ଖୁଚୁରା ବଜାରରେ ଏଫ୍‌ଡିଆଇକୁ ବିରୋଧ : ଆଜି ଦେଶବ୍ୟାପୀ ଦୋକାନ ବନ୍ଦ

ରାଜ୍ୟରେ ୨୨ ହଜାର ଔଷଧ ଦୋକାନ ବନ୍ଦ ରହିବ

ଭୁବନେଶ୍ୱର : ଖୁଚୁରା ବଜାରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫ୍‌ଡିଆଇ) ଅନୁମତି ଓ ଇ-କମର୍ସ କମ୍ପାନି ଫ୍ଲିପକାର୍ଟକୁ ଆମେରିକୀୟ କମ୍ପାନି ୱାଲମାର୍ଟ ଅଧିଗ୍ରହଣ କରିବାକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ଶୁକ୍ରବାର ଦୋକାନ ବଜାର ବନ୍ଦ ଡାକରା ଦେଇଛି। ଓଡ଼ିଶାର ବ୍ୟବସାୟୀମାନେ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି। ଫଳରେ ଶୁକ୍ରବାର ରାଜ୍ୟରେ ସମସ୍ତ ଦୋକାନ ବନ୍ଦ ରହିବ। ଏହି ଧର୍ମଘଟ ଯୋଗୁ ଦେଶରେ ପ୍ରାୟ ୬ କୋଟି ୩୫ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ଏବଂ ରାଜ୍ୟରେ ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ୨୪ ଘଣ୍ଟା ବନ୍ଦ ରହିବ। ଦୋକାନ ଗୁଡ଼ିକରେ ଶୁକ୍ରବାର ସକାଳ ୬ଟାରୁ ଶନିବାର ସକାଳ ୬ଟା ପର୍ଯ୍ୟନ୍ତ ତାଲା ଝୁଲିବ।

ଚା’ ଦୋକାନଠାରୁ ଆରମ୍ଭ କରି ବଡ଼ ଦୋକାନ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି। ବନ୍ଦ ଫଳରେ ରାଜ୍ୟରେ ପ୍ରାୟ ୨୦୦୦ କୋଟି ଟଙ୍କାର ବ୍ୟାବସାୟିକ କାରବାର ଠପ୍ ହୋଇଯିବ। ବ୍ୟବସାୟୀମାନେ ଦୋକାନ ବନ୍ଦ କରି ଭାରତ ସରକାରଙ୍କ ଏଫଡିଆଇ ନୀତିକୁ ପ୍ରତିବାଦ କରିିବେ। ଏହି ନୀତିକୁ ପ୍ରତ୍ୟାହାର କରିବା ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବେ। ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ୟବସାୟୀମାନେ ସ୍ମାରକପତ୍ର ପଠାଇବେ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି। ସେ କହିଛନ୍ତି ସରକାରଙ୍କ ଏଫ୍‌ଡିଆଇ ନୀତି ଦ୍ବାରା ଦେଶର ଛୋଟ ଛୋଟ ବ୍ୟବସାୟୀ ‌ବହୁମାତ୍ରାରେ ପ୍ରଭାବିତ ହେବେ।

ଦେଶର କୃଷକମାନେ ମଧ୍ୟ କ୍ଷତି ସହିବେ। ‌ତେବେ ଆସନ୍ତାକାଲି ଗାଡ଼ି ମୋଟର ବନ୍ଦ କରିଯିବା ନେଇ କୌଣସି ଯୋଜନା ନାହିଁ ବୋଲି ଶ୍ରୀ ପଣ୍ଡା ସ୍ପଷ୍ଟ କରିଦେଇଛନ୍ତି।

ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି, ଦେଶର ଖୁଚୁରା କ୍ଷେତ୍ରରେ ଏଫ୍‌ଡିଆଇକୁ ଅନୁମତି ଦେବାର କୌଣସି ଆବଶ୍ୟକତା ନାହିଁ। ଘରୋଇ ବ୍ୟବସାୟୀମାନେ ନାଗରିକମାନଙ୍କ ଆବଶ୍ୟକତାକୁ ପୂରଣ କରିବାରେ ସମର୍ଥ ଅଛନ୍ତି। ଯଦି ଏଫ୍‌ଡିଆଇକୁ ଅନୁମତି ଦିଆଯାଉଛି ତାହେଲେ ଘରୋଇ ବ୍ୟବସାୟୀମାନେ ଯେଭଳି ବିଦେଶୀ ବ୍ୟବସାୟୀଙ୍କ ସହିତ ଅର୍ଥ ଏବଂ ପ୍ରଯୁକ୍ତିଗତ ଦିଗରୁ ସମକକ୍ଷ ହେ‌ାଇପାରିବେ ତାହାକୁ ସରକାର ନିଶ୍ଚିତ କରନ୍ତୁ। ଉଲ୍ଲେଖଯୋଗ୍ୟ‌ ଯେ, ଏକକ ମାର୍କା ଖୁଚୁରା ବଜାରରେ ଅଟୋମେଟିକ୍ ରୁଟ୍‌ରେ କେନ୍ଦ୍ର କ୍ୟାବିନେଟ୍ ଗତ ଜାନୁଆରିରେ ୧୦୦ ପ୍ରତିଶତ ଏଫ୍‌ଡିଆଇ ଅନୁମତି ପ୍ରଦାନ କରିଛନ୍ତି। ସେହିଭଳି ସ୍ଥାନୀୟ ବଜାରରୁ ସେମାନଙ୍କ ପାଇଁ ରହିଥିବା ସାମଗ୍ରୀ ସଂଗ୍ରହ ନିୟମକୁ ମଧ୍ୟ କୋହଳ କରିଛନ୍ତି। ଏହାକୁ ବ୍ୟବସାୟୀମାନେ ଘୋର ବିରୋଧ କରୁଛନ୍ତି।

୨୨ ହଜାର ଔଷଧ‌ ଦୋକାନ ବନ୍ଦ ରହିବ

ଭୁବନେଶ୍ୱର : ଆଜି ରାଜ୍ୟରେ ସମସ୍ତ ଔଷଧ ଦୋକାନ ବନ୍ଦ ରହିବ। ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘ ଡାକରାରେ ରାଜ୍ୟରେ ଆସନ୍ତାକାଲି ଔଷଧ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍। ଇ-ଫାର୍ମାସି ଓ ଅନଲାଇନରେ ଔଷଧ ବିକ୍ରିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିବା ଆସୋସିଏସନ୍ ପକ୍ଷରୁ କୁହାଯାଇଛି।

ଆସୋସିଏସନ୍ ପକ୍ଷରୁ କୁହାଯାଇଛି ଯେ, ଅନ୍‌ଲାଇନ୍‌ ବ୍ୟବସାୟ କେବଳ ବାଣିଜ୍ୟିକ ‌ଦୃଷ୍ଟିକୋଣରୁ ନୁହେଁ ବରଂ ଲୋକଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡ଼ିବ। ଏହି ପ୍ରସ୍ତାବକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅଭିଯୋଗ କରାଯିବା ସହିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହାସତ୍ବେ ମଧ୍ୟ ସରକାର କୌଣସି ଦୃଷ୍ଟି ନ ଦେବାରୁ ସର୍ବଭାରତୀୟ ସ୍ତରରେ ଔଷଧ‌ ଦୋକାନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ବନ୍ଦରେ ଜରୁରୀକାଳୀନ ସେବା ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନା ପରିସରରେ ଔଷଧ ଦୋକାନ ଖୋଲା ରହିବ। ଆଗାମୀ ଦିନରେ ଯଦି ସରକାର ଏଥିପ୍ରତି ଗୁରୁତ୍ବ ନ ଦିଅନ୍ତି ତେବେ ଗମ୍ଭୀର ପରିଣାମ ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର