ବାରିପଦା ସହରରେ ଦୋକାନ ବଜାର ବନ୍ଦ, କିନ୍ତୁ କମୁନି ଗହଳି

ବାରିପଦା : ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ପ୍ରତ୍ୟେକ ଦିନ ସେଞ୍ଚୁରୀ ମାରି ଚାଲିଥିବା ସମୟରେ ଏହା ସହିତ ତାଳ ଦେଇ ବାରିପଦା ପୌରପରିଷଦରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଉପର ମୁହାଁ ହୋଇଛି । ସେହି ଅନୁସାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହି ସଂକ୍ରମଣର ଚେନ୍‌କୁ ରୋକିବା ଉଦ୍ଦେଶ୍ୟରେ ବାରିପଦା ବ୍ୟବସାୟ ମହାସଂଘ, ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସେପ୍ଟେମ୍ବର ଗତକାଲିଠାରୁ ଆସନ୍ତା ୩ ପର୍ଯ୍ୟନ୍ତ ବାରିପଦା ସହର ଓ ତାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ସହ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ୭ ଦିନ ବନ୍ଦ ଡାକରା ଆଜି ୨ୟ ଦିନରେ ପହଞ୍ଚିଛି ।

ଏହି ସମୟରେ ସହରରେ କାଁ ଭାଁ କେତେକ ପାନ ଚା ଆଦି ଛୋଟ ଛୋଟ ଦୋକାନ ଖୋଲା ରହିଥିବାର ଦେଖିବାକୁ ମିଳିଥିଲା । ସେହିପରି କଚେରୀ ବଜାର ଗତକାଲି ବନ୍ଦ ରହିଥିବା ବେଳେ ଆଜି ଖୋଲା ରହିଥିଲା । ସହରରେ ଦୋକାନ ବଜାର ବନ୍ଦ ରହିଥିଲେ ମଧ୍ୟ ଗହଳି କମି ନ ଥିବାର ପରିଲକ୍ଷିତ ହୋଇଥିଲା । ରାସ୍ତାଘାଟ ସହ ବିଭିନ୍ନ ବ୍ୟାଙ୍କ ଆଦିରେ ଜନଗହଳି ରହିଥିବା ଦେଖିବାକୁ ମିଳିଥିଲା । ସେହିପରି କେତେକ ବସ, ଅଟୋ କୋଭିଡ୍ ମାର୍ଗଦର୍ଶୀକାକୁ ଅଣଦେଖା କରି ଯାତ୍ରୀ ପରିବହନ କରୁଥିବା ଦେଖିବାକୁ ମିଳିଥିଲା। ତେବେ ବନ୍ଦକୁ ନେଇ ସାଧାରଣରେ ଗ୍ରହଣୀୟତା ଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର