ଆସିକା/ଧରାକୋଟ : ଘରୋଇ କଳିରୁ ପତ୍ନୀ ଉପରକୁ ଗୁଳି ଚଳାଇଛି ସ୍ବାମୀ। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଓ ବଡ଼ଗଡ଼ ଥାନା ଅଧୀନ ରୁଗୁମୁ ପଞ୍ଚାୟତ ରାଶିବାଡ଼ି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗୁରୁତର ମହିଳା ଜଣକ ହେଉଛନ୍ତି, ଶୈଳେନ୍ଦ୍ରୀ ପାତ୍ର। ତାଙ୍କ ବାମକାନ୍ଧରେ ଗୁଳି ବାଜିଥିବାରୁ ଆସିକା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଏହି ଉନ୍ମତ୍ତକାଣ୍ଡ ଘଟାଇଥିବା ସ୍ବାମୀ ମହାଦେବ ପାତ୍ର ଫେରାର୍ ହୋଇଯାଇଥିବା ବେଳେ ତାକୁ ଧରିବା ଲାଗି ପୁଲିସ ଚଢ଼ଉ ଜାରି ରଖିଛି।
ଏରଗୋଲା ସଂପ୍ରଦାୟର ମହାଦେବ ଗତ କିଛିଦିନ ହେଲା ଏକ ଦେଶୀ ବନ୍ଧୁକ ଆଣି ଜଙ୍ଗଲକୁ ଶିକାର ପାଇଁ ଯାଉଥିଲା। ଆଜି ପତ୍ନୀ ଶୈଳେନ୍ଦ୍ରୀ ସହ କୌଣସି କାରଣକୁ ନେଇ ଘରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଅପରାହ୍ନରେ ପତିପତ୍ନୀ ଜଙ୍ଗଲରୁ କସେଇ ଗ୍ରାମଦେଇ ଘରକୁ ଫେରୁଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ତୀବ୍ର ବଚସା ହୋଇଥିଲା। ଏଥିରେ ମହାଦେବ ଉତ୍କ୍ଷିପ୍ତ ହୋଇ କସେଇ ଗ୍ରାମ ସ୍କୁଲ୍ ନିକଟରେ ଶୈଳେନ୍ଦ୍ରୀଙ୍କୁ ଲକ୍ଷ୍ୟକରି ବନ୍ଧୁକରୁ ଗୁଳି ଫୁଟାଇଥିଲା। ହେଲେ ଗୁଳିଟି ତାଙ୍କ ବାମକାନ୍ଧରେ ବାଜିଥିଲା। ଶୈଳେନ୍ଦ୍ରୀ ତଳେ ପଡ଼ିଯିବାରୁ ମହାଦେବ ଜଙ୍ଗଲ ଆଡ଼କୁ ଦୌଡ଼ି ଫେରାର୍ ହୋଇ ଯାଇଥିଲା। ସ୍ଥାନୀୟ ଲୋକେ ଶୈଳେନ୍ଦ୍ରୀଙ୍କୁ ଉଦ୍ଧାର କରି ଆସିକା ଡାକ୍ତରଖାନାକୁ ଆଣିଥିଲେ। ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।