ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିବା କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ଜଣାଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ପିସିସି ସଭାପତି ଏହି ନୋଟିସ୍ ଜାରି କରିଛନ୍ତି। ଏଥିରେ ଆଗାମୀ ୨ ସପ୍ତାହ ଭିତରେ ଜବାବ ଦେବାକୁ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ରାଜ୍ୟ କଂଗ୍ରେସ ମିଡିଆ ସେଲ୍ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ସୂଚନା ଦେଇଛନ୍ତି।
ଯଦି ମୋକିମ ୨ ସପ୍ତାହ ଭିତରେ ଏହି ନୋଟିସର ସନ୍ତୋଷଜନକ ଉତ୍ତର ନ ଦେବେ ହୁଏତ ତାଙ୍କର ବିରୁଦ୍ଧରେ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି କୁହାଯାଉଛି। କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ପିସିସି ସଭାପତି ହେବା ନେଇ ଆଶା ବାନ୍ଧିଥିଲେ। ହେଲେ ହାଇକମାଣ୍ଡ ତାଙ୍କ ବଦଳରେ ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି ଦାୟିତ୍ବ ଦେବାରୁ ମୋକିମ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ଦ୍ରୌପଦୀଙ୍କୁ ଭୋଟ ଦେବା ପରେ ବାରବାଟୀ କଟକର ବିଧାୟକ ମହମ୍ମଦ ମୋକିମ ନିଜର ପ୍ରତିକ୍ରିୟାରେ କହିଥିଲେ, ମାଟିର ଝିଅଙ୍କୁ ଭୋଟ ଦେଲି। ତାଙ୍କ ବିଜୟରେ ମୋର ଗୋଟିଏ ଭୋଟ୍ ମିଶିଲେ ମୁଁ ଗର୍ବିତ ହେବି। ରାଷ୍ଟ୍ରପତି ନିର୍ବାଚନ ପାଇଁ ଦଳୀୟ ହୁଇପ୍ ଜାରି ହୋଇ ନଥାଏ। ଏଣୁ ମୁଁ ନିଜର ବିବେକ ଅନୁଯାୟୀ ଭୋଟ୍ ଦେଇଛି। ଜଣେ ଓଡ଼ିଆ ହିସାବରେ ମୁଁ ଏହି ନିଷ୍ପତ୍ତି ନେଇଛି।
ବିଧାୟକ ମହମ୍ମଦ ମୋକିମ ଦଳର ନିଷ୍ପତ୍ତି ବିରୁଦ୍ଧରେ ଯାଇ ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ବଦଳରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବାରୁ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ପିସିସି ସଭାପତି ଶରତ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ କହିଥିଲେ, ଏହି ଘଟଣାର ତଦନ୍ତ କରାଯାଇ ହାଇକମାଣ୍ଡଙ୍କୁ ରିପୋର୍ଟ ଦିଆଯିବ। ତାପରେ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ।
ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇ ଅଡ଼ୁଆରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ: ଜାରି ହେଲା କାରଣ ଦର୍ଶାଅ ନୋଟିସ୍
/sambad/media/post_attachments/wp-content/uploads/2022/07/3c62121c-13c6-40b0-b0b1-69274dc8e3a5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)