ବ୍ୟାସନଗର: ବ୍ୟାସନଗର ଟ୍ରାଭେଲ୍ ଏଜେନ୍ସି ଗୁଳିମାଡ଼ ଘଟଣାରେ ପୁଲିସକୁ ସଫଳତା ମିଳିଛି। ଗୁଳିକାଣ୍ଡର ୪ ଘଣ୍ଟା ମଧ୍ୟରେ ଦୁଇଜଣ ଦୁର୍ବୃତ୍ତଙ୍କୁ ପୁଲିସ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତ କୋରେଇ ଥାନା ପୂର୍ବକୋଟ ତେଲେଙ୍ଗା ବସ୍ତିର ଜଣେ ଯୁବକ ଫେରାର ହୋଇଯାଇଛି। ଗୁଳିକାଣ୍ଡ ଘଟଣାରେ ୩ ଜଣ ସମ୍ପୃକ୍ତ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି। ଗିରଫ ୨ ଦୁର୍ବୃତ୍ତ ହେଲେ ମୁଣ୍ଡମାଳ ଗ୍ରାମର ସନ୍ତୋଷ ପ୍ରଧାନ (୨୩) ଓ ମୁଖ୍ୟ ଅଭିଯୁକ୍ତ କୋରେଇ ଥାନା ପୂର୍ବକୋଟ ତେଲେଙ୍ଗା ବସ୍ତିର ମାଇକେଲ ସନ୍ତୋଷ (୨୨)।
ଘଟଣା ପରେ ମାଇକେଲ ମୁଣ୍ଡମାଳଠାରେ ଥିବା ତା’ ଭଉଣୀ ଘରେ ଥିବାବେଳେ ପୁଲିସ ତାକୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ, ୪ଟି ଅଫୁଟା ଗୁଳି, ଏକ ନମ୍ବର ବିହୀନ କାୱାସାକି ବାଇକ୍ ଓ ମୋବାଇଲ ଫୋନ୍ ଜବତ କରାଯାଇଛି। ଭୁବନେଶ୍ବରରୁ ୪ ଜଣ ଆସାମ ଯିବା ପାଇଁ ଅଭିଯୁକ୍ତ ମାଇକେଲ୍ ଟ୍ରାଭେଲ୍ ଏଜେନ୍ସିକୁ ୮ହଜାର ଟଙ୍କା ଦେଇଥିଲା। ହେଲେ ଯେଉଁ ତାରିଖ ପାଇଁ ଟିକେଟ୍ କରିଥିଲା ପରେ ତାକୁ କ୍ୟାନ୍ସେଲ୍ କରିବାକୁ କହିଥିଲା। ବକେୟା ୨୯ ଶହ ଟଙ୍କାକୁ ନେଇ ଟ୍ରାଭେଲ୍ ଏଜେନ୍ସି ମାଲିକଙ୍କ ସହ ମାଇକେଲର ବଚସା ହୋଇଥିଲା। ଏହାକୁ ନେଇ ମାଇକେଲ ଓ ତାର ସହଯୋଗୀ ଗୁଳିକାଣ୍ଡ ଘଟାଇଥିବା ଯାଜପୁର ଏସ୍ପି ୟଶପ୍ରତାପ ଶ୍ରୀମାଲ ସୂଚନା ଦେଇଛନ୍ତି।