ଭୁବନେଶ୍ବର : ରାଜ୍ୟରେ କୋଭିଡ୍ ଟେଷ୍ଟିଂ କିଟ୍ର ଅଭାବ ଦେଖା ଦେଇଛି। ବିଶେଷକରି ଜିଲ୍ଲାୱାରୀ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅଧିକାଂଶ ଜିଲ୍ଲାକୁ ଆବଶ୍ୟକ ସଂଖ୍ୟକ କିଟ୍ ମିଳିପାରୁ ନ ଥିବା ଅଭିଯୋଗ ହୋଇଛି। ଯାହାଫଳରେ ରାଜ୍ୟ ସରକାର ଦୈନିକ ୫୦ହଜାର ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ରଖିଛନ୍ତି ତାହା ନିକଟରେ ହାସଲ ହେବା ନେଇ ଆଶଙ୍କା ଦେଖା ଦେଇଛି। ରାଜ୍ୟରେ ଏବେ ଦୈନିକ ୬ହଜାରରୁ ଅଧିକ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଥିପାଇଁ ୩୯ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ଯଦିଓ ରାଜ୍ୟରେ ଏବେ ଆର୍ଟି-ପିସିଆର ନମୁନା ପରୀକ୍ଷା ସଂଖ୍ୟା ବଢ଼ିଛି ତଥାପି ରାଜ୍ୟ ସରକାର ରୋଗୀଙ୍କ ପାଇଁ ରାପିଡ୍ ଆଣ୍ଟିଜେନ୍ କିଟ୍ ଉପରେ ଅଧିକ ନିର୍ଭରଶୀଳ। ହେଲେ ପ୍ରାୟ ସପ୍ତାହେ ହେବ ରାଜ୍ୟରେ ରାପିଡ୍ କିଟ୍ର ଅଭାବ ସୃଷ୍ଟି ହୋଇଛି। ଯାହାଫଳରେ ଦିନକୁ ଦିନ ନମୁନା ପରୀକ୍ଷା ସଂଖ୍ୟା କମିବାରେ ଲାଗିଛି। ଜିଲ୍ଲାକୁ ଅଧିକ ସଂଖ୍ୟାରେ କିଟ୍ ଯୋଗାଇ ଦେବା ଲାଗି ବାରମ୍ବାର କୁହାଯାଉଥିଲେ ହେଁ, ରାଜ୍ୟ ଔଷଧ ନିଗମ କିଟ୍ ଯୋଗାଇବାରେ ବିଫଳ ହୋଇଛି।
ସୂଚନା ଅନୁସାରେ, ଔଷଧ ନିଗମ ପକ୍ଷରୁ ଯେଉଁ କମ୍ପାନିକୁ ଟେଷ୍ଟଂ କିଟ୍ ଦେବା ଲାଗି ଟେଣ୍ଡର ଦିଆଯାଇଛି। ସଂପୃକ୍ତ କମ୍ପାନି ଆବଶ୍ୟକ ସଂଖ୍ୟକ କିଟ୍ ଯୋଗାଇ ପାରୁନାହିଁ। ଯେତିକି ସଂଖ୍ୟକ କିଟ୍ ଆସୁଛି ତାହା ଦୈନିକ ପରୀକ୍ଷା ପାଇଁ ଜିଲ୍ଲାସ୍ତରରେ ଯଥେଷ୍ଟ ହେଉନାହିଁ। ଗୋଟିଏ ପଟେ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଅଧିକରୁ ଅଧିକ ନମୁନା ପରୀକ୍ଷାର ଆବଶ୍ୟକତା ରହିଛି। ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା କରାଗଲେ ରୋଗୀଙ୍କୁ ଚିହ୍ନଟ କରିବା ସହିତ ଟ୍ରାକିଂ କରିବା ସହଜ ହେବ ବୋଲି ବିଶେଷଜ୍ଞମାନେ କହୁଥିବା ବେଳେ ରାଜ୍ୟରେ ତାହାର ଓଲଟା ଦେଖିବାକୁ ମିଳିଛି।
ସେହିପରି ଆର୍ଟି-ପିସିଆର ଓ ରାପିଡ୍ କିଟ୍କୁ ବାଦ୍ ଦେଲେ ରାଜ୍ୟରେ ଟ୍ରୁନାଟ୍ ମେସିନ୍ରେ ମଧ୍ୟ ପରୀକ୍ଷା କରାଯାଉଛି। ମାତ୍ର ଏହା ବିଶେଷ ଫଳପ୍ରଦ ହେଉନାହିଁ। ଗତ ୨୪ଘଣ୍ଟାରେ ରାଜ୍ୟରେ ମାତ୍ର ୪୪ଟି ନମୁନା ଟ୍ରୁନାଟ୍ରେ ପରୀକ୍ଷା ହୋଇଛି। ଟ୍ରୁନାଟ୍ର ୨ଚ୍ୟାନେଲ ଓ ୪ଚ୍ୟାନେଲ୍ ମେସିନ୍ ରହିଛି। ୨ଚ୍ୟାନେଲରେ ମାତ୍ର ୨ଟି ଓ ୪ଚ୍ୟାନେଲରେ ୪ଟି ନମୁନା ପରୀକ୍ଷା ହୋଇପାରିବ। କେବଳ ଖୋର୍ଧା ଓ ଭୁବନେଶ୍ବରକୁ ବାଦ୍ ଦେଲେ ଜିଲ୍ଲାରେ ଏହି ପରୀକ୍ଷା କରାଯାଉନାହିଁ। ରାଜ୍ୟର ସବୁ ଜିଲ୍ଲାରେ ଏହି ମେସିନ୍ ରହିଥିଲେ ହେଁ, ପରୀକ୍ଷା ପାଇଁ ଅଧିକ ସମୟ ଲାଗୁଥିବାରୁ ଏଥିପାଇଁ ଜିଲ୍ଲାସ୍ତରରେ ଏହାକୁ ପରୀକ୍ଷା କରିବା ଲାଗି ଆଗ୍ରହ ପ୍ରକାଶ କରୁ ନାହାନ୍ତି।
ଏ ସଂପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ, କୌଣସି ଉତ୍ତର ମିଳିପାରି ନାହିଁ। ଏହାସହ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ମଧ୍ୟ କୌଣସି ଉତ୍ତର ଦେଇ ନାହାନ୍ତି।