କୋମନା : ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଠୁଟିବର ଗାଁରେ ଦାଦାବଟି ନଦେବାରୁ ଗୁଳିକାଣ୍ଡ ଘଟିଛି। ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ଜଣେ ମହିଳା ପ୍ରାଣ ହରାଇଛନ୍ତି। ଘଟଣା ପରେ ଅଭିଯୁକ୍ତ ଜଣକ ଫେରାର୍ ମାରିଥିବା ବେଳେ ପୁଲିସ୍ ତଦନ୍ତ ଜାରି ରଖିଛି। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Advertisment

ଗତକାଲି ରାତିରେ ଏହି ଘଟଣା ଘଟିଥିଲା। ସେତେବେଳେ ଠୁଟିବର ଗାଁର ଶରତ ଚନ୍ଦ୍ର ସାହୁଙ୍କ ପରିବାର ଶୋଇଯାଇଥିଲେ। ଏହିସମୟରେ ସେହି ଗାଁର ନୀଳାମ୍ଵର ସୁନା (୩୦ବର୍ଷ) ଆସି ଶରତଙ୍କ ଘର କବାଟକୁ ଜୋର୍‌ରେ ବାଡ଼େଇଥିଲା। ନଖୋଲିଲେ କବାଟ ଭାଙ୍ଗି ଭିତରକୁ ପଶିବ ବୋଲି ଚିତ୍କାର କରିଥିଲା। ଶେଷରେ ବାଧ୍ୟହୋଇ ଶରତ କବାଟ ଖୋଲିଥିଲେ ଏବଂ କାରଣ ପଚାରିଥିଲେ। ଉତ୍ତରରେ ନୀଳାମ୍ବର ୧୦ହଜାର ଟଙ୍କା ଦାଦାବଟି ମାଗିଥିଲେ। ନଦେଲେ ଗୁଳିକରି ହତ୍ୟା କରିବ ବୋଲି ଧମକ ଦେଇଥିଲା। ଖାଲି ସେତିକି ନୁହେଁ, ବନ୍ଧୁକ ଉଠାଇ ଶରତଙ୍କୁ ଗୁଳି କରିବାକୁ ବି ଉଦ୍ୟମ କରିଥିଲା। ଏହାଦେଖି ଶରତଙ୍କ ପତ୍ନୀ କୁମୁଦିନୀ ଶବର (୪୦ବର୍ଷ) ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ସାମ୍ନାକୁ ଆସିଯାଇଥିଲେ। ଫଳରେ, ନୀଳାମ୍ବର ଚଳାଇଥିବା ଗୁଳି ତାଙ୍କ ପେଟରେ ବାଜିଥିଲା ଓ ସେ ତଳେ ପଡ଼ି ଯାଇଥିଲେ। ଏନେଇ ଶରତ କୋମନା ପୁଲିସ୍‌କୁ ଫୋନ୍‌ କରି ଜଣାଇବା ସହ କୁମୁଦିନୀଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ହେଲେ, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋ‌ଷଣା କରିଥିଲେ।

ଖବରପାଇ କୋମନା ଆଇଆଇସି ଜ୍ୟୋତିରଞ୍ଜନ ଗଉଡ଼ଙ୍କ ନେତୃତ୍ବରେ ଏକ ପୁଲିସ୍ ଟିମ୍ ବୁଧବାର ରାତିରେ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଘଟଣା ପରେ ଅଭିଯୁକ୍ତ ନୀଳାମ୍ବର ଫେରାର୍ ହୋଇଯାଇଥିବାରୁ ପୁଲିସ୍‌ ଧରିପାରିନି। ଅନ୍ୟପକ୍ଷରେ, ପୁଲିସ୍ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତ କୁମୁଦିନୀ ତାଙ୍କ ପଛରେ ସ୍ବାମୀ ତଥା ଦୁଇ ଝିଅଙ୍କୁ ଛାଡ଼ିଯାଇଛନ୍ତି। , ଅଭିଯୁକ୍ତ ହାତରେ ବନ୍ଧୁକ ଥିବାରୁ ଗାଁରେ ଭୟର ବାତାବରଣ ଲାଗି ରହିଛି।

ପତ୍ନୀଙ୍କୁ ହତ୍ୟା କରି ଗାଁରେ ବୁଲିଲା

କେନ୍ଦୁଝର :  କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପାଟୁଙ୍ଗ ଗ୍ରାମରେ ଆଜି ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ହତ୍ୟା କରି କବାଟ କିଳି ଦେଇଥିଲା। ପୁଲିସ ଖବର ପାଇ ଶବ ଜବତ କରିବା ସହିତ ସ୍ବାମୀଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି।

ପାଟୁଙ୍ଗ ଗ୍ରାମର ସୋନୁ ମୁଣ୍ଡା ବିଭିନ୍ନ ସ୍ଥାନକୁ ଯାଇ କାମ କରନ୍ତି। ଆଜି କୌଣସି କାରଣକୁ ନେଇ ପତ୍ନୀଙ୍କ ସହ ସୋନୁର ଝଗଡ଼ା ହୋଇଥିଲା। ସୋନୁ ନିଜ ପତ୍ନୀଙ୍କୁ ହାଣି ହତ୍ୟା କରିବାପରେ କବାଟ ବନ୍ଦ କରିଦେଇ ଗାଁରେ ବୁଲୁଥିଲା। ତେବେ, ସନ୍ଧ୍ୟାରେ ସେ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ନେଇ ଗାଁ ଲୋକଙ୍କୁ ନିଜେ କହିଥିଲା। ଫଳରେ ଗ୍ରାମବାସୀ ସୋନୁକୁ କାବୁ କରି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ସୋନୁ ମୁଣ୍ଡାଙ୍କୁ ନିଜ ଅକ୍ତିଆରକୁ ନେବା ସହ ଶବ ଜବତ କରିଛି। ସୋନୁ ମୁଣ୍ଡା ନାମରେ ପୂର୍ବରୁ ଏକାଧିକ ମାମଲା ରହିଥିବା ସୂଚନା ମିଳଛି। ତେବେ କେଉଁ କାରଣକୁ ପତ୍ନୀଙ୍କୁ ହତ୍ୟା କଲା ତାହା ସ୍ପଷ୍ଟ ‌ହୋଇନାହିଁ ବୋଲି ସଦର ଥାନା ଅଧିକାରୀ ସୁନୀଲ କର କହିଛନ୍ତି।