ରାଉରକେଲା/ବିଶ୍ରା: ବିଶ୍ରା ଥାନା ଅନ୍ତର୍ଗତ ଆଇଟିଆଇ ବସ୍ତିରେ ଆଜି ସକାଳ ପ୍ରାୟ ୮ଟାରେ ପିକ୍‌ଅପ୍‌ ଡ୍ରାଇଭର ମହମ୍ମଦ ରାଜା(୩୨)ଙ୍କୁ ଗୁଳିମାଡ଼ ହୋଇଛି। ଗୋଟିଏ ଗୁଳି ତାଙ୍କ ଡାହାଣ ଛାତିରେ ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବିଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସହରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁଳିମାଡ଼ କରି ଦୁର୍ବୃତ୍ତଦ୍ବୟ ଫେରାର ହୋଇଯାଇଛନ୍ତି। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ମହମ୍ମଦ ରାଜାଙ୍କ ବଡଭାଇଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କୁ ଧରିବାକୁ ଦୁଇଟି ଟିମ୍‌ ଗଠନ କରି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Advertisment

ମିଳିଥିବା ସୂଚନା ମୁତାବକ ମହମ୍ମଦ ରାଜା ପରିବାର ସହ ବିଶ୍ରା ଆଇଟିଆଇ ବସ୍ତିରେ ରହି ପିକ୍‌ଅପ୍‌ ଚଳାନ୍ତି। ତିନିଦିନ ତଳେ ରାଜା ଓ ତାର କିଛି ସାଙ୍ଗ ରାଉରକେଲାକୁ କିଛି କାମରେ ଆସିଥିଲେ। କୌଣସି କଥାକୁ କେନ୍ଦ୍ରକରି ମହତାବରୋଡର କିଛି ଯୁବକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ରାଜାର କିଛି ସାଙ୍ଗ ମହତାବରୋଡ୍‌ ଯୁବକମାନଙ୍କୁ ମାଡ଼ ମାରିଥିଲେ। ପ୍ଲାଣ୍ଟସାଇଟ୍‌ ପୁଲିସ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ହେଲେ ମାଡ଼ ଖାଇଥିବା ଯୁବକମାନଙ୍କ ରାଗ ଶାନ୍ତ ପଡ଼ି ନଥିଲା। ଗତକାଲି ରାତିରେ ସେମାନେ ଏକାଠି ହୋଇ ରାଜା ଓ ତାର ସାଙ୍ଗମାନଙ୍କୁ ମାରିବାକୁ ବିଶ୍ରା ଯାଇଥିଲେ। କୌଣସି ସୂତ୍ରରୁ ବିଶ୍ରା ପୁଲିସ ସୂଚନା ପାଇ ସେମାନଙ୍କୁ ବିଶ୍ରା ବଜାର ପାଖରୁ ଘଉଡ଼ାଇ ଦେଇଥିଲା। ଆଜି ସକାଳ ପ୍ରାୟ ୮ଟାରେ ରାଜା ତାଙ୍କ ଘର ସାମ୍ନାରେ ଛିଡ଼ା ହୋଇ କିଛି ପଡୋଶୀଙ୍କ ସହ କଥା ହେଉଥିବା ବେଳେ ହଠାତ୍‌ ମୋଟର ସାଇକଲରେ ଆସି ଦୁଇ ଦୁର୍ବୃତ୍ତ ପାଟିତୁଣ୍ଡ କରିଥିଲେ। ପ୍ରତିବାଦ କରିବାରୁ ଜଣେ ପକେଟରୁ ପିସ୍ତଲ କାଢ଼ି ରାଜାଙ୍କ ଛାତିକୁ ଗୁଳି ମାରିଥିଲା। ରାଜା ତଳେ ପଡ଼ିଯିବା ପରେ ସେମାନେ ଚମ୍ପଟ ମାରିଥିଲେ। ପରିବାର ଓ ପଡୋଶୀ ରାଜାକୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ରାଉରକେଲା ସରକାରୀ ଡାକ୍ତରଖାନାରେ ରାଜାଙ୍କ ଚିକିତ୍ସାକୁ କେନ୍ଦ୍ରକରି ପରିବାର ଲୋକ ଓ ଡାକ୍ତରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କିଛି ସମୟ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।