ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଗ୍ରାମର ପୁରୁଣା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ କାଠ କ୍ୟାବିନରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୋକାନ ଭିତରେ ଶୋଇଥିବା ଶଙ୍କର ମହାକୁଡ଼ (୭୫) ଜିଅନ୍ତା ଜଳିଯାଇଛନ୍ତି।
ଆଜକୁ ପ୍ରାୟ ୨୦ ବର୍ଷ ହେବ ଶଙ୍କର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ କାଠ କ୍ୟାବିନ୍ରେ ଛୋଟ ଦୋକାନଟିଏ କରି ଗୁଜୁରାଣ ମେଣ୍ଟାଉଥିଲେ। ରବିବାର ରାତିରେ ଦୋକାନ ଭିତରେ ଲଣ୍ଠନ ଜଳାଇ ଦୋକାନ ଭିତରେ ଶଙ୍କର ଶୋଇଥିବା ଅବସ୍ଥାରେ ହଠାତ୍ ଝଡ଼ ତୋଫାନ ପବନ ହେବାରୁ ଲଣ୍ଠନରୁ ନିଆଁ ଲାଗି ଦୋକାନଟି ଜଳି ଯାଇଥିଲା।
ବୟସାଧିକ କାରଣରୁ ସେ ବାହାରକୁ ବାହାରିବାକୁ ସକ୍ଷମ ହୋଇ ନଥିଲେ। କିଛି ସମୟ ପରେ ଆଖ ପାଖରେ ରହୁଥିବା ଲୋକେ ଏହା ଦେଖି ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଲୟକୁ ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହରଭଙ୍ଗା ପୁଲିସ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଶଙ୍କର ଜଣେ ପରୋପକାରୀ ବ୍ୟକ୍ତି ଥିଲେ। ସେ ତାଙ୍କ ସ୍ତ୍ରୀ ଅକାଳରେ ମୃତ୍ୟୁବରଣ କରିଥିବା ଲକ୍ଷ୍ମଣ ଦାସଙ୍କ ସ୍ତ୍ରୀ ଓ ୩ ସନ୍ତାନଙ୍କ ଦାୟିତ୍ବ ନେଇ ବଡ଼ କରିଥିଲେ। ତାଙ୍କ ମୃତ୍ୟୁରେ ସମଗ୍ର ହରଭଙ୍ଗା ଅଂଚଳରେ ଶୋକରଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Did-you-see-a-Dead-Body-in-Dream-Heres-what-it-means.jpg)