କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ପଲଶାଗୋରା ଛକରେ ଶନିବାର ଅପରାହ୍ଣରେ ଗଞ୍ଜେଇ କାରବାରକୁ ନେଇ ଗୁଳି ଫୁଟିଛି। ଏଥିରେ ହୋମଗାର୍ଡ ଅବିନାଶ କର (ବଣ୍ଟି) ଆହତ ହୋଇଛନ୍ତି। ଆହତ ଅବିନାଶଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସୋନପୁର ଡାକ୍ତରଖାନାକୁ ନିଆଯାଇଛି। ସୂଚନା ଅନୁସାରେ, ଶନିବାର ଅପରାହ୍ଣରେ ପଲଶାଗୋରା ଗ୍ରାମର ସୁଜିତ୍ ଖଟୁଆଙ୍କ ପାଖକୁ ଝିଙ୍କରପାଲି ଗ୍ରାମର ୪ ଜଣ ଯୁବକ ଆସି ମୁଖ୍ୟ ରାସ୍ତା ଉପରେ କଥାବାର୍ତ୍ତା ହେଉଥିଲେ। କିଛି ସମୟ ପରେ ସେମାନଙ୍କ ମଧ୍ୟରେ ଗଞ୍ଜେଇ ବେପାରକୁ ନେଇ କଥା କଟାକଟି ହେବା ସହ ଗଣ୍ଡଗୋଳ ଉପୁଜିଥିଲା। ଏହା ଦେଖି ମନମୁଣ୍ଡା ଥାନାରେ କାର୍ଯ୍ୟରତ ହୋମଗାର୍ଡ ଅବିନାଶ ସେମାନଙ୍କୁ ବୁଝାସୁଝା କରିବାକୁ ଯାଉଥିଲେ। ଏହି ସମୟରେ ଅବିନାଶଙ୍କୁ ଲକ୍ଷ୍ୟ କରି ସୁଜିତ ଗୁଳି ଚଳାଇଥିଲେ। ଗୁଳି ଅବିନାଶଙ୍କ ଗୋଡ଼ରେ ବାଜିଥିଲା। ଏହାପରେ ସମସ୍ତେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ ମନମୁଣ୍ଡା ଥାନା ଅଧିକାରୀଙ୍କୁ ପଚାରିବାରୁ କୌଣସି ଅଭିଯୋଗ ହୋଇନଥିବା କହିଥିଲେ। ଏସ୍ପିଙ୍କୁ ପଚାରିବାରୁ ଘଟଣାର ପୁଲିସ ତଦନ୍ତ ଜାରି ରହିଛି, ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଥିଲେ। ଗଞ୍ଜେଇ ବେପାରକୁ ନେଇ ଏହି ଘଟଣା ଘଟିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।
ଗଞ୍ଜେଇ ବେପାରକୁ ନେଇ ଫୁଟିଲା ଗୁଳି: ହୋମ୍ଗାର୍ଡ ଆହତ
/sambad/media/post_attachments/wp-content/uploads/2024/07/hsfhhfshfhf.jpg)