ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣା: ଆଉ ୨ଗିରଫ, ୨ଫେରାର

୫୦ଲକ୍ଷ ବଟି ମଗାଯାଇଥିଲା, ହତ୍ୟା କରିବା ଲକ୍ଷ୍ୟରେ ହୋଇଥିଲା ଗୁଳି

ଜୟପୁର: ଗତ ୪ତାରିଖ ଦିନ ଯୁବ ବ୍ୟବସାୟୀଙ୍କ ପ୍ରତି ୨ରାଉଣ୍ଡ ଗୁଳି ମାଡ ମାମଲାର ପରଦା ହଟାଇଛି ଜିଲ୍ଲା ପୁଲିସ। ଯୁବବ୍ୟବସାୟୀ ଆଦର୍ଶ ଅଗ୍ରୱାଲଙ୍କୁ ହତ୍ୟା କରିବା ଯୋଜନାରେ ହିଁ ହୋଇଥିଲା ଗୁଳିମାଡ। ତେବେ ଭାଗ୍ୟବଶତଃ ସେ ବଂଚିଯାଇଥିଲେ। ଏବଂ ଏହି ଗୁଳି ଦୁଇଟି ତାଙ୍କ କାରର କବାଟରେ ବାଜିଥିଲା। ୫୦ଲକ୍ଷର ବଟି ଆଦାୟକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ହୋଇଥିବା  ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କୋରାପୁଟଏସପି ଅଭିନବ୍ ସୋନକର। ଏହି ମାମଲାର ମାଷ୍ଟର ମାଇଣ୍ଡକୁ ପୁଲିସ ୨୪ଘଣ୍ଟା ବ୍ୟବଧାନରେ ଧରିଥିବା ବେଳେ ଆଉ ୨ଅଭିଯୁକ୍ତଙ୍କୁ ଗତ କାଲି ଧରିଛି।

ଗିରଫ ଦୁଇ ଅଭି‌ଯୁକ୍ତ ହେଲେ ଯମୁନା ଗୁଡାର ଫିରୋଜ ନାଗ ଓ ପ୍ରମୁଖ ସହଯୋଗୀ ହାନାଗୁଡାର ଅଭିଯୁକ୍ତ ସଚିନ ନାୟକ। ଏହି ମାମଲାରେ ଫେରାର ଥିବା ଆଉ ପ୍ରମୁଖ ଅଭିଯୁକ୍ତ ହେଲେ ଜୟନଗର ଅଂଚଳର ଇମ୍ରାନ ଖାନ, ବ୍ଲକ କଲୋନୀ ଅଂଚଳର ଟୁଲୁ ଓରଫ ସାହିଲ ଖୋସ୍ଲା। ପୁଲିସ ସ୍କାନରରେ ଅଭିଯୁକ୍ତ ଦ୍ବୟ ରହିଥିବା ବେଳେ ସେମାନଙ୍କ ସହ ସଂପର୍କରେ ଥିବା ସମସ୍ତଙ୍କ ଉପରେ ତୀକ୍ଷଣ୍ ନଜର ରଖିଥିବା କହିଛନ୍ତି ଏସପି। ଅତି ଶୀଘ୍ର ଏହି ଦୁଇ ଜଣଙ୍କୁ ମଧ୍ୟ ଧରାଯିବ ବୋଲି କହିଛନ୍ତି। ସେଭଳି ସରକାରୀ ଆଇନକୁ ଉଲଂଘନ କରି ପ୍ରି-ଆକ୍ଟିଭେଟଡ୍ ସିମ୍ ବିକ୍ରୀ କରିଥିବା ୪ଜଣଙ୍କ ନାଁରେ ବି ମାମଲା ରୁଜୁ କରାଯାଇଥିବା କହିଛନ୍ତି। ତେବେ ଦୀର୍ଘ ବର୍ଷ ଧରି ଅଂଜନୀ ଅଗ୍ରୱାଲଙ୍କ ପରିବାରରେ କାମ କରି ଆସୁଥିବା ଜଣେ କର୍ମଚାରୀଙ୍କ ପୁଅ ଅଭିଯୁକ୍ତ ସଚିନ ନାୟକ ମାଷ୍ଟରମାଇଣ୍ଡ ଓ ଦୁର୍ଦ୍ଧାନ୍ତ ଅପରାଧିଙ୍କ ପ୍ରମୁଖ ସହଯୋଗୀ ହୋଇଥିବା ନଜରକୁ ଆସିଛି।

ସୂଚନା ଅନୁଯାୟୀ, ଏହି ମାମଲାର ମାଷ୍ଟର ମାଇଣ୍ଡ ଥିଲେ ମୁଖ୍ୟଅଭିଯୁକ୍ତ ଅଭିଜିତ୍ ଓରଫ ଜିତ୍ ମହୁରିଆ । ସେ ଏକ ମାମଲାରେ ବିଚାରବିଭାଗୀୟ ହାଜତକୁ ଯାଇ ଗତ ୯ମାସ ତଳେ ଜାମିନରେ ଆସିଥିଲେ। ପୁଲିସ ରେକର୍ଡରେ ଦୁର୍ଦ୍ଧାନ୍ତ ଅପରାଧି ଥିବା ଅଭିଯୁକ୍ତ ଜିତ୍ ସହ ଦୁର୍ଦ୍ଦାନ୍ତ ଅପରାଧି ତଥା ଗଂଜେଇ ମାମଲାରେ ଗିରଫ ହୋଇଥିବା  ଇମ୍ରାନ, ବ୍ଲକ କଲୋନୀ ଅଂଚଳର ଟୁଲୁ ଓରଫ ସାହିଲ ଖୋସ୍ଲା, ଜମୁନାଗୁଡାର ଫିରୋଜ ଆଦିଙ୍କ ମଧ୍ୟରେ ବନ୍ଧୁତା ରହିଥିଲା। ଏହି ଚାରିଜଣ ମିଶି ସହରର ବଡ ବ୍ୟବସାୟୀଙ୍କ ଠାରୁ ବଟି ଆଦାୟ କରିବା ପାଇଁ ଷଡଯନ୍ତ୍ର କରିଥିଲେ। ଜିତ୍ ସହ ବନ୍ଧୁତା ଥିବା ସଚିନ ନାୟକ ବିଶିଷ୍ଟ ବ୍ୟବସାୟୀ ପବନ ଅଗ୍ରୱାଲଙ୍କ ମାରୁତି ସର୍ଭିସ ସେଣ୍ଟରରେ କାମ କରୁଥିଲେ। ସଚିନଙ୍କ ବାପା ସଂଜୀବ ନାୟକ ମଧ୍ୟ ଦୀର୍ଘ ବର୍ଷ ଧରି ଅଗ୍ରୱାଲ ପରିବାରରେ କାମ କରି ଆସୁଥିଲେ।

ବେନିୟମ ସିମ୍ ବିକ୍ରେତାଙ୍କ ନାଁରେ ରୁଜୁ ହେଲା ମାମଲା

ନିଜ ସୋ-ରୁମରେ କାମ କରୁଥିବା କର୍ମଚାରୀ ସଂପୃକ୍ତ

ଗଂଜେଇ ଚାଲାଣ, ମାଉଜର ଓ ବଟି ଆଦାୟ  ଆଦିକୁ ରୋକିବା ପାଇଁ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ ‌-ଏସପି

ସଚିନ ସୋରୁମରେ କାମ କରିବା ସହ ପବନ ଅଗ୍ରୱାଲଙ୍କ ପରିବାର ସହ ଘରୋଇ ସଂପର୍କରେ ରହିଥିବାରୁ ତାଙ୍କ ଘରର ସମସ୍ତ ସଦସ୍ୟଙ୍କ ସଂପର୍କରେ ଏବଂ କାହାକୁ ଅପହରଣ କିମ୍ବା ହତ୍ୟା କରିବାକୁ ଧମକ ଦେଲେ ବଟି ଟଙ୍କା ମିଳି ପାରିବ ସେ ସଂପର୍କରେ ଜିତଙ୍କୁ ଜଣାଉଥିଲେ। ଏହା ସହ ପବନ ଅଗ୍ରୱାଲଙ୍କ ଫୋନ ନମ୍ବର ବି ଜିତଙ୍କୁ ଦେଇଥିଲେ। ବଟି ଆଦାୟ କରିବା ପାଇଁ ଅଭିଯୁକ୍ତ ମାନେ ପ୍ରି-ଆକ୍ଟିବେଟଡ ସିମ୍ ବ‌ୋରିଗୁମ୍ମାରୁ ୩ଟି ଓ ନବରଙ୍ଗପୁରରୁ ଗୋଟିଏ ସଂଗ୍ରହ କରିଥିଲେ। ଏହି କାମ ପାଇଁ ନୂଆ ୩ଟି ମ‌ୋବାଇଲ ବି କିଣାଯାଇଥିଲା। ସେହି ନୂଆ ସିମ୍ ଓ ମୋବାଇଲରେ ପବନଙ୍କୁ ଫୋନ କରି ୫୦ଲକ୍ଷର ବଟି ଦେବାକୁ ଦାବି କରିବା ସହ ଦାବି ମୁତାବକ ଟଙ୍କା ନ ଦେଲ ତାଙ୍କ ପୁଅକୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ  ମାଷ୍ଟରମାଇଣ୍ଡ ଅଭିଯୁକ୍ତ ଜିତ୍ ଓ ଅଭିଯୁକ୍ତ ଇମ୍ରାନ ବୋଲି କହିଛନ୍ତି ଏସପି। ପବନ ବାରମ୍ବାର ଅଭିଯୁକ୍ତଙ୍କୁ ଏତେ ଟଙ୍କା ଦେବା ତାଙ୍କ ପକ୍ଷରେ ସକ୍ଷମ ନାହାନ୍ତି ଏବଂ  ଟଙ୍କାର ପରିମାଣ କମାଇବାକୁ ଅନୁରୋଧ କରି ଆସୁଥିଲେ।

ଏହାରି ମଧ୍ୟରେ ସେ ଅଭିଯୁକ୍ତଙ୍କ ଫୋନ ନମ୍ବରକୁ ବ୍ଲକ କରିଦେବା ସହ ଆଉ ଏମାନଙ୍କ ଫୋନ ଉଠାଇ ନଥିଲେ। ଅଭିଯୁକ୍ତ ମାନେ ସବୁ ବେଳେ କଥା ହେଉଥିବା  ସିମ୍ ବଦଳାଇ ଅନ୍ୟ ସିମ୍ ବ୍ୟବହାର କରି ପବନଙ୍କ ସହ କଥା ହୋଇଥିଲେ। ଗତ ୨୬ତାରିଖ ସୁଦ୍ଧା ଦାବି ମୁତାବକ ଟଙ୍କା ନ ଦେଲେ ସେମାନେ କହିବା ମୁତାବକ ତାଙ୍କ ପୁଅକୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଏହାରି ମଧ୍ୟରେ ସଚିନ୍ ବାରିଣୀପୁଟ ନେକ୍ସା ସୋ ରୁମରୁ ଆଦର୍ଶ ଘରକୁ କେଉଁ ସମୟରେ ଆସୁଛି, କେଉଁ କେଉଁ ସ୍ଥାନରେ ରହୁଛି, ଘରକୁ କେତେ ବେଳେ ପହଚୁଂଛି ସମସ୍ତ ବିବରଣୀ ଦେଇଥିଲେ। ୪ତାରିଖ ପୂର୍ବରୁ ୪ଅଭିଯୁକ୍ତ ରେକି କରିଥିଲେ। ୪ତାରିଖ ଦିନ ସଚିନ ଆଦର୍ଶ ବାହାରିବା ଆଦି ସଂପର୍କରେ ସୂଚନା ଦେଇଥିଲେ। ଡେଙ୍ଗାତୋଟା ଶ୍ମଶାନ ନିକଟରେ ପୂର୍ବ ଯୋଜନା ମୁତାବକ ଅଭିଯୁକ୍ତ ଜିତ୍ ଓ ଇମ୍ରାନ୍ ଆଦର୍ଶକୁ ହତ୍ୟା କରିବା ପାଇଁ ବନ୍ଧୁକ ନେଇ ଅପେକ୍ଷା କରି ରହିଥିଲେ। ଆଦର୍ଶ ନିଜର ଏକ୍ସୟୁଭି ଗାଡି ନେଇ ଘରକୁ ଖାଇବାକୁ ଆସିବା ସମୟରେ ରାସ୍ତାର ଦୁଇ ପାର୍ଶ୍ବରେ ମୁହଁରେ ମାସ୍କ ଓ କ୍ୟାପ ପିନ୍ଧି ଠିଆ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣେ ରାସ୍ତା ଉପରକୁ ଆସି କାରକୁ ଅଟକାଇଥିଲେ।

ଏମାନଙ୍କର ବେଶଭୁଷା ଓଗାଡି ଅଟକାଇବା ଦେଖି ଆଦର୍ଶ ଗାଡ଼ିର ବେଗ ବଢ଼ାଇ ଦେଇଥିଲେ।  ଅଭିଯୁକ୍ତ ଜିତ୍ ଓ ଅଭିଯୁକ୍ତ ଇମ୍ରାନ ଧରିଥିବା ବନ୍ଧୁକରେ ଆଦର୍ଶଙ୍କୁ ଲକ୍ଷ୍ୟ କରି ଦୁଇ ରାଉଣ୍ଡ ଗୁଳି ପୁଟାଇଥିଲେ। ତେବେ ତାଙ୍କୁ ସେହି ଗୁଳି ବାଜିବା ବଦଳରେ ଗାଡ଼ିର କବାଟକୁ ବାଜି ଥିଲା। ଏବଂ ସେ ଦ୍ରୁତ ବେଗରେ ନିଜ ମାରୁତି ସର୍ଭିସ ଷ୍ଟେସନକୁ ଗାଡ଼ି ନେଇକି ପଳାଇଥିଲେ। ଏହା ପରେ ଅଭିଯୁକ୍ତ ଦ୍ବୟ ଲତାବୁଧା ମଧ୍ୟକୁ ଯାଇ ଫେରାର ହୋଇଯାଇଥିବା ତଦନ୍ତ ବେଳେ ଜଣା ପଡ଼ିଥିବା କହିଛନ୍ତି ଏସପି। ଜିଲ୍ଲାରେ ବନ୍ଧୁକ ତିଆରି ହେଉଥିବା କିଛି ସୂଚନା ମିଳି ନାହିଁ, ଅନ୍ତଃରାଜ୍ୟରୁ ଏହି ବନ୍ଧୁକ ଆସିଥିବା ସୂଚନା ମିଳିଛି। ଏହି ମାମଲାର ତିନି ଜଣ ଦୁର୍ଦାନ୍ତ ଏବଂ ପେସାଦାର ଅପରାଧି ଏବଂ ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ଗୁଡିକ ରହିଛି।

ଗଂଜେଇ ଚାଳାଣ ମାମଲାରେ ଅଭିଯୁକ୍ତ ଇମ୍ରାନ ନାଁରେ ମାମଲା ବି ରହିଛି। ଜୟପୁର ଏସଡିପିଓ ହରିଶ ବି.ସିଙ୍କ ନେତୃତ୍ବରେ କୋରାପୁଟ ଏସଡିପିଓ ମନୋଜ ପୁଜାରୀ, ଜୟପୁର ଟାଉନଥାନାଅଧିକାରୀ ସମ୍ବିତ ବେହେରା, ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି, କୋରାପୁଟ ଟାଉନଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କୁ ନେଇ ଟିମ୍ ଗଠନ କରି ଏହି ସଫଳତା ମିଳିଛି ବୋଲି ଏସପି କହିଛନ୍ତି।  ଗଂଜେଇ ଚାଳାଣ, ମାଉଜର ବ୍ୟବସାୟ ଓଟଙ୍କା କାରବାର, ବଟିଆଦୟ ଆଦିକୁ ରୋକିବା ପାଇଁ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇଛି। ମାଉଜର ବ୍ୟବସାୟୀଓ ଗଂଜେଇ ବ୍ୟବସାୟୀଙ୍କ ମଧ୍ୟରେ କିଛି ସ୍ବତନ୍ତ୍ର ଅପରାଧି ରହିଛନ୍ତି, କିଛି ଜଣ ମାଉଜର ବ୍ୟବସାୟ ବି କରୁଛନ୍ତି ସେ ନେଇ କିଛି ଠୋସ୍ ପ୍ରମାଣ ମିଳିବା ସହ କିଛି ଜଣଙ୍କୁ ପୁଲିସ ଚିହ୍ନଟ କରିଛି। ଏମାନଙ୍କୁ ମଧ୍ୟ ଧରାଯିବ ବୋଲି କହିଛନ୍ତି ଏସପି।

ତେବେ ଗତ ପେବୃଆରୀ ମାସରୁ ପବନ ଅଗ୍ରୱାଲଙ୍କୁ ବଟି ଆଦାୟ ପାଇଁ ଧମକ ପୁର୍ଣ୍ଣ କଲ ଯାଇଥିବା ବେଳେ ସେ ଘଟଣା ଦିନ ହିଁ ପୁଲିସରେ ଅଭିଯୋଗ କରିଥିବା କହିଛନ୍ତି ଏସପି। ମିଳିଥିବା ସିମର କଲ ଡିଟେଲ ଆଦି ଯାଂଚ କରାଯାଉଛି, ଆଉ କାହାରିକୁ ବଟି ଆଦାୟ କିମ୍ବା ଅନ୍ୟ କିଛି ଧମକ୍ ଚମକ୍ ଦିଆଯାଇଥିଲା କି ନାହିଁତାହାର ତଦନ୍ତ ଜାରୀ ରହିଛି । ସେଭଳି କିଛି ସୂଚନା ମିଳିଲେ ଏହି ମାମଲାରେ ଯୋଡା ଯିବ ବୋଲି କହିଛନ୍ତି ଏସପି। ଦ୍ବିତୀୟ ଥର ପାଇଁ ପୁଣି ରିମାଣ୍ଡରେ ଅଣାଯାଇଥିବା ଜିତଙ୍କୁ ଆଜି ଅନ୍ୟ ଦୁଇ ଅଭିଯୁକ୍ତଙ୍କ ସହ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ କରାଯାଇଥିଲା। ତଦନ୍ତ ପାଇଁ ଆହୁରି ଦରକାର ପଡ଼ିଲେ ଏମାନଙ୍କୁ ପୁଣି ରିମାଣ୍ଡରେ ପୁଲିସ ଆଣିବ ବୋଲି କହିଛନ୍ତି ଏସପି।

 

ସମ୍ବନ୍ଧିତ ଖବର