ସୋନପୁର/ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲିମାଲ ଗାଁରେ ମଙ୍ଗଳବାର ଅଭାବନୀୟ ଘଟଣା ଘଟିଛି। ପୁଲିସର ସର୍ଭିସ୍ ପିସ୍ତଲ ଗୁଳିରେ କନଷ୍ଟେବଳ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍ଓ) ମନୋଜ ଝାଙ୍କର (୩୦) ଓ ତାଙ୍କ ସମ୍ପର୍କୀୟ ଭାଇ ଶେଷଦେବ ଝାଙ୍କର (୨୮)ଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ମନୋଜ ନିଜ ଗାଁ ଚୁଲିମାଲକୁ ଯାଇଥିଲେ। ସନ୍ଧ୍ୟାରେ କାକାପୁଅ ଶେଷଦେବ ଓ ଅନ୍ୟ ଦୁଇଜଣଙ୍କ ସହ ଚୁଲିମାଲ ଗାଁର ପାତ୍ରବେର୍ଣ୍ଣା ପଡ଼ିଆକୁ ଆସିଥିଲେ। ୪ ଜଣ ଯାକ ପାତ୍ରବେର୍ଣ୍ଣା ପଡ଼ିଆରେ ଏକାଠି ହୋଇଥିଲେ। ତେବେ କିଛି ସମୟ ପରେ ଉଭୟ ମନୋଜ ଓ ଶେଷଦେବଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଆରେ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ଉଭୟଙ୍କ ମୁଣ୍ଡରେ ଗୁଳି ବାଜିଥିବା ଜଣାଯାଇଛି।
ମନୋଜ ବ୍ୟବହାର କରୁଥିବା ସର୍ଭିସ୍ ପିସ୍ତଲରୁ ହିଁ ଗୁଳି ହୋଇଥିବା ଏକପ୍ରକାର ସ୍ପଷ୍ଟ ହୋଇଛି। ଘଟଣାସ୍ଥଳରେ ମନୋଜଙ୍କ ସର୍ଭିସ ପିସ୍ତଲ ପଡ଼ି ରହିଥିଲା। ହେଲେ କିଏ ଓ କାହିଁକି ସର୍ଭିସ୍ ପିସ୍ତଲରୁ ଦୁହିଁଙ୍କୁ ଗୁଳି କଲା, ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଅନ୍ୟ ୨ ଜଣଙ୍କୁ ଉଠାଇ ନେଇ ପଚରାଉଚରା କରୁଛି। ଖବର ପାଇ ଏସ୍ପି ୟଶପ୍ରତାପ ଶ୍ରୀମାଲ, ସୋନପୁର ଏସ୍ଡିପିଓ ପ୍ରତାପଚନ୍ଦ୍ର ତ୍ରିପାଠୀ, ବିନିକା ଥାନା ଆଇଆଇସି ସାରଙ୍ଗଧର ପାଣିଗ୍ରାହୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଛନ୍ତି। ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲଙ୍କ କହିବା ଅନୁଯାୟୀ, ସବୁ ଦିଗକୁ ନେଇ ଘଟଣାର ତଦନ୍ତ ଚାଲିଛି। ତଦନ୍ତ ପରେ କାରଣ ସ୍ପଷ୍ଟ ହେବ।