ମହାକାଳପଡ଼ା‌ରେ ଗୁଳିମାଡ଼: ବାପା ମୃତ, ମା’ ପୁଅ ଗୁରୁତର

ଦୁଇ ଦୁର୍ବୃତ୍ତଙ୍କୁ କାବୁ କରି ନିସ୍ତୁକ ମାଡ଼

ମହାକାଳପଡା : ମହାକାଳପଡ଼ା ବ୍ଲକ୍‌ ଅଳାଇଲୋ ପଞ୍ଚାୟତର ବବକରପୁର ଗ୍ରାମରେ ଶନିବାର ଦିନ ଦ୍ବିପ୍ରହରରେ ଗୁଳିକାଣ୍ତ ଘଟିଛି। ଗୁଳିମାଡ଼ରେ ଗୋଟିଏ ପରିବାରର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ପତ୍ନୀ ଓ ପୁତ୍ର ଗୁରୁତର ଆହତ ହୋ‌ଇଛନ୍ତି। ଗୁଳିମାଡ଼ କରିଥିବା ଦୁଇ ଦୁର୍ବୃତ୍ତଙ୍କୁ କାବୁ କରି ଲୋକେ ନିସ୍ତୁକ ପିଟିଛନ୍ତି। ଏହି ଘଟଣାର ପ୍ରତିବାଦରେ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଗୁଳିମାଡ଼ର କାରଣ କିନ୍ତୁ ଏଯାଏ ସ୍ପଷ୍ଟ ହୋଇନି। ତେବେ ଏହି କାଣ୍ଡ କରିବାକୁ ସେମାନଙ୍କୁ ଯାଜପୁରର ଜ‌ଣେ ବ୍ୟକ୍ତି ସୁପାରି ଦେଇଥିବା ଜଣେ ଦୁର୍ବୃ୍ତ୍ତ ପୁଲିସକୁ କହିଥିବା ସୂଚନା ମିଳିଛି। ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ କାଳିଆ ସିଂ ଓ ତାର ଘର ଖୋର୍ଦ୍ଧା ହୋଇଥିବା ବେଳେ ଅନ୍ୟ ଜଣକ ସୋନୁ ପଣ୍ଡା ଓ ତାର ଘର ଯାଜପୁର ଜିଲ୍ଲା ବିଂଝାରପୁରରେ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ ଶନିବାର ଅପରାହ୍ନ ପ୍ରାୟ ୩ଟାରେ ଦୁଇ ଜଣ ଦୁର୍ବୃତ୍ତ ଏକ ପଲସର ବାଇକ୍‌ରେ ଆସି ଅଳାଇଲୋ ପଞ୍ଚାୟତ ବବକରପୁର ଗ୍ରାମରେ ପହଞ୍ଚିଥିଲେ। ଶୁଭକେଶ ମିଶ୍ର ଓରଫ କାହ୍ନାଙ୍କ ଘର କେଉଁଠି ବୋଲି ସେମାନେ ପଚାରିଥିଲେ। ଶୁଭକେଶ ବିଭିନ୍ନ କୋଚିଂ ସେଣ୍ଟର ଏବଂ କଲେଜରେ ଠିକା ଅଧ୍ୟାପକ ଭାବେ ପାଠ ପଢାନ୍ତି।

ଦୁର୍ବୃତ୍ତ ତାଙ୍କ ଘର ନିକଟରେ ପହଞ୍ଚି ତାଙ୍କ ନାଁ ଧରି ଡାକିଥିଲେ। ଏହି ସମୟରେ କାହ୍ନାଙ୍କ ବାପା ଅରବିନ୍ଦ ମିଶ୍ର (୬୨) ବାହାରକୁ ଆସିଥିଲେ। ସେ କାହ୍ନାର ବାପା ବୋଲି ପରିଚୟ ଦେବା କ୍ଷଣି ଦୁର୍ବୃତ୍ତ ଦ୍ବୟ ତାଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଦୁଇଟି ଗୁଳି ଅରବିନ୍ଦଙ୍କ ଦେହରେ ବାଜିଥିଲା। ଗୁଳି ଫୁଟିବା ଓ ଅରବିନ୍ଦଙ୍କ ଚିତ୍କାର ଶୁଣି ପତ୍ନୀ ମିନତି ମିଶ୍ର ବାହାରକୁ ଦୌଡ଼ି ଆସିଥିଲେ। ଦୁର୍ବୃତ୍ତମାନେ ତାଙ୍କ ଉପରକୁ ବି ଗୁଳିମାଡ଼ କରିଥିଲେ। ଗୋଟିଏ ଗୁଳି ମିନତିଙ୍କ ଗୋଡ଼ ଓ ଅନ୍ୟଟି ଦେହରେ ବାଜିଥିଲା। ପାଟିତୁଣ୍ଡ ଶୁଣି ଶୁଭକେଶ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ଦୁଇ ଦୁର୍ବୃ୍ତ୍ତ ବନ୍ଧୁକ ପଛ ପଟେ ତାଙ୍କ ମୁଣ୍ତକୁ ଛେଚି ଦେଇଥିଲେ। ସେଠାରେ ଶୁଭକେଶ ଅଚେତ ହୋଇ ପଡ଼ିଥିଲେ। ଦୁଇ ଦୁର୍ବୃତ୍ତ ବାଇକ୍‌ରେ ଦ୍ରୃତ ଗତିରେ ଖସି ପଳାଇବାକୁ ଉଦ୍ୟମ କରିବା ବେଳେ ଭାରସାମ୍ୟ ହରାଇ ଗାଡ଼ି ସହ ତଳେ ପଡ଼ି ଯାଇଥିଲେ। ଏହି ସମୟରେ ଗାଁ ଲୋକେ ପହଞ୍ଚି ଯିବାରୁ ଦୁହେଁ ସେଠାରୁ ଦୌଡ଼ିବାକୁ ଆରମ୍ଭ କରିଥିଲେ। ଗାଁ ଲୋକେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ି ବସିଥିଲେ। ସେମାନଙ୍କ ବାଇକ୍‌ ପୋଡ଼ିଦେବା ସହ ନିସ୍ତୁକ ମାଡ଼ ମାରିଥିଲେ। ଅନ୍ୟପଟେ ଆହତମାନଙ୍କୁ କେନ୍ଦ୍ରାପଡା ଜିଲ୍ଲା ଡାକ୍ତରଖାନାକୁ ନିଆଯାଉଥିବା ବେଳେ ରାସ୍ତାରେ ଅରବିନ୍ଦଙ୍କ ମୃତ୍ୟୁ ଘଟିଥିଲା।

ଖବରପାଇ ମହାକାଳପଡା ପୁଲିସ ପହଞ୍ଚି ଦୁର୍ବୃତ୍ତଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରି ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ଘଟଣାସ୍ଥଳରୁ ୧୦ଟି ଖୋକା, ଦୁର୍ବୃତ୍ତ ଆଣିଥିବା ଏକ ବ୍ୟାଗ୍‌ ମଧ୍ୟ ଜବତ କରାଯାଇଛି। ଯେଉଁଥିରେ ଦୁଇଟି ମୋବାଇଲ ଫୋନ ଚାର୍ଜର, କଫ୍ ସିରଫ, ବ୍ୟାଣ୍ଡେଡ, ଟେଷ୍ଟର, ଆଧାର କାର୍ଡ, ଗାଡି ନମ୍ବର ପ୍ଲେଟ, ରେଳ ଟିକେଟ ସହ ପ୍ୟାଣ୍ଟ୍‌, ସାର୍ଟ ରହିଛି। ଏହି ଘଟଣାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳରେ ଭୀଷଣ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଟାୟାର ଜାଳି ଓରତ-କେନ୍ଦ୍ରାପଡା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଜାରି ରହିଛି।

ସମ୍ବନ୍ଧିତ ଖବର