ରାଉରକେଲା: ରବିବାର ଯୁବ ହଷ୍ଟେଲ ରାଉରକେଲା ଶାଖା ପକ୍ଷରୁ ସେକ୍ଟର-୨ ଦୁର୍ଗାପୂଜା ପଡ଼ିଆରେ ଆୟୋଜିତ ମିନି ମାରାଥନ୍ରେ ଗୁଳିମାଡ଼ ହୋଇଛି। ଏଥିରେ ଅଂଶଗ୍ରହଣ କରିବାକୁ ଆସିଥିବା ଛାତ୍ରଛାତ୍ରୀ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗୁଳି ମାଡ଼ରେ ସଙ୍ଗଠନର ସଦସ୍ୟ ସଲିଲ ସାହୁ (୪୬) ଆହତ ହୋଇଛନ୍ତି। ତାଙ୍କ ଡାହାଣ ପାର୍ଶ୍ବ ପିଠିରେ ଗୁଳି ବାଜିଥିବା ବେଳେ ଚିକିତ୍ସା ପାଇଁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ଭର୍ତ୍ତି କରାଯାଇଛି। ସଲିଲଙ୍କ ଲିଖିତ ଅଭିଯୋଗ ଆଧାରରେ ସେକ୍ଟର-୩ ପୁଲିସ ମାମଲା ରୁଜୁ କରିଛି। ତେବେ କିଏ ଓ କାହିଁକି ସଲିଲଙ୍କୁ ଗୁଳିମାଡ଼ କରିଛି ତାହା ସ୍ପଷ୍ଟ ହୋଇନି। ପାରିପାର୍ଶ୍ବିକ ସ୍ଥିତି, ମିନି ମାରାଥନ୍ର ଆୟୋଜକ କମିଟି କର୍ମକର୍ତ୍ତାଙ୍କ ବୟାନ ଅନୁଯାୟୀ ପୁଲିସ ଘଟଣାର ତଦନ୍ତ ଚଳାଇଛି। ଡିଏସ୍ପି ପୁଷ୍ପାଞ୍ଜଳି ନିଙ୍ଗି କହିଛନ୍ତି ଘଟଣାସ୍ଥଳରୁ ଗୁଳି ଓ ଖୋକା ଜବତ ହୋଇଛି। ସଲିଲଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। ଗୁଳିମାଡ଼ କରିଥିବା ଦୁର୍ବୃତ୍ତକୁ ଧରିବାକୁ ପୁଲିସ ଉଦ୍ୟମ ଜାରି ରଖିଛି।
ଆୟୋଜକ ସଦସ୍ୟ ଆହତ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ
ଗୁଳି ଓ ଖୋକା ଜବତ, ପୁଲିସର ତନାଘନା
ସୂଚନା ମୁତାବକ ଆଜି ଯୁବ ହଷ୍ଟେଲ୍ ରାଉରକେଲା ଶାଖା ପକ୍ଷରୁ ମିନି ମାରାଥନ୍ର ଆୟୋଜନ କରାଯାଇଥିଲା। ସକାଳ ପ୍ରାୟ ସାଢ଼େ ୬ଟାରେ ସେକ୍ଟର-୨ ଦୁର୍ଗାପୂଜା ପଡ଼ିଆରେ ଯୁବ ହଷ୍ଟେଲ୍ର କର୍ମକର୍ତ୍ତାମାନେ ପହଞ୍ଚିଥିଲେ। ରେଳବାଇ ଚାକିରି କରୁଥିବା ସେକ୍ଟର-୧୬ର ସଲିଲ ସାହୁ ପଞ୍ଜୀକରଣ ଦାୟିତ୍ବରେ ଥିଲେ। ସଲିଲ ଭାଗ ନେବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ କରୁଥିବାବେଳେ ଗୁଳି ଫୁଟିବା ଶବ୍ଦ ହୋଇଥିଲା। ହଠାତ୍ ଗୁଳି ଶବ୍ଦ ଶୁଣି ଛାତ୍ରଛାତ୍ରୀ ପଞ୍ଜୀକରଣସ୍ଥଳରୁ ଏଣେତେଣେ ଦୌଡ଼ି ପଳାଇଥିଲେ। ପଞ୍ଜୀକରଣ କରୁଥିବା ସଲିଲ ମଧ୍ୟ କିଛି ଜାଣିପାରି ନଥିଲେ। ତାଙ୍କ ଡାହାଣପାର୍ଶ୍ବ ପିଠିରୁ ରକ୍ତ ବାହାରୁ ଥିବା ଦେଖି ପାଟି କରିଥିଲେ। ଆୟୋଜକ ସଙ୍ଗଠନର କର୍ମକର୍ତ୍ତାମାନେ ତାଙ୍କୁ ଚିକିତ୍ସା ପାଇଁ ଆଇଜିଏଚ୍ରେ ଭର୍ତ୍ତି କରିଥିଲେ। ଖବର ପାଇ ଡିଏସ୍ପି ପୁଷ୍ପାଞ୍ଜଳି ନିଙ୍ଗି ଓ ସେକ୍ଟର-୩ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରେ ପଡ଼ିଥିବା ଖୋକାକୁ ଜବତ କରିଥିଲେ। ଗତ ସପ୍ତାହକ ପୂର୍ବରୁ ସେକ୍ଟର-୩ ଥାନା ଅଞ୍ଚଳରୁ ପୁଲିସ ଚୋରା ବନ୍ଧୁକ ଜବତ କରିଥିଲା। ଏହି ଘଟଣାରେ ପୁଲିସ ଦୁଇଜଣକୁ ଗିରଫ କୋର୍ଟ ଚାଲାଣ କରିଥିଲା। ତେବେ ମିନି ମାରାଥନ୍ରେ ଆୟୋଜକ ସଲିଲଙ୍କୁ ଗୁଳିମାଡ଼ କରାଯିବା ପଛରେ କ’ଣ କାରଣ ରହିଛି, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।