ଉଠାଦୋକାନୀଙ୍କୁ ମିଳୁନି ଦୋକାନ, ଭଡ଼ାରେ ଦିଆଯାଉଛି ଭେଣ୍ଡିଂ ଜୋନ୍‌

ବିକ୍ରି ହେଉଛି ୧୦ରୁ ୧୫ ଲକ୍ଷ ଟଙ୍କା

ରାଉରକେଲା: ଉଠା ଦୋକାନୀ ଓ ଠେଲାବାଲାଙ୍କୁ ଥଇଥାନ ପାଇଁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପକ୍ଷରୁ କିଛି ସ୍ଥାନରେ ଭେଣ୍ଡିଂ ଜୋନ୍‌ ସ୍ଥାପନ କରାଯାଇଛି। ସହରର କିଛି ସ୍ଥାନରେ ରହିଥିବା ଭେଣ୍ଡିଂ ଜୋନ୍‌ରେ ତାଲା ଝୁଲୁଛି। ଆଉ କିଛି ଭେଣ୍ଡିଂ ଜୋନ୍‌ର ଅଧିକାଂଶ ଦୋକାନୀ ଥିଲାବାଲାଙ୍କ ହାତରେ ରହିଛି। ଯେଉଁମାନେ ଆର୍‌ଏମ୍‌ସିରୁ ଏସବୁ ଦୋକାନକୁ ହାତେଇ ଅନ୍ୟମାନଙ୍କୁ ଭଡା ଦେଉଛନ୍ତି। ସେମାନଙ୍କ ଠାରୁ ମାସିକ ମୋଟା ଅଙ୍କର ଭଡା ଆଦାୟ କରୁଛନ୍ତି। ଦୋକାନ ବାବଦରେ ଆର୍‌ଏମ୍‌ସିକୁ ମାସିକ ୫୦୦ରୁ ୬୦୦ ଟଙ୍କା ଭଡା ଦେଉଥିବାବେଳେ ଭଡାଟିଆଙ୍କ ଠାରୁ ୭/୮ ଗୁଣା ଅଧିକ ଅର୍ଥାତ୍‌ ୩୫୦୦ରୁ ୪୦୦୦ ଟଙ୍କା ଭଡା ଆଦାୟ କରୁଛନ୍ତି। ଦୋକାନ ପାଇଥିବା ବ୍ୟବସାୟୀ ଓ କିଛି ବ୍ୟକ୍ତି ଅନ୍ୟମାନଙ୍କୁ ଭଡାସୂତ୍ରରେ ଦେଇ ପାରିବେ ନାହିଁ ବୋଲି ଆର୍‌ଏମ୍‌ସିର ନିୟମ ରହିଛି।

କିନ୍ତୁ ବାସନ୍ତୀକଲୋନି ଭେଣ୍ଡିଂ ଜୋନ୍‌ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ବାସନ୍ତୀ କଲୋନି ଭେଣ୍ଡିଂ ଜୋନ୍‌ରେ ପାଖାପାଖି ୨୦୦ରୁ ଅଧିକ ଦୋକାନ ରହିଛି। ଏଥି ମଧ୍ୟରୁ ୪୦% ଭଡାରେ ଲାଗିଛି। କେବଳ ଏତିକି ନୁହେଁ ଆର୍‌ଏମ୍‌ସିର ଅଧିକାରୀଙ୍କ ସହ ଭିତିରି ସଲାସୁତୁରା କରି କିଛି ଦୋକାନୀ ଏକାଧିକ ଦୋକାନ ହାତେଇଥିବା ଅଭିଯୋଗ ହେଉଛି। ବର୍ଷ ବର୍ଷ ଧରି ବାସନ୍ତୀକଲୋନି ଭେଣ୍ଡିଂ ଜୋନ୍‌ରେ ଏଭଳି ବେଆଇନ କାମ ଚାଲିଥିଲେ ହେଁ ଆର୍‌ଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି। ସେମିତି ପୂର୍ବରୁ ମାତ୍ର ୫୦ ହଜାରରୁ ଏକ ଲକ୍ଷ ଟଙ୍କାରେ ହାତଇଥିବା ଦୋକାନକୁ କିଛି ବ୍ୟକ୍ତି ୧୦ରୁ ୧୨ ଲକ୍ଷ ଟଙ୍କା ବିକ୍ରି କରି ଦେଉଛନ୍ତି। ତା’ ପୁଣି ଆର୍‌ଏମ୍‌ସିର ବିଭାଗୀୟ ଅଧିକାରୀଙ୍କ ଅଜାଣତରେ। ତେବେ ଏକାଧିକ‌ ଦୋକାନ ହାତେଇଥିବା, ଭଡ଼ାରେ ଦିଆଯାଇଥିବା ଦୋକାନଗୁଡ଼ିକୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି।

ଅନ୍ୟପଟେ କିଛି ଦୋକାନୀ ଭେଣ୍ଡିଂ ଜୋନ୍‌ରେ ଦୋକାନ ନ କରି ରାସ୍ତା ଉପରେ ସବୁଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ଉପୁଜିଛି। ବିଶେଷ କରି ସଂଧ୍ୟା ସମୟରେ ବାସନ୍ତୀ ମୁଖ୍ୟ ରାସ୍ତାରେ ଗାଡି ତ ଯିବା ଦୂରର କଥା ସାଧାରଣ ଲୋକଟିଏ ଯାତାୟତରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛି। ଏଥିପ୍ରତି ସ୍ଥାନୀୟ ପୁଲିସ ଧ୍ୟାନ ଦେବାକୁ କଲୋନିବାସୀ ମଧ୍ୟ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ବାସନ୍ତୀକଲୋନି ରେଳବାଇ ଓଭରବ୍ରିଜ୍‌ ନିର୍ମାଣ ବେଳେ ରାସ୍ତା ପାର୍ଶ୍ବରେ ଥିବା ଦୋକାନୀଙ୍କୁ ହଠାଯାଇଥିଲା। ପ୍ରାୟ ୨୬୨ ଦୋକାନୀଙ୍କୁ ଓଭରବ୍ରିଜ୍‌ ତଳେ ଭେଣ୍ଡିଂ ଜୋନ୍‌ ନିର୍ମାଣ କରି ଥଇଥାନ କରିବାକୁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ପ୍ରତିଶ୍ରୁତି ମୁତାବକ ଗତ ୨୦୧୫ରେ ଆର୍‌ଏମ୍‌ସି ଓଭରବ୍ରିଜ ପାର୍ଶ୍ବରେ ଭେଣ୍ଡିଂ ଜୋନ୍‌ ନିର୍ମାଣ କରି ପ୍ରାୟ ୨୫୦ରୁ ଅଧିକ ଦୋକାନୀଙ୍କୁ ଥଇଥାନ କରିଥିଲେ।

ସମ୍ବନ୍ଧିତ ଖବର