କଟକ : ହାତୀ କରିଡର ପ୍ରସଂଗରେ ଜାତୀୟ ଗ୍ରିନ୍ ଟ୍ରିବୁନାଲ (ଏନଜିଟି) ୨୦୨୧, ଅଗଷ୍ଟ ୧୭ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ରାଜ୍ୟ ସରକାର କାର୍ଯ୍ୟକାରୀ କରୁ ନାହାନ୍ତି। ଏଭଳି ଅଭିଯୋଗ ନେଇ ଦାୟର ମାମଲାର ଏନଜିଟି ଶୁଣାଣି କରି ରାଜ୍ୟ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। କଣ ପାଇଁ ପୂର୍ବ ନିର୍ଦ୍ଦେଶ ପାଳନ କରାଯାଇ ନାହିଁ ସେ ନେଇ ଉତ୍ତର ରଖିବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ୱାଇଲ୍ଡ ଲାଇଫ ସୋସାଇଟି ଅଫ୍ ଇଣ୍ଡିଆ ଆବେଦନର ଶୁଣାଣି କରି ଏନଜିଟି ଏପରି ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩, ଜାନୁଆରି ୩୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ଉଲ୍ଲେଖ ଯୋଗ୍ୟ ଯେ ଏସିଆନ୍ ନେଚର କଂଜରଭେସନ ଫାଉଣ୍ଡେସନ ପକ୍ଷରୁ ଚିହ୍ନଟ କରାଯାଇଥିବା ୧୪ଟି ହାତୀ କରିଡର ନେଇ ବିଜ୍ଞପ୍ତି ପ୍ରକାଶ କରବାକୁ ଏନଜିଟି ୨୦୨୧, ଅଗଷ୍ଟ ୧୭ରେ ନିର୍ଦ୍ଦେଶ ଦେଇଥିଲେ। ଦୁଇ ମାସ ଭିତରେ ଏହି ୧୪ଟି ହାତୀ କରିଡର ପ୍ରସଂଗରେ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ଏନଜିଟି ନିର୍ଦ୍ଦେଶ ଦେଇଥିଲେ। ଏନଜିଟିରେ ମାମଲା ଶୁଣାଣି ବେଳେ ଦର୍ଶାଯାଇଥିଲା ଯେ ୨୦୧୫ର ସରକାରଙ୍କ ରିପୋର୍ଟ ଅନୁସାରେ ରାଜ୍ୟରେ ୧୯୭୭ଟି ହାତୀ ଥିଲେ। ରାଜ୍ୟରେ ତିନୋଟି ହାତୀ ପାଇଁ ସଂରକ୍ଷିତ ଅଞ୍ଚଳ (ରିଜର୍ଭ) ରହିଛି। କିନ୍ତୁ ହାତୀ ପାଇଁ କରିଡର ନାହିଁ। ୮୭୦.୬୧ ବର୍ଗ କିଲୋମିଟରରେ ଚିହ୍ନଟ ହୋଇଥିଲା ଏହି ୧୪ଟି ହାତୀ କରିଡର। ହାତୀଙ୍କ ସୁରକ୍ଷା ପାଇଁ ଏହି ହାତୀ କରିଡର ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଏଥି ପାଇଁ ପିସିସିଏଫ ମଧ୍ୟ ୨୦୧୨, ଅକ୍ଟୋବର ୧୧ରେ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହି ପ୍ରସଂଗ ଆଗେଇ ପାରି ନଥିଲା ବୋଲି ଏନଜିଟିରେ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଛନ୍ତି।