ଲାଞ୍ଜିଗଡ଼: ନିୟମଗିରି ପାହାଡ଼ ଅଞ୍ଚଳରେ ଉତ୍ପାଦିତ ସପୁରିର ବହୁତ ଚାହିଦା। ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳକୁ ଏହି ସପୁରି ରତ୍ପାନି ହେଉଛି। ଉଦ୍ବେଗର ବିଷୟ ଯେ, ସପୁରି ଚାଷ କରୁଥିବା ଆଦିବାସୀ ଉଚିତ ମୂଲ୍ୟ ନପାଇ ଅଭବୀ ବିକ୍ରିର ଶିକାର ହେଉଛନ୍ତି। ବେପାରୀମାନେ ଅତି କମ୍ ମୂଲ୍ୟରେ କିଣିବା ସହିତ ଚଢ଼ାଦରରେ ବିକ୍ରି ଲାଭବାନ ହେଉଛନ୍ତି।
ଝରଣିଆ, ଡଙ୍ଗରିଆ କନ୍ଧଙ୍କୁ ମିଳୁନି ଉଚିତ ମୂଲ୍ୟ
୫ ଟଙ୍କାରେ କିଣି ଚଢ଼ାଦରରେ ବିକୁଛନ୍ତି ବ୍ୟବସାୟୀ
୨୪ବର୍ଷ ଧରି ଅଭିଯୋଗ କରୁଛନ୍ତି, କେହି ଶୁଣୁନାହାନ୍ତି
ନିୟମଗିରି ପାହାଡ଼ର ଜଙ୍ଗଲ ମଧ୍ୟରେ ଉଭୟ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ଛୋଟ ଛୋଟ ଆଦିବାସୀ ଗାଁ ରହିଛି। ଏହି ପର୍ବତ ଅନ୍ତର୍ଗତ କୁର୍ଲ୍ଲୀ, ଖମ୍ବେସି, ଖଲଗି, ଗଡ଼ତଲି, କନ୍ତାଗୁମା, ଉପରଗୁମା, ଗଡ଼ଝଲି, ଆମଦୁଣୀ, ଗଇପଟା, କୁଚେଲି, ହଟେସି, ମୁଣ୍ଡବାଲି, ତୁଣ୍ଡିଜାଲି, ଲଡ଼ାଙ୍ଗ ଆଦି ଗାଁଗୁଡ଼ିକରେ ପ୍ରଚୁର ପରିମାଣରେ ସପୁରି ଚାଷ ହୋଇଥାଏ। ଝରଣିଆ, ଡଙ୍ଗରିଆ କନ୍ଧ ଆଦିବାସୀମାନେ ପାହାଡ଼ ଉପରେ ୩-୪ ମାସ ଧରି ବଡ଼ କଷ୍ଟରେ ଏହି ସପୁରି ଚାଷ କରିଥାନ୍ତି, ଯାହାକୁ କି ବିକ୍ରି କରିବାପାଇଁ ରାୟଗଡ଼ା ଜିଲ୍ଲାର ଚାଟିକଣା, ବିଷମ କଟକ, ମୁନିଗୁଡ଼ା, ଅମ୍ବାଦଳା, କଲ୍ୟାଣିସିଂପୁର ଓ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼, ଲାଞ୍ଜିଗଡ଼ ରୋଡ୍, ବିଶ୍ୱନାଥପୁର ଓ ଭବାନୀପାଟଣା ଆଣିଥା’ନ୍ତି। ପାହାଡ଼ରେ ଭଲ ରାସ୍ତା ନଥିବାରୁ ସେମାନଙ୍କୁ ମୁଣ୍ଡରେ ସପୁରି ବୋହି ବି ଆଣିବାକୁ ପଡ଼ିଥାଏ। ହେଲେ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ବ୍ୟବସାୟୀମାନେ ଏହି ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ଗୋଟି ମୂଲ୍ୟରେ ୫ରୁ ୭ ଟଙ୍କା ଦେଇ ସବୁ ସପୁରି କିଣି ନେଉଛନ୍ତି।
ବଜାରରେ ଏହା ଗୋଟାକୁ ୪୦ ରୁ ୫୦ ଟଙ୍କା ଏବଂ ବଡ଼ ବଡ଼ ମଲ୍ମାନଙ୍କର ପନିପରିବା ସେଣ୍ଟରରେ ୮୦ ରୁ ୯୦ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ବିକ୍ରି ହେଉଛି। ଏନେଇ ପ୍ରାୟ ୨୪ ବର୍ଷ ଧରି ସରକାରଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଆଦିବାସୀମାନେ ମତ ପ୍ରକାଶ କରିଛନ୍ତି। ଏ ଦିଗରେ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସପୁରିରେ ମଦ, ଜେଲି, କେକ୍, ଆଚାର ତିଆରି କରାଯାଉଛି।