ଖୋର୍ଦ୍ଧା/ଜଙ୍କିଆ: ବେଆଇନ୍ ଗୋଚାଲାଣକୁ କେନ୍ଦ୍ର କରି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରି ଅଶାନ୍ତ ହୋଇଉଠିଛି। ଏହି ଘଟଣାରେ ଗୋଟିଏ ବାଇକ୍କୁ ଜାଳି ଦିଆଯାଇଥିବା ବେଳେ ୧୭ଟି ଗାଡ଼ିକୁ ଭାଙ୍ଗି ଗୁଣ୍ଡ କରିଦିଆଯାଇଛି। ଛଣଗିରି ହାଇସ୍କୁଲ ଛକରେ ବହୁ ଦୋକାନ ଘର ମଧ୍ୟ ଜାଳି ଦିଆଯାଇଛି। ଏହି ଘଟଣାର ପ୍ରତିବାଦରେ ନୟାଗଡ଼-ପୁରୀ ନୂଆ ଜଗନ୍ନାଥ ସଡ଼କକୁ ଛଣଗିରି ଓ ଜଙ୍କିଆ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥକୁ ଟାୟାର ଜାଳି ଅବରୋଧ କରାଯାଇଛି। ଉତ୍ତେଜନା ପ୍ରଶମିତ ପାଇଁ ପ୍ରଶାସନ ପକ୍ଷରୁ ଛଣଗିରି ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଏସ୍ଡିପିଓ ଦିଲୀପ ଦାସ ପ୍ରମୁଖ ଲୋକଙ୍କୁ ବୁଝାସୁଝା କରିବା ସହ ଶାନ୍ତି ଫେରାଇ ଆଣିବା ନିମନ୍ତେ ନିବେଦନ କରିଛନ୍ତି। ମାଡ଼ ଖାଇ ଲହୁଲୁହାଣ ହୋଇଥିବା ଯୁବକଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି।
ଭାଙ୍ଗି ଚୂର୍ମାର କରିଦେଲେ ୧୭ ଗାଡ଼ି
ରାଜପଥ ଅବରୋଧ, ୮ ପ୍ଲାଟୁନ୍ ଫୋର୍ସ ମୁତୟନ
ଗୁରୁତର ଯୁବକ ଏମ୍ସରେ ଭର୍ତ୍ତି
ଶୁକ୍ରବାର ଟାଙ୍ଗୀ ବ୍ଲକ୍ ଛଣଗିରି ନିକଟସ୍ଥ ଦେଉଳି ପଟୁ ଏକ ଗୋରୁବୋଝେଇ ଗାଡ଼ି ଆସୁଥିବା ବେଳେ ଏହାକୁ କିଛି ଯୁବକ ବିରୋଧ କରିଥିଲେ। ଏହି ଘଟଣାରେ ଅପରଗୋଷ୍ଠୀ ବେଶ୍ ଉତ୍ତ୍ୟକ୍ତ ହୋଇଥିଲେ। ଗୋରୁଗାଡ଼ି ଧରାଇବାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଅପରଗୋଷ୍ଠୀ ଉଠାଇ ନେଇଥିଲେ। ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉଠାଇ ନିଆଯାଇଥିବା ଯୁବକଙ୍କୁ ଉଦ୍ଧାର କରିବା ପାଇଁ ପ୍ରାୟ ୧୮ଟି ବାଇକ୍ରେ ଯୁବଗୋଷ୍ଠୀ ଛଣଗିରିକୁ ଯାଇଥିଲେ। ଏତେ ସଂଖ୍ୟାରେ ଯୁବକଙ୍କୁ ଦେଖି ଅପରଗୋଷ୍ଠୀ ଉଠି ଆସିବାରୁ ଯୁବକମାନେ ବାଇକ୍ ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ। ଛାଡ଼ି ଯାଇଥିବା ୧୮ଟି ବାଇକ୍ ମଧ୍ୟରୁ ଗୋଟିଏ ବାଇକ୍ ଜାଳି ଦିଆଯାଇଥିବା ବେଳେ ପ୍ରାୟ ୧୭ଟିକୁ ବାଡ଼େଇ ଭାଙ୍ଗିବା ସହିତ ଗାଁ ମୁଣ୍ଡରେ ଫିଙ୍ଗି ଦେଇଥିଲେ।
ବାଇକ୍ ଭଙ୍ଗାରୁଜାକୁ ବିରୋଧ କରି ପ୍ରଥମେ ନୟାଗଡ଼-ପୁରୀ ନୂଆ ଜଗନ୍ନାଥ ସଡ଼କକୁ ଛଣଗିରି ନିକଟରେ ଅବରୋଧ କରାଯାଇଥିଲା। ପରେ କେତେକ ଲୋକେ ଛଣଗିରି ହାଇସ୍କୁଲ୍ ଛକ ନିକଟରେ ଏକାଧିକ ଦୋକାନକୁ ଜାଳି ଦେଇଥିଲେ। କିଛି ଦୋକାନରେ ଭଙ୍ଗାରୁଜା ମଧ୍ୟ ହୋଇଛି। ଜଙ୍କିଆ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥକୁ ଯୁବଗୋଷ୍ଠୀ ଅବରୋଧ କରିଥିଲେ। ଗୋଚାଲାଣରେ ଏସ୍ଡିପିଓ ଦିଲୀପ ଦାସଙ୍କ ସମ୍ପୃକ୍ତି ରହିଛି ବୋଲି ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀ ସିଧାସଳଖ ଅଭିଯୋଗ କରିବା ସହ ତାଙ୍କୁ ତୁରନ୍ତ ଖୋର୍ଦ୍ଧାରୁ ହଟାଇବାକୁ ଦାବି କରିଛନ୍ତି। ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିବା ବେଳେ ଆହତଙ୍କ ଚିକିତ୍ସା ସୁବିଧା ଓ ଅନ୍ୟାନ୍ୟ ଦାବି ଖୁବ୍ଶୀଘ୍ର ପୂରଣ କରାଯିବ ବୋଲି ଆନ୍ଦୋଳନକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ରାତି ସାଢ଼େ ୧୦ଟାରେ ଜାତୀୟ ରାଜପଥ ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଛଣଗିରିରେ ୮ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।