କେସିଙ୍ଗା: କଳାହାଣ୍ଡି ଜିଲ୍ଲାରେ ଗତ ୧୫ ଦିନରୁ ଅଧିକ ହେଲା ଧାନ ଅମଳ ଆରମ୍ଭ ହୋଇଯାଇଛି। ହେଲେ ପ୍ରଶାସନ ମଣ୍ଡି ନଭେମ୍ବର ୨୯ରେ ଆରମ୍ଭ କରୁଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଏହି ବିଳମ୍ବିତ ମଣ୍ଡି ମିଲର୍ସ ଓ ଦଲାଲଙ୍କୁ ବେଶ୍‌ ସୁହାଉଛି। ଏବେ ପ୍ରଚୁର ପରିମାଣର ଧାନ ଦଲାଲ ଜରିଆରେ ମିଲ୍‌କୁ ପଶୁଥିବା ଦେଖିବାକୁ ମିଳୁଛି। ଗତ ୧୫ ତାରିଖ ଦିନର ଘଟଣାରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି। ସେହିଦିନ କେସିଙ୍ଗା ବ୍ଲକ୍‌ ଉତ୍କେଲାସ୍ଥିତ ଅରିହନ୍ତ ରାଇସ୍‌ମିଲ୍‌କୁ ବେଆଇନ ଭାବେ ଧାନ ପଶୁଥିବା ଭିଡିଓ ଭାଇରାଲ ହୋଇଥିଲା। ଧାନବୋଝେଇ ହୋଇଥିବା ୬ଟି ପିକ୍‌ଅପ୍‌ ଭ୍ୟାନ୍‌ ଓ ଗୋଟିଏ ମିନିଟ୍ରକ୍‌ ମିଲ୍‌‌କୁ ଆସିଥିଲା। ମିଲ୍‌ ମାଲିକ ବି ଏହାକୁ ସ୍ବୀକାର କରିଥିଲେ। ‘ସମସ୍ତେ କିଣୁଛନ୍ତି, ମୁଁ ବି କିଣିଲି’ ବୋଲି ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ। ତାଙ୍କର ଏହି ମନ୍ତବ୍ୟରୁ ସାରା ଜିଲ୍ଲାର ମିଲ୍‌ଗୁଡ଼ିକୁ ଏଭଳି ଭାବେ ବେଆଇନ ଧାନ ପଶି ସାରିଥିବା ଓ ଏବେ ବି ପଶୁଥିବା ସ୍ପଷ୍ଟ ହୋଇଯାଇଛି। ତଥାପି ଯୋଗାଣ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ ଠୋସ୍‌ ପଦକ୍ଷେପ ନିଆଯାଉ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏପରିକି ସ୍କ୍ବାଡ୍‌ ଗଠନ କରି ଚଢ଼ଉ ପ୍ରହସନ ବୋଲି ଆଲୋଚନା ହେଉଛି। ଉତ୍କେଲା ଘଟଣାରେ ଜିଲ୍ଲା ଯୋଗାଣ ବିଭାଗ ଆଜି ଯାଏଁ ତଦନ୍ତ କଥା କହୁଛି। ହେଲେ ଦିନ ବେଳେ ଖୋଲା ଖୋଲି ଚୋରି ପରେ ବି ସମସ୍ତେ ଚୁପ୍‌। ବର୍ତ୍ତମାନ ମାମଲାକୁ ରଫାଦଫା କରିବାରେ ବିଭାଗ ଲାଗିପଡ଼ିଥିବା ଆଲୋଚନା ହେଉଛି।

Advertisment

ଜିଲ୍ଲାରେ ଗତବର୍ଷ ୫୬ ଲକ୍ଷ କୁଇଣ୍ଟାଲ ଧାନକିଣା ହୋଇଥିଲା। ଏ ବର୍ଷ କୃଷି ବିଭାଗ ରିପୋର୍ଟ ଅନୁଯାୟୀ ପ୍ରାୟ ୭୦ ଲକ୍ଷ କୁଇଣ୍ଟାଲ ଧାନ ଅମଳ ହେବା ସମ୍ଭାବନା ରହିଛି। ଗତବର୍ଷର ରିପୋର୍ଟକୁ ଦେଖି ରାଜ୍ୟ ଯୋଗାଣ ବିଭାଗ ୫୧ ଲକ୍ଷ ୪୭ ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦେଇଛି। ଏଥିପାଇଁ ୨୧୯ ଧାନକ୍ରୟ କେନ୍ଦ୍ର ମାଧ୍ୟମରେ ସମବାୟ ସଂସ୍ଥା କିଣିବାକୁ ପ୍ରସ୍ତୁତ ହୋଇଛି। ଭବାନୀପାଟଣା ଉପଖଣ୍ଡରେ ଏବେ ୩୦ ପ୍ରତିଶତ ଛୋଟଧାନ ଅମଳ ହୋଇଗଲାଣି। କିନ୍ତୁ, ମଣ୍ଡି ଖୋଲି ନଥିବାରୁ ଚାଷୀମାନେ କୁଇଣ୍ଟାଲ ପିଛା ୫ଶହରୁ ୬ ଶହ ଟଙ୍କା କମ୍‌ ଦରରେ ଦଲାଲମାନଙ୍କୁ ବିକ୍ରି କରୁଛନ୍ତି। ଏବେ ଗାଁ ଗାଁରେ ଦଲାଲ ସକ୍ରିୟ ହୋଇ ଛୋଟ ଚାଷୀମାନଙ୍କଠାରୁ ଧାନ ନେଇ ବେଆଇନ ଭାବେ ରାଜ୍ୟ ବାହାରକୁ ବି ଚାଲାଣ କରୁଛନ୍ତି। ଏହି କାରବାରରେ ମିଲର୍ସ ଓ ଦଲାଲମାନେ କୋଟି କୋଟି ଟଙ୍କାର ଲାଭ ପାଉଛନ୍ତି। ସେମାନଙ୍କୁ ଯୋଗାଣ ବିଭାଗ ମଧ୍ୟ ପ୍ରତ୍ୟକ୍ଷ ବା ପରୋକ୍ଷରେ ସହଯୋଗ କରୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ବିଭାଗୀୟ କର୍ତ୍ତୃପକ୍ଷ ଧାନ ଅମଳ ହୋଇ ନଥିବା କହୁଛି।