ଭୁବ‌ନେଶ୍ବର : ତାଗିଦ୍ ସତ୍ତ୍ବେ ଗଣମାଧ୍ୟମରେ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି ପୂର୍ବତନ ବିଧାୟକ କୈଳାସ କୁଲେସିକା। ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି। କୁଲେସିକାଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେ ସମ୍ପର୍କରେ ୭ ଦିନ ଭିତରେ ଉତ୍ତର ରଖିବାକୁ ଶ୍ରୀ କୁଲେସିକାଙ୍କୁ କୁହାଯାଇଥିଲା। ଶ୍ରୀ କୁଲେସିକା ଏହାର ଉତ୍ତର ପିସିସି ସଭାପତିଙ୍କୁ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ବକ୍ତବ୍ୟକୁ ଗଣମାଧ୍ୟମରେ ଠିକ ଭାବେ ପ୍ରକାଶ କରାଯାଇ ନାହିଁ। ଏଥିପାଇଁ ସେ ଦୁଃଖ ପ୍ରକାଶ କରିବା ସହିତ ଭବିଷ୍ୟତରେ ଏପରି କାମ କରିବେ ନାହିଁ। ଦଳକୁ ଶକ୍ତ କରିବା ଲାଗି ସେ ସବୁ କାମରେ ସହ‌ଯୋଗ କରିବେ ବୋଲି ଶ୍ରୀ କୁଲେସିକା କହିଛନ୍ତି।

Advertisment

ଉଲ୍ଲେଖ ଯେ ଶ୍ରୀ କୁଲେସିକା ଗଣମାଧ୍ୟମରେ ବାହିନୀପତି ଦମ୍ପତିଙ୍କ ବିରୋଧରେ ବିସ୍ଫୋରକ ବୟାନ ଦେଇଥିଲେ। କହିଥିଲେ ଦୁହେଁ ଦଳରେ ଥାଇ ବିଜେଡି ପାଇଁ କାମ କରୁଛନ୍ତି। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।