ପୁରୀ: ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ, ଦେବୀ ଉତ୍‌ଥାପନ ନୀତି ଶେଷ ପରେ ଆଜିଠାରୁ ମା’ ବିମଳାଙ୍କ ମନ୍ଦିରରେ ଷୋଳପୂଜା ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ସକାଳ ଧୂପ ନୀତି ବଢ଼ିବା ପରେ ମା’ ଭଗବତୀଙ୍କୁ ହଜାରେ ଆଠ ଗରା ଜଳରେ ସ୍ନାନ କରାଯାଇଛି। ଅନ୍ୟପଟେ ଷୋଳପୂଜା ପାଇଁ ଆଜି ରାଜନଅରଠାରେ ଗଜପତି ମହାରାଜାଙ୍କ ଦ୍ବାରା ବ୍ରାହ୍ମଣ ବରଣ ନୀତି ସମ୍ପନ୍ନ ହୋଇଛି। ବରଣ ହୋଇଥିବା ଶୋସ୍ତ୍ରୀୟ ବ୍ରାହ୍ମଣମାନେ ଷୋଳପୂଜାରେ ଆଜିଠାରୁ ବସିଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ସମେତ ଅନ୍ୟ ଦେବୀଙ୍କ ପୀଠରେ ସ୍ବତନ୍ତ୍ର ପୂଜା ଆରମ୍ଭ ହୋଇଛି।

Advertisment

ଚୂଡ଼ାନ୍ତ ନୀତି ଅନୁଯାୟୀ, ମା’ ଦୁର୍ଗା ଦେବୀ ଓ କାଳପୁରୁଷୋତ୍ତମ ଦେବ(ଦୁର୍ଗା-ମାଧବ) ମା' ବିମଳାଙ୍କ ମନ୍ଦିର ଖଟ ଉପରେ ବିଜେ କରିବା ପରେ ନାନାଦି ପୂଜାପାଠ କରାଯାଇଥିଲା। ଖଟ ଉପରେ ବିଜେ ଦେବାଦେବୀଙ୍କଠାରେ ଭିତରଚ୍ଛ ମହାପାତ୍ର ରୁପା ପିଙ୍ଗଣରେ କର୍ପୁର ଜଳ ଲାଗି କରିବା ପରେ ପାଣିପଡ଼ି ଶୀତଳ ଭୋଗ ଲାଗି ହୋଇ ବନ୍ଦାପନା ବଢ଼ିଥିଲା। ମା’ ବିମଳାଙ୍କଠାରେ ସଂଧ୍ୟାଧୂପ ବଢ଼ିବା ପରେ ଭିତରେ ରାତ୍ର ଚନ୍ଦନ ଲାଗି ହୋଇଥିଲା। ଚନ୍ଦନଲାଗି ଶେଷ ପରେ ବିମାନବଡ଼ୁ ସେବକମାନେ ବିମାନରେ ଦୁର୍ଗା-ମାଧବଙ୍କୁ ଭଣ୍ଡାର ଘର ନିକଟକୁ ନେଇଥିଲେ। ପରେ ମହାଜନେ ଦୁର୍ଗା-ମାଧବଙ୍କୁ ଭଣ୍ଡାର ଘରେ ବିଜେ କରାଇଥିଲେ। ଏହାକୁ ଗୁପ୍ତ ଗୁଣ୍ଡିଚା କୁହାଯାଇଥାଏ ବୋଲି ପଣ୍ଡିତ ସୂର୍ଯ୍ୟନାରାଣ ରଥଶର୍ମା କହିଛନ୍ତି। ଅନ୍ୟପଟେ ବରଣ ହୋଇଥିବା ବ୍ରାହ୍ମଣମାନଙ୍କ ଦ୍ବାରା ଷୋଡଶ ଉପଚାରରେ ପୂଜାପାଠ କରାଯାଇଛି। ଅନ୍ୟପଟେ ଷୋଳପୂଜା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବରଣୀୟ ପୂଜକଙ୍କ ମଧ୍ୟରେ ପୂଜା ବାଣ୍ଟିଛି। ପବିତ୍ର ଦଶହରା ପର୍ଯ୍ୟନ୍ତ ପ୍ରତିଦିନ ମନ୍ଦିରରେ ଚଣ୍ଡୀପାଠ, ପୂଜାପାଠ ଆଦି ବିଧି ମୁତାବକ ଅନୁଷ୍ଠିତ ହେବ। ଆଜି ବରଣ ହୋଇଥିବା ବ୍ରାହ୍ମଣମାନେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଶ୍ରୀଅନରରେ ଭେଟି ଷୋଳପୂଜା ସମ୍ପର୍କରେ ଆଲୋଚନା କରିଛନ୍ତି। ସୁବିଧା ଅସୁବିଧା ବୁଝିବା ସହ ପୂଜାକାର୍ଯ୍ୟ ଶୃଙ୍ଖଳିତ ଶେଷ ଉପରେ ଗୁରୁତ୍ବ ଦେଇଛନ୍ତି ଗଜପତି ମହରାଜ।