ବଲାଙ୍ଗୀର: ନାମୀ ଦାମୀ ବ୍ରାଣ୍ଡର ନକଲି ଲୋଗୋ ଲଗାଇ ପୋଷାକ ବିକ୍ରି କରୁଥିବା ଅଭିଯୋଗରେ ବୁଧବାର ବଲାଙ୍ଗୀର ପୁଲିସ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ତା ସହ ୫ ଶହ ଖଣ୍ଡ ଅଣ୍ଡରଆର୍ମର, ୩୪୬ ଲିଭାଇସ୍‌ ଷ୍ଟ୍ରସ୍‌ ଜିନ୍ସ ଓ ୪୩୦ କେଲ୍‌ଭିକ୍‌ କ୍ଲେନ୍‌ ନକଲି ଲୋଗୋ ଥିବା ଜିନ୍ସ ଜବତ କରିଛି। ବ୍ୟବସାୟୀ ଜଣକଙ୍କ ନାମ ରାଜେଶ ଲଖାନୀ ହୋଇଥିବା ବେଳେ ଗାନ୍ଧୀନଗର ପଡ଼ା ବାଇପାସ୍‌ ରାସ୍ତାରେ ଥିବା ଲଖାନୀ ନିଉ ଗାର୍ମେଣ୍ଟ ହୋଲସେଲ ଦୋକାନରେ ଏସବୁ ଜାଲି କାରବାର ହେଉଥିବା ସଦର ଏସ୍‌ଡିପିଓ ତୋଫାନ ବାଗ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୁଲିସର ସୂଚନା ଅନୁସାରେ, ଉକ୍ତ ଦୋକାନୀ ନକଲି ପୋଷାକରେ ବିଭିନ୍ନ ନାମୀ ଦାମୀ କମ୍ପାନିର ନକଲି ଲୋଗୋ ଲଗାଇ ଗ୍ରାହକମାନଙ୍କୁ ବିକ୍ରି କରି ଆସୁଥିଲେ।

Advertisment

ନେତ୍ରିକା ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କମ୍ପାନିର କ୍ଷମତାପ୍ରାପ୍ତ ଅଧିକାରୀ ଦୀପେଶ ଗୁପ୍ତା ଏହାର ତଦନ୍ତ କରିବା ପରେ ଏହା କପିରାଇଟ ଆକ୍ଟର ବିରୁଦ୍ଧାଚରଣ ହେଉଥିବା ଜାଣିବାକୁ ପାଇଥିଲେ। ଏଭଳି କାରବାର ଯୋଗୁଁ ପ୍ରକୃତ କମ୍ପାନିଗୁଡ଼ିକ ବିପୁଳ କ୍ଷତି ସହୁଥିବାରୁ ଏନେଇ ସେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ପକ୍ଷରୁ ଲଖାନୀ ନିଉ ଗାରମେଣ୍ଟସର ଗୋଦାମ ଉପରେ ଚଢ଼ଉ କରାଯାଇଥିଲା। ସେଠାରୁ ବିପୁଳ ପରିମାଣର ନାମୀ ଦାମୀ କମ୍ପାନିର ନକଲି ଲୋଗୋ ଲଗା ପୋଷାକ ଜବତ କରାଯିବା ସହ ଉକ୍ତ ଦୋକାନର ମାଲିକ ରାଜେଶ ଲଖାନୀଙ୍କୁ ଗିରଫ କରାଯାଇଥିଲା। ଜବତ ପୋଷାକର ଆନୁମାନିକ ବଜାର ମୂଲ୍ୟ ୪୩ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି। ଅଭିଯୁକ୍ତଙ୍କ ନାଁରେ କେସ୍‌ ନଂ ୪୫୧/୨୦୨୩ ୟୁ/ଏସ୍‌ ୪୨୦,୪୬୦,୪୭୧ ଆଇପିସି ଆର୍‌/ଡବ୍ଲୁ ୫୧(ଏ) (ବି)/ ୬୩ କପିରାଇଟ ଆକ୍ଟରେ ଏକ ମାମାଲା ରୁଜୁ ହୋଇଛି । ଏହା ଏକ ହୋଲସେଲ ଦୋକାନ ହୋଇଥିବା ବେଳେ ନକଲି ପୋଷାକ ବ୍ୟବସାୟର ଚେର କେଉଁ କେଉଁ ଦୋକାନକୁ ଲମ୍ବିଛି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ପରେ ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ପୁଲିସ ପ୍ରକାଶ କରିଛି।