ପୋଲସରା/ ବୁଗୁଡ଼ା: ଗାଁ ମଝିରେ ଦ୍ରୁତ ଗତିରେ ବାଇକ୍‌ ଚଳାଇ ଲୋକଙ୍କୁ ଭୟଭୀତ କରିବା ଓ ଷ୍ଟଣ୍ଟ୍‌ ସୋ ବନ୍ଦ କରିବାକୁ ତାଗିଦ୍‌ କରିବାରୁ ଗୁଳି ଖାଇବାକୁ ପଡ଼ିଛି। ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଗରେଇଝୁଳି ଗ୍ରାମରେ କେନ୍ଦୁବାଡ଼ି ପଞ୍ଚାୟତ ସମିତିସଭ୍ୟ ନରେନ୍ଦ୍ର ସ୍ବାଇଁ (ଲିଟୁ)ଙ୍କ ଉପରକୁ ତିନି ରାଉଣ୍ଡ୍‌ ଗୁଳିମାଡ଼ ହୋଇଛି। ଆକ୍ରମଣକାରୀଙ୍କ ସହ ଧସ୍ତାଧସ୍ତିରେ ନରେନ୍ଦ୍ରଙ୍କ ଦାଦାପୁଅ ଭାଇ ତଥା ଯୋଗାଣ ସହାୟକ ରାଜେଶ ସ୍ବାଇଁ ଓ ଆଉଜଣେ ଯୁବକ ମଧ୍ୟ ଆହତ ହୋଇଛନ୍ତି।

Advertisment

ସୂଚନା ଅନୁସ‌ାରେ, ଗରେଇଝୁଳି ଗ୍ରାମ ହରିଜନ ସାହିର ପାଞ୍ଚଜଣ ଯୁବକ ଗୁରୁମୂର୍ତ୍ତି ନାୟକ, ରଞ୍ଜିତ ନାହାକ, ମନୋଜ ‌ଘଡ଼େଇ, ଅରୁଣ ନାହାକ ଓ ପିଣ୍ଟୁ ନାହାକ ଗତ କିଛିଦିନ ହେଲା ଗ୍ରାମରେ ଆତଙ୍କ ସୃଷ୍ଟି କରୁଥିଲେ। ସାରାଦିନ ଗ୍ରାମର ଗଳିକନ୍ଦିରେ ଦ୍ରୁତ ଗତିରେ ବାଇକ୍ ଚଳାଇ ଲୋକଙ୍କୁ ଗାଳିଗୁଲଜ କରୁଥିଲେ। ଯାହାକୁ ନେଇ ଗତକାଲି ଗ୍ରାମର କିଛି ଯୁବକଙ୍କ ସହ ସେମାନଙ୍କ ପାଟିତୁଣ୍ଡ ହୋଇଥିଲା। ଗତକାଲି ରାତିରେ ନରେନ୍ଦ୍ର ଇଟାଭାଟି ଅନୁକୂଳ ପାଇଁ ଭୋଜିର ଆୟୋଜନ କରିଥିଲେ। ଏହି ସମୟ‌ରେ ଗୁରୁମୂର୍ତ୍ତି ଓ ତାର ସହଯୋଗୀମାନେ ଦ୍ରୁତ ଗତିରେ ଗାଁରେ ବାଇକ୍ ଚଳାଇ ବୁଲୁଥିଲେ। ଇଟାଭାଟିରେ ଥିବା ଗ୍ରାମର ଯୁବକମାନେ ସେମାନଙ୍କୁ ବୁଝାସୁଝା କରିଥିଲେ ହେଁ ଶୁଣି ନଥିଲେ। ପରେ ନରେନ୍ଦ୍ର ସେମାନଙ୍କୁ ଦ୍ରୁତ ଗତିରେ ବାଇକ୍ ନଚଳାଇବାକୁ କହିଥିଲେ। ଯାହାକୁ ନେଇ ଯୁକ୍ତିତର୍କ ହୋଇଥିଲା।

ରାତି ପ୍ରାୟ ସାଢ଼େ ୧୧ଟାରୁ ୧୨ଟା ମଧ୍ୟରେ ନରେନ୍ଦ୍ର ତାଙ୍କ ସହଯୋଗୀଙ୍କ ସହ ଭୋଜି ସାରି ଫେରୁଥିଲେ। ଖଦାଳ ସାହି ନିକଟରେ ଗୁରୁମୂର୍ତ୍ତି ଏବଂ ଅନ୍ୟ ୪ ଜଣ ଯୁବକଙ୍କ ସହ ପୁଣି ବାଇକ୍ ଚଳାଇବାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଗୁରୁମୂର୍ତ୍ତି ପଶୁ ଶିକାର ପାଇଁ ବ୍ୟବହୃତ ଏକ ଦେଶୀ ବନ୍ଧୁକରୁ ନରେନ୍ଦ୍ରଙ୍କ ଉପରକୁ ଗୁଳିମାଡ଼ କରିଥିଲା। ଦୁଇ ଗୋଡ଼ ଓ ଜଂଘରେ ଗୁଳି ବାଜିଥିବା ବେଳେ ଗୁରୁମୂର୍ତ୍ତି ହାତରୁ ରାଜେଶ ବନ୍ଧୁକ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଗୁରୁମୂର୍ତ୍ତିର ସହଯୋଗୀ ରଞ୍ଜିତ ତାଙ୍କୁ ଆକ୍ରମଣ କରିଥିଲା। ରାଜେଶଙ୍କ ସହ ଆଉଜଣେ ଯୁବକ ବି ଆହତ ହୋଇଥିଲେ। ଗ୍ରାମବାସୀଙ୍କ ସହଯୋଗରେ ସମସ୍ତଙ୍କୁ ବୁଗୁଡ଼ା ଡାକ୍ତରଖାନାକୁ ନିଆଯାଇଥିଲା। ନରେନ୍ଦ୍ରଙ୍କୁ ଏବେ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।