ମାନ୍ଦା ମାଡ଼ ପରେ କରୋନା ପ୍ରଭାବ : ବ୍ୟାସନଗରରେ ୧୨ ମଲ୍ ବନ୍ଦ, ସଂକଟରେ କର୍ମଚାରୀଙ୍କ ଦାନାପାଣି

ବ୍ୟାସନଗର : ମାନ୍ଦା ମାଡ଼ ପରେ କରୋନା ପ୍ରଭାବ କଳିଙ୍ଗନଗରର ମୁଖଶାଳା ବ୍ୟାସନଗରର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ବ୍ୟାସନଗରର ବଡ଼ବଡ଼ ୧୨ଟି ସପିଂ ମଲ୍‌ ବନ୍ଦ ହୋଇଯାଇଛି। ଏହି ବ୍ୟାବସାୟିକ ପ୍ରତିଷ୍ଠାନରେ କାର୍ଯ୍ୟରତ କର୍ମଚାରୀଙ୍କ ଜୀବିକା ପ୍ରଭାବିତ ହୋଇଛି।

କରୋନା ଆତଙ୍କ ପାଇଁ କିଛିଦିନ ହେଲା ମଲ୍‌ଗୁଡ଼ିକରେ ଗ୍ରାହକଙ୍କ ସଂଖ୍ୟା କମିଯାଇଥିଲା। ଏହିପରି ଅବସ୍ଥାରେ ଗତ ୧୭ ତାରିଖରେ ଜିଲ୍ଲା ପ୍ରଶାସନ କରୋନା ସମୀକ୍ଷା ପାଇଁ ବ୍ୟାସନଗରରେ ପହଞ୍ଚି ସପିଂ ମଲ୍‌ ଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ। ଫଳରେ ସହରରେ ଥିବା ଘାସିରାମ ରିଟେଲ୍‌, ସିଟି ଲାଇଫ୍‌, ଜୟରାମ ଲେଙ୍କା, ମେଟ୍ରୋ ବଜାର, ରିଲିୟାନସ ଟ୍ରେଣ୍ଡ୍‌, ବାଜାର କୋଲକାତା, ରିଲାଏନ୍ସ ଫ୍ରେସ୍‌, ଭି-୨, ମାକ୍ସ ଓ ବିଗ୍‌ ବଜାର ସଟର୍‌ରେ ତାଲା ପଡ଼ିଯାଇଛି। ମଲ୍‌ଗୁଡ଼ିକ ବନ୍ଦ ହୋଇଯିବାରୁ ସହରରେ ଥିବା ପ୍ରାୟ ୫୦ ହଜାର ଲୋକଙ୍କ କିଣାବିକା ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ମଲ୍‌ ଗୁଡ଼ିକରେ କାମ କରୁଥିବା ପ୍ରାୟ ୬ ଶହ କର୍ମଚାରୀଙ୍କ ଜୀବିକା ସଂକଟରେ ପଡ଼ିଯାଇଛି। ଏସିଆ ମହାଦେଶର ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ଗୋଟିଏ ପରେ ଗୋଟିଏ ଶିଳ୍ପ କାରଖାନା ପ୍ରତିଷ୍ଠା ହେବାପରେ ବ୍ୟାସନଗର ସହରରେ ଆଶାତୀତ ଜନସଂଖ୍ୟା ବୃଦ୍ଧି ପାଇଥିଲା। ଫଳରେ କଳିଙ୍ଗନଗରର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରରେ ଗୋଟିଏ ପଟେ ଗୋଟିଏ ମଲ୍ ଗଢ଼ି ଉଠିଥିଲା। ଏଥିପାଇଁ ବ୍ୟାସନଗର ସହରରେ ଥିବା ଶହଶହ ଛୋଟ ବ୍ୟବସାୟ ପ୍ରତିଷ୍ଠାନ ପ୍ରଭାବିତ ହୋଇଥିଲେ। ଏଥିରୁ ଅଧିକାଂଶ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହୋଇଯାଇଥିବା ବେଳେ କେତେକ ଥିବା ନଥିବା ପରି ପଡ଼ିରହିଛନ୍ତି। ଏହା ମଧ୍ୟରେ ଲୋକଙ୍କ ଅଭ୍ୟାସ ବଦଳି ଯାଇଛି। ଛୋଟ ଦୋକାନ ଛାଡ଼ି ସହରବାସୀ ମଲ୍‌ଗୁଡ଼ିକରେ ବିକାକିଣା କରୁଛନ୍ତି। ଅନ୍ୟପକ୍ଷରେ ସହରର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ୧୨ ଟି ମଲ୍‌ରେ ପ୍ରତିଦିନ ପାଖାପାଖି କୋଟିଏ ଟଙ୍କାର କାରବାର ହେଉଥିବା ବେଳେ ତିନିଦିନରେ ୩ କୋଟି ଟଙ୍କାର ବ୍ୟବସାୟ ଠପ୍‌ ହୋଇଯାଇଛି। ଏହି ମଲ୍ ଗୁଡ଼ିକରେ କାର୍ଯ୍ୟ କରୁଥିବା ପ୍ରାୟ ୬ ଶହ କର୍ମଚାରୀ କାମ ହରାଇ ଘରେ ବସିଛନ୍ତି। ପରିବାର ପ୍ରତିପୋଷଣ ପାଇଁ ଏହି କର୍ମଚାରୀମାନେ ଚିନ୍ତାରେ ପଡ଼ିଛନ୍ତି। ସେହିପରି ସହରରେ ଥିବା ବିଶ୍ଵାଳ ସେଲସ୍, ପାତ୍ର ଇଲେକଟ୍ରୋନିକ୍ସ, ଗ୍ରେଟ୍ ଇଷ୍ଟର୍ଣ୍ଣ, ରାଜ ଇଲେକ୍‌ଟ୍ରୋନିକ ଆଦି ବଡ଼ବଡ଼ ସୋରୁମ୍‌ ଗୁଡ଼ିକ ମଧ୍ୟ ବନ୍ଦ ହୋଇଯାଇଛି। ମଲ୍‌ଗୁଡ଼ିକ ବନ୍ଦ ହୋଇଯିବାରୁ ଏହାର ଘରଭଡା, ବିଦ୍ୟୁତ୍‌ ବିଲ୍‌ ଓ ଅନ୍ୟାନ୍ୟ ଖର୍ଚ୍ଚ ଭରଣା ନେଇ ମାଲିକମାନେ ଲକ୍ଷଲକ୍ଷ ଟଙ୍କା କ୍ଷତିଗ୍ରସ୍ତ ହେବ‌େ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର