ମୋଟରସାଇକଲରେ କୁନି ଝିଅର ଶବ ବୋହିବା ଘଟଣା: କାରଣ ଦର୍ଶାଅ ନୋଟିସ ଜାରି କଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

କନକ ନ୍ୟୁଜର ପ୍ରଭାବ

ମାଲକାନଗିରି: ମାଲକାନଗିରିରେ ମୋଟରସାଇକଲରେ କୁନି ଝିଅର ଶବ ବୋହିବା ଘଟଣାରେ କନକ ନ୍ୟୁଜର ପ୍ରଭାବ ପଡ଼ିଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏନେଇ ଏକ ସର୍କୁଲାର ଜାରି କରିଛନ୍ତି। ତାହା ଅନୁଯାୟୀ, ଏଣିକି ଏଡିଏମଓ ବା ହସ୍ପିଟାଲ ମ୍ୟାନେଜରଙ୍କ ଜାଣତରେ ସମସ୍ତ ଶବ ଯିବ। ମୋଟରସାଇକଲରେ କୁନି ଝିଅର ଶବ ବୋହିବା ଘଟଣାରେ ନର୍ସିଙ୍ଗ ଓ୍ବାର୍ଡ ଇନଚାର୍ଜଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ମହାପ୍ରୟାଣ ଗାଡ଼ି ପାଇଁ ପରାମର୍ଶ ଦେଇ ନ ଥିବାରୁ ତାଙ୍କୁ ନୋଟିସ ଜାରି କରାଯାଇଛି।


ସୂଚନାଯୋଗ୍ୟ, ରକ୍ତ ନ ମିଳିବାରୁ ଅକାଳରେ ଚାଲିଯାଇଥିଲା ୪ବର୍ଷର ଜୀବନ। ଏହାପରେ ମିଳିଲାନି ଆମ୍ବୁଲାନ୍ସ। ତେଣୁ ବାଇକରେ ଗାଁ ପର୍ଯ୍ୟନ୍ତ ଗଲା ଶବ। ମାଲକାନଗିରି ଜିଲ୍ଲା ମହକୁମାରେ ଏଭଳି ଗୋଟିଏ ଅଭାବନୀୟ ତଥା ସମ୍ବେଦନଶୀଳ ଘଟଣା ଘଟିଛି। ସୂଚନା ଅନୁଯାୟୀ, ମାଲକାନଗିରି ବ୍ଲକ୍ ସିନ୍ଧ୍ରିମାଳ ପଞ୍ଚାୟତ ଅନ୍ତର୍ଗତ ତୋଙ୍ଗଗୁଡ଼ା ଗାଁର ଇର୍ମା ମାଢ଼ିଙ୍କ ୪ବର୍ଷର ଝିଅ ରଶ୍ମି ମାଢ଼ି ଗୁରୁତର ଅସୁସ୍ଥ ହୋଇଥିଲା। ତେଣୁ ଗତକାଲି ହିଁ ଇର୍ମା ଝିଅକୁ ଆଣି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ରଶ୍ମି ରକ୍ତହୀନତାର ଶିକାର ହୋଇଥିବା ଜଣାପଡ଼ିଥିଲା।ତେଣୁ ରକ୍ତ ଯୋଗାଡ଼ କରିବାକୁ ଇର୍ମାଙ୍କୁ ଡାକ୍ତରଖାନା କର୍ତ୍ତୃପକ୍ଷ କହିଥିଲେ। ଏମିତି ସ୍ଥିତିରେ ନିଜର ବୋଲି କେହି ମାଲକାନଗିରି ନଥିବା ବେଳେ ଅନେକ ସ୍ଥାନରେ ଯୋଗାଯୋଗ ସତ୍ତ୍ବେ ରକ୍ତ ଯୋଗାଡ଼ କରିପାରି ନଥିଲେ। ତଥାପି ଝିଅକୁ ବଞ୍ଚାଇବା ପାଇଁ ପୂରା ଜୋର୍ ଲଗାଇ ଦେଇଥିଲେ। କିନ୍ତୁ ରକ୍ତ ନ ପାଇ ଚିକିତ୍ସାଧୀନ ଅବସ୍ଥାରେ ରଶ୍ମିର ମୃତ୍ୟୁ ହୋଇଯାଇଥିଲା। ଆଖି ସାମ୍ନାରେ ଝିଅର ମୃତ୍ୟୁ ଇର୍ମାଙ୍କୁ ଗଭୀର ମର୍ମାହତ କରିଥିଲା।

ଆଗକୁ କ’ଣ କରିବେ, ଝିଅର ଶବ କେମିତି ଗାଁକୁ ନେବେ ଇର୍ମାଙ୍କୁ ବିବ୍ରତ କରିଥିଲା। ଏଭଳି ଦୁଃଖଦ ମୁହୂର୍ତ୍ତରେ ସମବେଦନା ଏବଂ ସହାୟତା ବଦଳରେ ଶବ ନେବା ବୋଝ ବି ଇର୍ମାଙ୍କ ଉପରେ ପକାଇ ଦେଇଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ। ଯଦି ଡାକ୍ତରଖାନା ପକ୍ଷରୁ ଆମ୍ବୁଲାନ୍ସ ଦିଆଯିବ ତେବେ ଏଥିପାଇଁ ୭ଶହରୁ ୮ଶହ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବ ବୋଲି ଇର୍ମାଙ୍କୁ କୁହାଗଲା। ଝିଅକୁ ବଞ୍ଚାଇ ପାରି ନଥିବା ବେଳେ ପାଖରେ ଟଙ୍କା ନଥିବାରୁ ଅସହାୟ ଅବସ୍ଥାକୁ ଚାଲି ଆସିଥିଲେ। ଝିଅକୁ ବାଇକ୍ରେ ଡାକ୍ତରଖାନା ଆଣିଥିବା କିଛି କର୍ମଚାରୀ ଜାଣିବା ପରେ ସେଥିରେ ଶବ ନେଇଯିବାକୁ ପରାମର୍ଶ ଦେଇଥିଲେ। ଯେମିତି ହେଲେ ସଂଧ୍ୟା ସୁଦ୍ଧା ପହଞ୍ଚି ଶେଷକୃତ୍ୟ କରିବାକୁ ପଡ଼ିବ, ତେଣୁ ଝିଅର ଶବକୁ ୧୦କିଲୋମିଟର ରାସ୍ତା ବାଇକରେ ବୋହିଲେ ଇର୍ମା। ତୋଙ୍ଗଗୁଡାରେ ରଶ୍ମିର ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର