ଭୁବନେଶ୍ବର: ରାଜ୍ୟରେ ୧୮-୪୪ବର୍ଗଙ୍କ ଟିକାକରଣ ଧିମେଇଯିବ। ଏପରିକି ଏହି ବର୍ଗର ଲୋକଙ୍କ ଟିକାକରଣ ମଧ୍ୟ କିଛି ଦିନ ପାଇଁ ବନ୍ଦ ହୋଇଯାଇପାରେ। ରାଜ୍ୟରେ ଏହି ବର୍ଗର ଲୋକଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଟିକା ନଥିବାରୁ ଏଭଳି ଆଶଙ୍କା ସୃଷ୍ଟି ହେଲାଣି। ଦୁଇ ଟିକା ଉତ୍ପାଦନକାରୀ କମ୍ପାନିଙ୍କଠାରୁ ରାଜ୍ୟକୁ ଟିକା ଆସିବା ଲାଗି ଆହୁରି ସପ୍ତାହ ଲାଗିବ ବୋଲି ଜଣାପଡ଼ିଛି। ରାଜ୍ୟର ୫ଟି ମ୍ୟୁନିସିପାଲିଟି ସହ ୬ ଜିଲ୍ଲାରେ ଏହି ବର୍ଗଙ୍କ ଟିକାକରଣ ଚାଲୁଥିବା ବେଳେ ତାହା ବିଶେଷ ଭାବେ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ରାଜ୍ୟ ସରକାର ନିଜସ୍ବ ଖର୍ଚରେ ୧୮-୪୪ବର୍ଗ ଲୋକଙ୍କ ଟିକାକରଣ କରୁଛନ୍ତି। ଅଧିକ ପଜିଟିଭ୍ ହାର ରହିଥିବା ଅଞ୍ଚଳକୁ ଟିକାକରଣ କରିବା ଲାଗି ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ରାଜ୍ୟରେ ଏହି ବର୍ଗର ୭ଲକ୍ଷ ୪୨ହଜାର ୫୫୨ଜଣଙ୍କୁ ଏ ପର୍ଯ୍ୟନ୍ତ ଟିକା ଦିଆସରିଲାଣି। ଟିକା ଉତ୍ପାଦନକାରୀ ଦୁଇ କମ୍ପାନି ଭାରତ ବାଇଓଟେକ୍ର ୩୪୭୦ ଓ ସିରିମ୍ ଇନଷ୍ଟିଚ୍ୟୁଟ୍ ଟିକା ୧୪,୭୩୦ ଡୋଜ୍କୁ ମିଶାଇ ରାଜ୍ୟରେ ଏବେ ୧୮,୨୦୦ ଟିକା ମହଜୁଦ୍ ରହିଛି। ରାଜ୍ୟରେ ୧୮-୪୪ବର୍ଗର ଦୈନିକ ପ୍ରାୟ ୨୦ହଜାର ଲୋକଙ୍କ ଟିକାକରଣ ହେଉଛି। ତେଣୁ ରାଜ୍ୟରେ ଏବେ ଯେତିକି ଟିକା ମହଜୁଦ ରହିଛି, ଏହି ଧାରାରେ ଟିକାକରଣ ଜାରି ରହିଲେ ତାହା ଗୋଟିଏ ଦିନରେ ଶେଷ ହୋଇଯିବ। ଫଳରେ ପରବର୍ତ୍ତୀ ଦିନଗୁଡ଼ିକରେ କିଭଳି ଟିକାକରଣ ଜାରି ରହିବ, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।
ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୭ ତାରିଖରେ ଭାରତ ବାଇଓଟେକ୍ ଦ୍ବାରା ପ୍ରସ୍ତୁତ 'କୋଭାକ୍ସିନ୍'ର ୨୬ହଜାର ଡୋଜ୍ ଓ ୯ତାରିଖରେ ସରିମ୍ ଇନଷ୍ଟିଚ୍ୟୁଟ୍ 'କୋଭିସିଲ୍ଡ'ର ୨ଲକ୍ଷ ୨୭ହଜାର ୭୫୦ ଡୋଜ୍ ଟିକା ଓଡ଼ିଶା ପହଞ୍ଚିଯିବାର ଯୋଜନା ରହିଛି। ତେଣୁ ଏବେ ସୁଦ୍ଧା ମହଜୁଦ ଥିବା ଟିକା ଶେଷ ହେବା ପରେ ୧୮-୪୪ବର୍ଗର ଲୋକଙ୍କୁ ଟିକା ଦେବା ସମ୍ଭବ ହେବ ନାହିଁ।
ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୪୫ ବର୍ଷରୁ ଅଧିକ ଲୋକଙ୍କ ଟିକାକରଣ ପାଇଁ ଦୁଇ ପ୍ରକାରର ଟିକା ଯୋଗାଇ ଦିଆଯାଉଛି। ତେବେ 'କୋଭାକ୍ସିନ୍' କେବଳ ବିଏମ୍ସି ଅଞ୍ଚଳରେ ଦିଆଯାଉଛି। ଏହାର ବଳକା ଭାଗକୁ ୧୮-୪୪ବର୍ଗର ଲୋକଙ୍କ କ୍ଷେତ୍ରରେ ବ୍ୟବହାର କରିବା ଲାଗି ରାଜ୍ୟ ସରକାର ସପ୍ତାହ ତଳେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଯଦି କେନ୍ଦ୍ର ସରକାର ଏହାକୁ ଅନୁମତି ଦିଅନ୍ତି, ତାହାଲେ ରାଜ୍ୟ ସରକାର ଏହାକୁ ବ୍ୟବହାର କରିପାରନ୍ତି ବୋଲି ସମ୍ଭାବନା ରହିଛି। ଆସନ୍ତା ୨/୩ଦିନ ଭିତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ଉତ୍ତର ମିଳିପାରେ ବୋଲି ଆଶା କରାଯାଉଛି।
ଆଜି ରାଜ୍ୟରେ ୯୦୨ ଟିକାକରଣ ଅଧିବେଶନରେ ୧ଲକ୍ଷ ୧୦ହଜାର ୩୯୩ଜଣଙ୍କୁ କରୋନା ଟିକା ଦିଆଯାଇଛି। ଏଥିରେ ୧୮-୪୪ବର୍ଗର ୧୭,୨୫୬ଜଣ, ୪୫ବର୍ଷରୁ ଅଧିକ ୮୫,୧୫୭ଜଣଙ୍କୁ ପ୍ରଥମ ଓ ୪୯୪୧ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଏହାକୁ ମିଶାଇ ସମୁଦାୟ ୭୮ଲକ୍ଷ ୬୨ହଜାର ୫୯୭ଜଣ ଟିକା ନେଇ ସାରିଲେଣି। ସେହିପରି ରାଜ୍ୟରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୮ ପ୍ରତିଶତ ପ୍ରଥମ, ୮୯ ପ୍ରତିଶତ ଦ୍ବିତୀୟ, ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ୧୨୯ ପ୍ରତିଶତ ପ୍ରଥମ ଓ ୯୫ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇ ସାରିଛନ୍ତି। ଆସନ୍ତାକାଲି ରାଜ୍ୟରେ ୭୩୧ ଅଧିବେଶନରେ ଟିକାକରଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।