ଛାତ୍ରୀ କୋଳି ବିକିବାରୁ କାରଣଦର୍ଶାଅ ନୋଟିସ

୮ ଛାତ୍ରୀଙ୍କ ମଧ୍ୟରୁ ୩ଜଣଙ୍କ ସ୍କୁଲ୍‌ ବନ୍ଦ ଥିଲା
୩ ଦିନ ଭିତରେ ଉତ୍ତର ରଖିବାକୁ ପ୍ରଧାନଶିକ୍ଷକଙ୍କୁ ବିଇଓ କହିଲେ

ଯାଜପୁରସଦର : ସ୍କୁଲ ଛୁଟିଦିନରେ କେତେକ ଛାତ୍ରୀ କୋଳି ବିକୁଥିବାରୁ ସଂପୃକ୍ତ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଯାଜପୁର ବ୍ଲକ ଶିକ୍ଷା ଅଧିକାରୀ। ୩ଦିନ ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଛି। ଏହାକୁ ନେଇ କେହିକେହି ପ୍ରଶ୍ନ ଉଠାଇଥିବାବେଳେ ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗତ ୨୭ ତାରିଖ ଦିନ ଯାଜପୁର ବ୍ଲକ୍‌ ଶିକ୍ଷାଧିକାରୀ (ବିଇଓ) ସ୍ମୃତିରେଖା ନାୟକ କିଛି ଛାତ୍ରଛାତ୍ରୀ କୋଳି ବିକ୍ରି କରୁଥିବାର ଦେଖିଥିଲେ। ସେଦିନ ବିଇଓ ଶ୍ରୀମତୀ ନାୟକ ବିଭିନ୍ନ ସ୍କୁଲ ପରିଦର୍ଶନରେ ଯାଇଥିଲେ। ଏହି ଗସ୍ତ ସମୟରେ ରାସ୍ତା କଡ଼ରେ ୮ ଛାତ୍ରଛାତ୍ରୀ ଖଜୁରି କୋଳି ବିକ୍ରି କରୁଥିବା ତାଙ୍କ ନଜରକୁ ଆସିଥିଲା। ସେମାନଙ୍କ ମଧ୍ୟରୁ ୫ ଜଣ ମ୍ୟୁନିସିପାଲିଟ ହାଇସ୍କୁଲ ଓ ୩ ଜଣ ସୁନ୍ଦୁରାଇମୁହଁ ଊର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଥିଲେ। ଏହା ଦେଖିବାପରେ ବିଇଓ ଉଭୟ ସ୍କୁଲ କର୍ତ୍ତୃପକ୍ଷଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିବା ସହ ଚିଠି ପାଇବାର ୩ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦେଶ ଦେଇଛନ୍ତି।

ସେଦିନ ଶୁକ୍ରବାର ଥିବାରୁ ଊର୍ଦ୍ଦୁ ସ୍କୁଲ ବନ୍ଦ ରହିଥାଏ। ଛୁଟିଦିନରେ ପିଲାମାନେ ଘ‌ରେ ରହିଲେ କି କୁଆଡ଼େ ଗଲେ, କ’ଣ କଲେ ତାହା ନଜର ରଖିବା ଶିକ୍ଷକଙ୍କ ଦାୟିତ୍ୱ ନୁହଁ। ଏପରିକି ପରିବାର ଲୋକଙ୍କ ନିର୍ଦ୍ଦେଶରେ କିମ୍ବା କିଛି ରୋଜଗାର ନିମନ୍ତେ ଯଦି ସେମାନେ କିଛି ସାମଗ୍ରୀ ବିକ୍ରି କରନ୍ତି, ତେବେ ସେଠାରେ ଶିକ୍ଷକଙ୍କ ଭୂମିକା କ’ଣ ବୋଲି ପ୍ରଶ୍ନ ଉଠିଛି। ଏହାସତ୍ତ୍ବେ ଶିକ୍ଷା ଅଧିକାରୀ ସବୁ ଜାଣି ଊର୍ଦ୍ଦୁ ସ୍କୁଲର ତୃତୀୟ ଶ୍ରେଣୀ ଛାତ୍ରୀ, ଦ୍ୱିତୀୟ  ଶ୍ରେଣୀର ଓ ଚତୁର୍ଥ ଶ୍ରେଣୀର ଜଣେ ଛାତ୍ରୀ କାହିଁକି କୋଳି ବିକୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସ୍କୁଲ ଶିକ୍ଷକଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ କିମ୍ବା ମାନସିକ ଚାପରେ ରଖିବା ବା ନିଜର ପ୍ରଭାବ ଜାହିର କରିବା ପାଇଁ ଏପରି କାରଣଦର୍ଶାଅ ନୋଟିସ କରିଥିବା କୁହାଯାଉଛି।

ଅନ୍ୟପଟେ ମ୍ୟୁନିସିପାଲିଟି ହାଇସ୍କୁଲର ପଞ୍ଚମ ଓ ଷଷ୍ଠ ଶ୍ରେଣୀର ପିଲା ସ୍କୁଲ ନଯାଇ କୋଳି ବିକ୍ରି କରିଥିବାରୁ ବି କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ବିଦ୍ୟାଳୟର ସମୁଦାୟ ପିଲାରୁ ଯଦି କିଛି ପିଲା ଅନୁପସ୍ଥିତ ରହି ପରିବାର ଲୋକଙ୍କୁ କେଉଁ କାମରେ ସାହାଯ୍ୟ କରିବେ ଦୈନିକ ତହା ଯାଞ୍ଚ କରିବା ଶିକ୍ଷକଙ୍କ ପକ୍ଷେ ସମ୍ଭବ ନୁହେଁ। ତେବେ, କେଉଁ ଉଦ୍ଦେଶ୍ୟରେ ବ୍ଲକ ଶିକ୍ଷା ଅଧିକାରୀ ଊର୍ଦ୍ଦୁ ସ୍କୁଲର ପ୍ରଧାନଶିକ୍ଷକ ସହ ମ୍ୟୁନିସିପାଲିଟ ସ୍କୁଲର ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ଏନେଇ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ନାୟକଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ସମ୍ଭବ ହୋଇନାହିଁ।

ସମ୍ବନ୍ଧିତ ଖବର