ସୁନ୍ଦରଗଡ଼/କୁତ୍ରା: ଆଜି ଭୋର୍‌ ୪ଟା ସମୟରେ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେ’ରେ ଗୁଳିମାଡ଼ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ସ୍କାନ୍‌ ଷ୍ଟିଲ୍‌ ନିକଟରେ ଏହି ଘଟଣା ଘଟିଛି । ଏହି ଗୁଳିମାଡ଼ରେ ଶଳାଭିଣୋଇ ଆହତ ହୋଇଛନ୍ତି। ସେମାନେ ହେଉଛନ୍ତି, ଛତିଶଗଡ଼ ଶକ୍ତି ଜିଲ୍ଲା ଡୋଗରା ଥାନା ଧଉଁରାକୋଟର ବିକ୍ରମ ଟଣ୍ଡନ ଏବଂ ତାଙ୍କ ଶଳା ମାଲଖାରୋଡ୍‌ ଥାନା କିରକାରର ସୁନୀଲ ରତ୍ନାକର। ରତ୍ନାକରଙ୍କ ମୁଣ୍ଡ ଓ ଥୋଡ଼ିରେ ଗୁଳି ଲାଗିଥିବାବେଳେ ବିକ୍ରମଙ୍କ ଛାତିରେ ବାଜିଛି। ଆହତ ବିକ୍ରମଙ୍କ କହିବା ଅନୁସାରେ, ରାଉରକେଲାରେ ଥିବା ତାଙ୍କ ମଉସା ମନୋହରଙ୍କର ବଦଳି ହୋଇଯାଇଥିବାରୁ ତାଙ୍କ ଘର ସାମଗ୍ରୀ ଆଣିବାକୁ ପିକ୍‌ଅପ୍‌ ଗାଡ଼ିରେ ସେମାନେ ରାଉରକେଲା ଯାଉଥିଲେ। ଗଙ୍ଗାଜଳ ନିକଟ ଫାକ୍ଟ୍ରି ଆଗରେ ହଠାତ୍‌ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିଲା। ଗୁଳି ଗାଡ଼ିର କାଚଭେଦି ଦୁହିଁଙ୍କ ଦେହରେ ଲାଗିଥିଲା। ତଥାପି ବିକ୍ରମ ଗାଡ଼ିନେଇ ଆଗକୁ ଚାଲି ଯାଇଥିଲେ। ପରେ ପରିବାର ଲୋକଙ୍କୁ କଲ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲେ।

Advertisment

ଗାଁରୁ ସେମାନେ ଆସି ସେମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତେବେ କିଏ ଓ କାହିଁକି ଗୁଳିମାଡ଼ କଲା, ସେ ସମ୍ପର୍କରେ ବିକ୍ରମ କିଛି କହି ନଥିବାବେଳେ ୧୨୦ କିଲୋମିଟର ଦୂରରୁ ବିକ୍ରମଙ୍କ ଭାଇ ରାଜୁ ଟଣ୍ଡନ, ଦୀପକ ଟଣ୍ଡନ ଓ ଗାଁର ସଞ୍ଜୁ ଭରଦ୍ବାଜ ଆସି ଗୁରୁତରଙ୍କୁ ଉଦ୍ଧାରକରି ଡାକ୍ତରଖାନା ଆଣିବା କଥାକୁ ପୁଲିସ ଗ୍ରହଣ କରିପାରିନାହିଁ। ସେହିପରି, ଘଟଣାସ୍ଥଳରୁ ସମ୍ପୃକ୍ତ ପିକ୍‌ଅପ୍‌ ଗାଏବ ହୋଇଯିବା ଅନେକ ପ୍ରଶ୍ନବାଚୀ ସୃଷ୍ଟିକରିଛି। ତେବେ, ପିକ୍‌ଅପ୍‌ ଭ୍ୟାନ୍‌ ଛତିଶଗଡ଼ରୁ ଜବତ ହୋଇଥିବା ବେଳେ ଗୋରୁ ବେପାରକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ଖବରପାଇ ସୁନ୍ଦରଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ହିମାଂଶୁ ବେହେରା, ଟାଉନ୍‌ଥାନା ଅଧିକାରୀ ଆଦିତ୍ୟ ମହାକୁଲ ପହଞ୍ଚି ତଦନ୍ତ ଚଳାଇଛନ୍ତି।