ଶ୍ରୀମନ୍ଦିର ସମ୍ମୁଖ ଗୁଳିକାଣ୍ଡ ଘଟଣା: ବାପପୁଅ ଗିରଫ, ମିଳିଲା ୪ ପିସ୍ତଲ

ହତ୍ୟା ପଛରେ ଥିଲା ପ୍ରେମ ବ୍ୟାପାର
ଗୁନ ସିଂହାରୀ ପୁତୁରାଠୁ ଆଣିଥିଲା ପିସ୍ତଲ
ଭୟରେ ଘରୁ ଲୁଚି ପଳାଇଲେ ଚନ୍ଦନ ମା’, ଭାଇ

ପୁରୀ : ଶ୍ରୀମନ୍ଦିର ସମ୍ମୁଖରେ ସେବାୟତଙ୍କୁ ଗୁଳି କରି ହତ୍ୟା ପଛରେ ପ୍ରେମ ବ୍ୟାପାର ହିଁ ମୂଳ କାରଣ ବୋଲି ସ୍ପଷ୍ଟ ହୋଇଛି। ଗତକାଲି ଏହି ଘଟଣାରେ ପୁଲିସ ମୃତକଙ୍କ ସାନଭାଇର ସାଙ୍ଗ ଚନ୍ଦନ ବାରିକ(୨୧)କୁ ଗିରଫ କରିଥିବା ବେଳେ ଆଜି ତାର ବାପା ଲକ୍ଷ୍ମୀଧର ବାରିକ(୪୫) ଓ ସାନ ଭାଇ ଦୀପକ ବାରିକ(୧୯)କୁ ଗିରଫ କରିଛି। ଚନ୍ଦନ ଗୁଳିକାଣ୍ଡ ଘଟାଇଥିବାବେଳେ ତାର ବାପା ଓ ଭାଇ ଏହି ଷଡ଼୍‌ଯନ୍ତ୍ରରେ ସହଯୋଗ କରିଥିଲେ ବୋଲି ପୁଲିସ କହିଛି। ସେପଟେ ଅଭିଯୁକ୍ତ ଚନ୍ଦନ ଘରୁ ଆଜି ଆହୁରି ୩ଟି ପିସ୍ତଲ ଜବତ ହୋଇଛି। ଏତେ ସଂଖ୍ୟାର ପିସ୍ତଲ ଚନ୍ଦନ ଘରୁ ମିଳିବା ପରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସମାଲୋଚନା ଜୋର ଧରିଥିବାବେଳେ ପିସ୍ତଲ ଯୋଗାଣ ପଛରେ ଗୁନ ସିଂହାରୀଙ୍କ ପୁତୁରାର ହାତ ରହିଥିବା ଚନ୍ଦନ ପୁଲିସ ଆଗରେ ସ୍ବୀକାର କରିଛି। ପୁଲିସ ଏହି ସୂଚନା ପାଇବା ପରେ ରହସ୍ୟ ଭେଦ ପାଇଁ ୫ଟି ଟିମ୍‌ ଗଠନ କରି ତଦନ୍ତକୁ ଜୋରଦାର କରିଛି।

ଗତକାଲି ରାତିରେ ଶ୍ରୀମନ୍ଦିର ସମ୍ମୁଖ ଏମାର ମଠ ପ୍ରବେଶ ପଥ ନିକଟରେ ଲୋକନାଥଙ୍କ ସେବକ ତଳୁଚ୍ଛ ସାହିର ଶିବରାମ ପାତ୍ର(୨୨)ଙ୍କୁ ଗୁଳି କରି ହତ୍ୟା କରିଥିଲା ଚନ୍ଦନ। ପୁଲିସ ଖୋଳତାଡ଼ ପରେ ଜାଣିବାକୁ ପାଇଛି କି ଅଭିଯୁକ୍ତ ଚନ୍ଦନ ସହ ମୃତ ଶିବରାମର ଭଉଣୀ ମଧ୍ୟରେ ଦୀର୍ଘ ୩ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ତେବେ ପ୍ରେମ ବ୍ୟାପାରକୁ ନେଇ ଦୀର୍ଘ ଏକ ବର୍ଷ ଧରି ଦୁଇ ପରିବାର ମଧ୍ୟରେ ବିବାଦ ରହିଥିଲା। ତେଣୁ ମୃତ ଶିବରାମଙ୍କ ବାପା ରବିନାରାୟଣ ପାତ୍ର ଗତକାଲି ଦେଇଥିବା ଲିଖିତ ଅଭିଯୋଗକୁ ଭିତ୍ତି କରି ସିଂହଦ୍ବାର ଥାନା ପୁଲିସ ଏକ ମାମଲା ରୁଜୁ କରିଥିଲା। ଏହି ଅଭିଯୁକ୍ତମାନଙ୍କ ଘରେ ଗତକାଲି ପୁଲିସ ଚଢ଼ଉ କରି ହତ୍ୟାକାଣ୍ଡରେ ବ୍ୟବହୃତ ପିସ୍ତଲ ସହ ସମୁଦାୟ ୪ଟି ପିସ୍ତଲ ଜବତ କରିଥିଲା। ମିଳିଥିବା ପିସ୍ତଲ କେଉଁଠୁ ଆସିଲା, କେମିତି ଆସିଲା, ତାର ମୂଳ ଖୋଜି ବାହାର କରିବା ପାଇଁ ୫ଟି ଟିମ୍‌ ଗଠନ କରାଯାଇଥିବା ଏସ୍‌ପି କେ ବିଶାଳ ସିଂ କହିଛନ୍ତି।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ତଳୁଚ୍ଛ ସାହିର ମୃତ ଶିବରାମଙ୍କ ଭଉଣୀଙ୍କ ସହ ସେହି ସାହିରେ ଭଡ଼ାରେ ରହୁଥିବା ଚନ୍ଦନର ପ୍ରେମ ସମ୍ପର୍କ ରହିଥିଲା। ଚନ୍ଦନର ମା’ ମଧ୍ୟ ଶିବରାମଙ୍କ ଘରକୁ ଯାଇ ବିବାହ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏଥିରେ ଶିବରାମଙ୍କ ପରିବାର ଲୋକେ ସହମତ ନ ଦେଇ କମେଣ୍ଟ ମାରିବା ଜାରି ରଖିଥିଲେ। ଏଥିରେ ଉତ୍‌କ୍ଷୀପ୍ତ ହୋଇ ଚନ୍ଦନ ଗତକାଲି ଶିବରାମକୁ ଗୁଳି କରି ସିଂହଦ୍ବାର ଥାନାରେ ଆତ୍ମସମର୍ପଣ କରିଥି‌ଲା।

ଶିବରାମଙ୍କୁ ଚନ୍ଦନ ଗୁଳି କରି ହତ୍ୟା କରିବା ଘଟଣା ପ୍ରଚାର ହେବା ପରେ ଶିବରାମଙ୍କ ସମର୍ଥକମାନେ ଗତ ରାତିରେ ଚନ୍ଦନଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ପୁଲିସ ମଧ୍ୟ ସେଠାକୁ ଯାଇ ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ କରିଥିଲା। ଶିବରାମଙ୍କ ବାପା ରବିନାରାୟଣଙ୍କ ଅଭିଯୋଗକୁ ଭିତ୍ତି କରି ଗତକାଲି ପୁଲିସ ଚନ୍ଦନର ବାପା ଓ ଭାଇକୁ ଥାନାରେ ଅଟକ ରଖିଥିଲା। ଆଜି ଚନ୍ଦନ ସହ ତାର ବାପା ଓ ଭାଇଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟପଟେ ଭୟରେ ଚନ୍ଦନର ସାନ ଭାଇ ଓ ମା’ ଘର ଛାଡ଼ି ଅନ୍ୟତ୍ର ଚାଲିଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର