ବେସରକାରୀ ହିସାବରେ ଖୋଲିଛି ମାଳମାଳ ଦୋକାନ, ଭଞ୍ଜନଗରରେ ୫୭ଜଣଙ୍କୁ ହୋଟେଲ୍, ଫାଷ୍ଟଫୁଡ୍ ଲାଇସେନ୍ସ୍

ଭଞ୍ଜନଗର : ‌ଖୁଲମଖୁଲା ମିଳୁଛି ଫାଷ୍ଟଫୁଡ୍। ଗଳିକନ୍ଦିଠୁ ଆରମ୍ଭ କରି ରାଜରାସ୍ତା ସବୁଠି ଛତୁ ଫୁଟିବା ଭଳି ମାଳମାଳ ଜଳଖିଆ ଦୋକାନ ଓ ଫାଷ୍ଟଫୁଡ୍ ସେଣ୍ଟର୍। ଅସ୍ବାସ୍ଥ୍ୟକର ପରିବେଶ ସାଙ୍ଗକୁ ନିମ୍ନମାନର ଖାଦ୍ୟ। ଖାଦ୍ୟର ସୁଆଦ ବଢ଼ାଇବାକୁ ମନଇଚ୍ଛା ଚାଇନାସଲଟ୍ ଓ କେମିକାଲ୍‌ର ବ୍ୟବହାର ହେଉଛି। ହେଲେ ଅପମିଶ୍ରଣ ଖାଦ୍ୟ ବିକ୍ରି ଉପରେ ଅଙ୍କୁଶ ଲଗାଇବାକୁ କାହା ପାଖରେ ଯେମିତି ନିଘା ନାହିଁ। ଯାଞ୍ଚ କି, ତଦାରଖ କରିବାକୁ କେହି ନାହାନ୍ତି। ଏହି ଚିତ୍ର ହେଉଛି ଭଞ୍ଜନଗର ସହରର।

ସରକାରୀ ତଥ୍ୟ ଅନୁସାରେ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୫୭ ଜଣ ବ୍ୟବସାୟୀଙ୍କୁ ହୋଟେଲ୍‌ ଏବଂ ଫାଷ୍ଟଫୁଡ୍ ସେଣ୍ଟର କରିବା ପାଇଁ ଟ୍ରେଡ ଲାଇସେନ୍ସ୍ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୩୩ ଜଣ ବ୍ୟବସାୟୀ ପୁନଃ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ। ସବୁଠୁ ଛତୁ ଫୁଟିଲା ଭଳି ଫାଷ୍ଟଫୁଡ୍ ସେଣ୍ଟର୍ ଓ ହୋଟେଲ୍ ଖୋଲୁଛି। ୧୦୦ରୁ ଅଧିକ ଏଭଳି ଦୋକାନ ଥିବା ବେଳେ ଅଧିକାଂଶ ବ୍ୟବସାୟୀଙ୍କ ପାଖରେ ଫୁଡ୍ କି ଟ୍ରେଡ୍ ଲାଇସେନ୍ସ୍ ନାହିଁ। ସହରରେ ମୋଟ ୧୫ ଗୋଟି ୱାର୍ଡ଼ ରହିଛି। ମୁଖ୍ୟ ସଡ଼କ ଠାରୁ ଆରମ୍ଭ କରି ପୁରୁଣାବଜାର ସାହି, ଖାଲାସି ସାହି, ବସଷ୍ଟାଣ୍ଡ୍‌, ଭେଜିପୁଟ, ଏଲ୍‌ଆଇସି କଲୋନି ଛକ, ବାଇପାସ୍‌ ଛକ ଏବଂ ବାଉଁଶଲୁଣ୍ଡି ଭଳି ଗୁରୁତ୍ବପୁର୍ଣ୍ଣ ଇଲାକାରେ ଜଳଖିଆ ଦୋକାନ ଓ ଫାଷ୍ଟଫୁଡ୍ ସେଣ୍ଟର୍ ଖୋଲିଛି। କିଛି ବେପାରୀ ଦୋକାନ ଘରେ ତ ଆଉ କିଛି ଠେଲାଗାଡ଼ିରେ ଏହାକୁ ବିକ୍ରି କରୁଛନ୍ତି। ହେଲେ ଅଧିକାଂଶ ଜାଗାରେ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଥିବା ସାଙ୍ଗକୁ ଭଲ ପାଣିର ମଧ୍ୟ ବ୍ୟବହାର କରାଯାଉ ନଥିବା ସାଧାରଣରେ ଅଭିଯୋଗ ହେଉଛି। ହେଲେ ବିକ୍ରି ହେଉଥିବା ଖାଦ୍ୟର ମାନ ଯାଞ୍ଚ କରିବାକୁ କୌଣସି ଅଧିକାରୀ ନାହାନ୍ତି। ଜଣେ ଖାଦ୍ୟ ନିରୀକ୍ଷକ ବ୍ରହ୍ମପୁରରେ ଥିବା ବେଳେ ଯେଉଁ ବ୍ୟବସାୟୀଙ୍କ ଫୁଡ୍ ଲାଇସେନ୍ସ୍ ଆବଶ୍ୟକ ପଡ଼େ ସେମାନ‌େ ବ୍ରହ୍ମପୁର ଯାଉଛନ୍ତି। ଆବଶ୍ୟକ କାଗଜପତ୍ରରେ ଦେଇ ନିଜର ଲାଇସେନ୍ସ କରାଇଥାନ୍ତି। କିନ୍ତୁ ଅଧିକାଂଶ ବ୍ୟବସାୟୀ ଏହି ସରକାରୀ ନିୟମକୁ ମାନିବାକୁ ଉଚିତ ମଣୁନାହାନ୍ତି। ଆଉ ଏଭଳି ସ୍ଥିତିରେ ଅପମିଶ୍ରଣ ଖାଦ୍ୟ ବିକ୍ରି କରାଯାଇ ଲୋକଙ୍କ ଜୀବନ ସହ ଖେଳାଯାଉଛି।

ସହରାଞ୍ଚଳରେ ରନ୍ଧାଖାଦ୍ୟ ବା ଫାଷ୍ଟ୍‌ଫୁଡ୍‌ ବିକ୍ରି ପାଇଁ ସରକାରୀ ନିୟମାବଳୀ ରହିଛି। ପ୍ରତ୍ୟେକ ବ୍ୟବସାୟୀଙ୍କୁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଦୋକାନ ‌ଖୋଲିବା ନିମନ୍ତେ ଟ୍ରେଡ୍‌ ଲାଇସେନ୍ସ୍ ଓ ଖାଦ୍ୟ ନିରୀକ୍ଷକଙ୍କଠୁ ପ୍ରମାଣପତ୍ର ଆଣିବାକୁ ବାଧ୍ୟତାମୂଳକ ହୋଇଥିଲେ ବି ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଅନ୍ୟପକ୍ଷରେ ସହରର ଅନେକ ସ୍ଥାନରେ ଅପମିଶ୍ରିତ ହଳଦି, ମରିଚ ଗୁଣ୍ଡ ଓ ମସଲାଗୁଣ୍ଡ ଆଦି ବେଧଡ଼କ୍ ପ୍ରସ୍ତୁତ ହେଉଛି। ଆଉ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ମୁନାଫାଖୋର୍ ବ୍ୟବସାୟୀଙ୍କ ଉପରେ ରୋକ୍ ଲଗାଇବାକୁ ପ୍ରଶାସନର ସାହସ ନାହିଁ। ହଳଦି ଏବଂ ଲଙ୍କାଗୁଣ୍ଡ ପ୍ରସ୍ତୁତି ପାଇଁ କାଠଗୁଣ୍ଡ ଏବଂ ପୋକରା ଚାଉଳ ବ୍ୟବହାର ହେଉଥିବା ସହ ରଙ୍ଗ ଓ ରାଗ ପାଇଁ ରାସାୟନିକ ସାମଗ୍ରୀ ବ୍ୟବହାର କରାଯାଉଛି। ବଜାରରେ ଗୋଟା ହଳଦିର ଦାମ୍‌ ୮୦ ଟଙ୍କା ରହିଥିବା ବେଳେ ଅପମିଶ୍ରିତ ହଳଦିଗୁଣ୍ଡ ବିନା ବ୍ରାଣ୍ଡ୍‌ କମ୍ପାନିର ପ୍ୟାକେଜିଂରେ ବଜାରରେ ୬୦‌ ଟଙ୍କାରେ ମିଳୁଛି। ସେହିପରି ଶୁଖିଲା ଲଙ୍କା କିଲୋ ପ୍ରତି ୧୫୦ରୁ ୨୦୦ ଟଙ୍କାରେ ବିକ୍ରୟ ହେଉଥିବା ବେଳେ ଲଙ୍କାଗୁଣ୍ଡ ୮୦ ରୁ ୧୦୦ ଟଙ୍କାରେ ମିଳିପାରୁଛି। ରାସାୟନିକ ସାମଗ୍ରୀକୁ ମିଶାଇ ସମସ୍ତ ସାମଗ୍ରୀକୁ ଶସ୍ତାରେ ବିକ୍ରି କରାଯାଉଛି।

ବର୍ତ୍ତମାନ ବ୍ରହ୍ମପୁର ଓ କଟକ ଭଳି ସହରରେ ନକଲି ସାମଗ୍ରୀ ଧରପଗଡ଼କୁ ବ୍ୟାପକ କରାଯାଇଥିବା ଛୋଟ ସହରାଞ୍ଚଳ ଗୁଡ଼ିକରେ ଏହା କାୟା ବିସ୍ତାର କରିଛି। ତୁରନ୍ତ ପ୍ରଶାସନ ଏଥିପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିବା ଦରକାର ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର