କୋଭିଡ୍ ଯୋଦ୍ଧା ଶ୍ବେତ ଦାଶଙ୍କ ଆଉ ଏକ କ୍ଷୁଦ୍ର ଚଳଚିତ୍ର ‘ଅନ୍ ଲାଇନ୍ କ୍ଲାସ୍’

ବ୍ରହ୍ମପୁର: ବାପା ଆମ ସ୍କୁଲ ଆଉ ଖୋଲିବନି? ନିଶ୍ଚିତ ଖୋଲିବ, ତୁ ଆଉ ତୋ ସାଙ୍ଗ ମାନେ ପୁଣି ସ୍କୁଲ ଆସିବ। ମାତ୍ର କିଛି ସମୟ, ସମୟ ପରା ବଦଳି ଯାଇଛି। ଆଗରୁ ତୋ ମାମା ଟିଭି ଦେଖିବା, ମୋବାଇଲ୍‌ ଧରିବାକୁ ଦେଉନଥିଲା। ସ୍କୁଲ ନଗଲେ ଗାଳି କରୁଥିଲା। ଆଉ ଏବେ…। ଏହି ସଂଳାପ ଗୁଡ଼ିକ ହେଲା ବରିଷ୍ଠ ଓଡ଼ିଶା ପ୍ରାଶାସନିକ ଅଧିକାରୀ ଡ. ଶ୍ବେତ କୁମାର ଦାଶଙ୍କ ରଚିତ ଏବଂ ନିର୍ଦ୍ଦେଶିତ ଆଉ ଏକ ସଚେତନାତାଧର୍ମୀ କ୍ଷୁଦ୍ର ଚଳିଚ୍ଚିତ୍ର ‘ଅନ୍‌ଲାଇନ୍‌ କ୍ଲାସ୍‌’ର, ଯାହାକି ଆଜି ମୁକ୍ତି ଲାଭ କରିଛି।

କରୋନା ମହାମାରୀ ପାଇଁ ସଟ୍‌ଡାଉନ୍, ଲକ୍‌ଡାଉନ୍ କଟକଣା ଲାଗିବା ସହ ଶିକ୍ଷାକ୍ଷେତ୍ର କିପରି ବିଶେଷ ପ୍ରଭାବିତ ହୋଇଛି, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଯାଇଥିବା ବେଳେ ଶିକ୍ଷାଦାନର ବିକଳ୍ପ ବ୍ୟବସ୍ଥା ଅନ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ ହୋଇଛି। ପ୍ରତ୍ୟେକ ବର୍ଗର ପିଲା ଓ ଅଭିଭାବକଙ୍କ ଉପରେ ଏହାର କଣ ପ୍ରଭାବ ରହୁଛି? କିପରି ଏକ ମଧ୍ୟବିତ୍ତ ପରିବାରରୁ ଆସିଥିବା ଏକ ମେଧାବୀ ଛାତ୍ର ଏଭଳି ଶିକ୍ଷା ବ୍ୟବସ୍ଥାକୁ ଗ୍ରହଣ କରି ନପାରି ତା’ର ସ୍କୁଲକୁ ଝୁରୁଛି, ତା’ର ମନକଥାକୁ ବାପା ବୁଝିପାରି ସମୟ ପୁଣି ବଦଳିବ, ସ୍କୁଲ ନିଶ୍ଚୟ ଖୋଲିବ ବୋଲି ସାନ୍ତ୍ବନା ଦେଇ ପୁଅର ମୁହଁରେ ହସ ଫୁଟାଇ ପାରିଛି। ଏଭଳି ଏକ ଭିନ୍ନ ସ୍ବାଦର କଥାବସ୍ତୁକୁ ନେଇ ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଛି। ଏହା ପୂର୍ବରୁ ଡ.ଦାଶଙ୍କ ଦ୍ବାରା ପ୍ରସ୍ତୁତ   ୨୦୧୯ମସିହାରେ ମହାନଦୀ ଉପରେ ପ୍ରସ୍ତୁତ ପ୍ରମାଣିକ ଚଳିଚ୍ଚିତ୍ର ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା।  କରୋନା ମହାମରୀ ବେଳେ ମାସ୍କର ଉପଯୋଗିତାକୁ ନେଇ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ମାସ୍କକୁ ଅପୂର୍ବ ସଫଳତା ମିଳିବା ସହ ଅନ୍ତର୍ଜାତୀୟସ୍ତରରେ ପୁରସ୍କୃତ ହୋଇଥିଲା। ସେହିପରି ‘ଅନ୍‌ଲାଇନ୍ କ୍ଲାସ୍’ ମଧ୍ୟ ଭଲ ଦର୍ଶକ ଆଦୃତି ମିଳିବ ବୋଲି ନିର୍ମାତା ଆଶାବାଦୀ ଅଛନ୍ତି।

ଶ୍ରୀମତି ନୀଳା ମହାପାତ୍ରଙ୍କ ଅଲ୍ ଇମେଜ୍‌ ବ୍ୟାନର୍‌ରେ ନିର୍ମାଣ ହୋଇଥିବା ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ଅମ୍ବିକେଶ କୁନାଲ ହୋତା ସମ୍ପାଦନା, ସଂଗୀତ ଏବଂ ଶବ୍ଦ ସଂଯୋଜନା କରିଛନ୍ତି। ନାଗେଶ୍ବର ମହାରଣା ସହ ନିର୍ଦଶନା ଦେଇଥିବା ଦେଇଥିବା ବେଳେ ମନେରାଂଜନ ନାୟକ ଚିତ୍ର ଉତ୍ତୋଳନ ସହ କ୍ରିଏଟିଭ୍‌ ଡାଇରେକ୍ଟର ଦାୟିତ୍ବ ତୁଲାଇଛନ୍ତି। ବିଭିନ୍ନ ଭୂମିକାରେ କ୍ରିଷ୍ଣା ସାହୁ, ସଚି ସାରିଗାମା, ଏମ୍‌ ପ୍ରଭାତୀ, ଗଂଗାଧର ଦାସ, ସୁଶାନ୍ତ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର