେ ମଧ୍ୟ ସେ ନିଜର ପରିଶ୍ରମ ଜାରି ରଖିଥିଲେ। ପ୍ରତ୍ୟେକ ଦିନ ସଂଧ୍ୟାରେ ହେଉଥିବା ବୈଠକରେ ତାଙ୍କର ଦିଗଦର୍ଶନ ମିଳୁଥିଲା। ତାଙ୍କର ଅନୁପସ୍ଥିତି ନିଶ୍ଚିତ ଅନୁଭବ ହେବ ବୋଲି ଶ୍ରୀ ଦାସ କହିଥିଲେ।

‘ସମ୍ବାଦ’ ଉପ-ମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର ସ୍ବର୍ଗତ ଗୁରୁଙ୍କ ସ୍ମୃତିଚାରଣ କରି କହିଥିଲେ, ‘ସମ୍ବାଦ’ ଗ୍ରୁପର ସେ ରତ୍ନ ଥିଲେ। ତାଙ୍କର ଏକମାତ୍ର ଏଜେଣ୍ଡା ଥିଲା ‘ସମ୍ବାଦ’। ଦିନରାତି ସବୁବେଳେ ସେ କାମରେ ଲାଗି ରହୁଥିଲେ। ତାଙ୍କଠାରୁ ନିରବଚ୍ଛିନ୍ନ ସେବା କରିବାର ଶିକ୍ଷା ମିଳିଛି। ତାଙ୍କର ଅନୁପସ୍ଥିତି ‘ସମ୍ବାଦ’ ସବୁବେଳେ ଅନୁଭବ କରିବ ବୋଲି ଶ୍ରୀମତୀ କର କହିଥିଲେ।

‘ଆମ ଓଡ଼ିଶା’ ସଂପାଦକ ସ୍ବରାଜ ମିଶ୍ର କହିଥିଲେ, ଗୁରୁବାବୁ ଛନ୍ଦ କପଟରୁ ଊର୍ଧ୍ବରେ ରହିଥିଲେ। ଅତ୍ୟନ୍ତ ସ୍ପଷ୍ଟ ଓ ନିର୍ଭୀକ ଭାବେ ନିଜର ମତ ରଖୁଥିଲେ। ନୂଆପିଢ଼ି ତାଙ୍କ ଭଳି ଯୋଗ୍ୟ ହେବାପାଇଁ ଚେଷ୍ଟା କରନ୍ତୁ ବୋଲି ଶ୍ରୀ ମିଶ୍ର କହିଥିଲେ।

ପୌରୁଷର ସଂପାଦକ ଅସିତ ମହାନ୍ତି କହିଥିଲେ, ସମ୍ବଲପୁର ସଂସ୍କରଣରେ ଗୁରୁ ବାବୁଙ୍କ ସହ ପରିଚୟ ହୋଇଥିଲା। ବିଭିନ୍ନ ବିଷୟରେ ତାଙ୍କର ଗଭୀର ଜ୍ଞାନ ରହିଥିଲେ ହେଁ ତାଙ୍କ ମନରେ କୌଣସି ଗର୍ବ ନ ଥିଲା। ଅନ୍ୟକୁ ସଫଳ ଭାବେ ଉପଯୋଗ କରି ‘ସମ୍ବାଦ’କୁ ଆଗେଇ ନେବାର ଗୁଣ ତାଙ୍କଠାରୁ ଶିଖିବା ଉଚିତ୍‌ ବୋଲି ଶ୍ରୀ ମହାନ୍ତି କହିଥିଲେ।

ମହାପ୍ରବନ୍ଧକ(ବାର୍ତା) ହିଫଜୁର ରହମାନ କହିଥିଲେ, ଜଣେ ନିଷ୍ଠାପର ସାମ୍ବାଦିକ ଭାବେ ନୁହେଁ, ପରିଶ୍ରମୀ ଓ ଜ୍ଞାନର ଭଣ୍ଡାର ଥିଲେ ଗୁରୁବାବୁ। କେବଳ ଆଞ୍ଚଳିକ ଖବର ନୁହେଁ, ଜାତୀୟ/ଅନ୍ତର୍ଜାତୀୟ, ବାଣିଜ୍ୟ ଓ କ୍ରୀଡ଼ା ଖବର ଉପରେ ତାଙ୍କର ଆଗ୍ରହ ଥିଲା ଓ ଅନ୍ୟମାନଙ୍କୁ ମାର୍ଗଦର୍ଶନ କରୁଥିଲେ।

ଉପ-ମହାପ୍ରବନ୍ଧକ(ସଂପାଦକୀୟ ପୃଷ୍ଠା) ସିଦ୍ଧାର୍ଥ ମହାପାତ୍ର କହିଥିଲେ, ଦିବଂଗତ ଗୁରୁ ମୋ  ବଡ଼ ଭାଇ ଭଳି ଥିଲେ। ଦୀର୍ଘ ୧୫ ବର୍ଷ ଧରି ମୁଁ ତାଙ୍କ ସହ ଏକାଠି କାମ କରି ଆସୁଛି। ଗତ ୧୫ ଦିନ ତଳେ ମୁଁ ମୋ ମା’ଙ୍କୁ ହରାଇ ଥିଲି ଆଉ ଦୁଇ ଦିନ ତଳେ ଭାତୃପ୍ରତିମ ରଣଜିତ ଗୁରୁଙ୍କୁ ହରାଇଲି। ଏହା ବ୍ୟକ୍ତଗତ ଭାବେ ମୋ ପାଇଁ ଏକ ବଡ଼ କ୍ଷତି।

ଉପ-ମହାପ୍ରବନ୍ଧକ(ବାର୍ତା) ଭବାନୀ ଶଙ୍କର ତ୍ରିପାଠୀ କହିଥିଲେ, ନାଟ୍ୟ ମଣ୍ଡପରୁ ଖେଳ ପଡ଼ିଆ ଓ ସଂପାଦକ ପୃଷ୍ଠା ଭଳି ଅନେକ କ୍ଷେତ୍ରରେ ସ୍ବର୍ଗତ ଗୁରୁ ନିଜର ଛାପ ଛାଡ଼ି ଯାଇଛନ୍ତି। ସଂସ୍ଥାକୁ ଭଲ ପାଇବା ତାଙ୍କର ଆକର୍ଷଣ ଥିଲା। କ୍ବଚିତ୍ ସାମ୍ବାଦିକଙ୍କ ନିକଟରେ ସବୁ କ୍ଷେତ୍ରରେ ୩୬୦ ଡିଗ୍ରିର ଜ୍ଞାନ ରହିଥାଏ। ଖବରର ବିଶ୍ଲେଷଣଠାରୁ ଆଇନର ତର୍ଜମା କରିବାର ତାଙ୍କର କ୍ଷମତା ରହିଥିଲା। ସବୁବେଳେ କହୁଥିଲେ, ‘ସଂପାଦକ’ଙ୍କ ନାଁରେ ଖବରକାଗଜ ପ୍ରକାଶ ପାଉଛି, ତେଣୁ ଖବରକାଗଜରେ ଯେପରି କୌଣସି ତ୍ରୁଟି ନ ହୁଏ, ସେଥିପ୍ରତି ଯତ୍ନ ନେବା ଦରକାର।

କନକ ନ୍ୟୁଜ୍‌ର ସଂପାଦକ ମନୋରଂଜନ ମିଶ୍ର କହିଲେ, ‘ସମ୍ବାଦ’ର ଲାଇବ୍ରେରିକୁ ଯିଏ ଅଧିକ ବ୍ୟବହାର କରୁଥିଲେ, ସେ ହେଉଛନ୍ତି ସ୍ବର୍ଗତ ଗୁରୁ। ଆଞ୍ଚଳିକ ଖବରଠାରୁ ଉର୍ଧ୍ବରେ ରହି ଖବରକୁ କିଭଳି ବିଶ୍ବସ୍ତରୀୟ ଦୃଷ୍ଟିଭଙ୍ଗୀକୁ ଦେଖିବାକୁ ହେବ, ତାହାକୁ ନେଇ ପରୀକ୍ଷାନିରୀକ୍ଷା ଜାରି ରହିଛି। ଜଣେ ବ୍ୟକ୍ତିର ଦେହାନ୍ତ ହୋଇଯାଇପାରେ, ମାତ୍ର ଚିନ୍ତାଧାରା ସବୁବେଳେ ବଞ୍ଚି ରହିବ ବୋଲି ଶ୍ରୀ ମିଶ୍ର କହିଥିଲେ।

‘ସମ୍ବାଦ’ର ଉପ-ମହାପ୍ରବନ୍ଧକ(ବାର୍ତା) ଦେବେନ୍ଦ୍ର ସାମନ୍ତରାୟ କହିଲେ, ସବୁଥିରେ ସଂପୃକ୍ତି ଗୁରୁ ବାବୁଙ୍କ ସବୁଠାରୁ ଭଲ ଗୁଣ ଥିଲା। ୨୦୦୫ ମସିହାରେ କିଡ୍‌ନି ରୋଗରେ ଆକ୍ରାନ୍ତ ହେବା ପରେ ଡାକ୍ତର ତାଙ୍କୁ ଜୀବନ କିମ୍ବା ‘ସମ୍ବାଦ’ ଭିତରୁ ଗୋଟିଏକୁ ବାଛିବା ପାଇଁ କହିଥିଲେ। ହେଲେ ସେ ‘ସମ୍ବାଦ’କୁ ବାଛିଥିଲେ ବୋଲି ଶ୍ରୀ ସାମନ୍ତରାୟ କହିଥିଲେ।

ପରିଶେଷରେ, ‘ସମ୍ବାଦ’ ସଂପାଦକ(ଫିଚର) ଗୌରହରି ଦାସ କହିଥିଲେ, ଜଣେ ସହଯୋଗୀ ଭାବେ ତାଙ୍କ ସହ ଦୀର୍ଘଦିନ ଧରି କାର୍ଯ୍ୟ କରିବାର ସୁଯୋଗ ମିଳିଛି। ଜଣେ ବ୍ୟକ୍ତି କେତେଦିନ ବଞ୍ଚିବ, ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ, ମାତ୍ର କିଭଳି ବଞ୍ଚୁଛି ତାହା ହିଁ ଗୁରୁତ୍ବପୂର୍ଣ୍ଣ। ଗୁରୁବାବୁଙ୍କ ବିୟୋଗରେ ମୃତ୍ୟୁ ମଧ୍ୟ ଲଜ୍ଜିତ ହେଉଥିବ, କାରଣ ତାଙ୍କର ବିୟୋଗରେ ମୃତ୍ୟୁର ବିଶେଷ କିଛି ଭୂମିକା ନାହିଁ। ମୃତ୍ୟୁକୁ ଲଜ୍ଜିତ କରି ଦେଉଥିବା ଭଳି ତାଙ୍କର ବ୍ୟକ୍ତିତ୍ବ ରହିଥିଲା ବୋଲି କହିଥିଲେ।

ଆଜିର ଏହି ଶୋକସଭାରେ ‘ସମ୍ବାଦ’ ଓ କନକ ନ୍ୟୁଜ୍‌ର ବହୁ କର୍ମଚାରୀ ଉପସ୍ଥିତ ରହି ସ୍ବର୍ଗତ ଗୁରୁଙ୍କ ସ୍ମୃତିଚାରଣ କରିଥିଲେ।

ସମ୍ବନ୍ଧିତ ଖବର