ଜିରୋ ରେଜଲ୍ଟ କରିଥିବା ଯୁକ୍ତ୨ କଲେଜକୁ କାରଣ ଦର୍ଶାଅ ନୋଟିସ୍‌, ୭ ଦିନରେ ଉତ୍ତର ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଯୁକ୍ତ୨ ବିଜ୍ଞାନ ପରୀକ୍ଷାରେ ‘ଜିରୋ’ ରେଜଲ୍ଟ କରିଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କଲେଜ) ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପରୀକ୍ଷା ଫଳ ପ୍ରକାଶ ପାଇବାର ୨୪ ଘଣ୍ଟା ନ ପୂରୁଣୁ ଜିରୋ ରେଜଲ୍ଟ କରିଥିବା ୧୫ଟି କଲେଜକୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। କେଉଁ କାରଣ ଲାଗି ପରୀକ୍ଷା ଫଳ ଶୂନ ହେଲା? ୨୦୨୦-୨୧ ଶିକ୍ଷାବର୍ଷରେ ନାମଲେଖା ଉପରେ କଟକଣା ଜାରି ହେବନି କାହିଁକି? ବିଜ୍ଞାନ ବିଭାଗର ସ୍ଥାୟୀ/ଅସ୍ଥାୟୀ ଅନୁମତିକୁ ପ୍ରତ୍ୟାହାର କରିଯିବ ନାହିଁ କାହିଁକି? ଏ ବାବଦରେ ଆସନ୍ତା ୭ ଦିନ ମଧ୍ୟରେ ଉତ୍ତର ଦେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ବୃନ୍ଦାବନ ବେହେରା ଆଜି ୧୫ଟି କଲେଜର ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି କୌଣସି ବି ପରିସ୍ଥିତିରେ ଜିରୋ ରେଜଲ୍ଟ କରିଥିବା କଲେଜକୁ ମହଲତ ଦିଆଯିବ ନାହିଁ। ୭ ଦିନ ମଧ୍ୟରେ ଉତ୍ତର ପହଞ୍ଚିବା ପରେ କଲେଜଗୁଡ଼ିକର ଭିତ୍ତିଭୂମି ଯାଞ୍ଚ ହେବ। କେଉଁଠି ତ୍ରୁଟି ବିଚ୍ୟୁତି ରହିଛି ଏକ କମିଟି ତାହାର ଅନୁଧ୍ୟାନ କରିବେ। ଅଧିକାଂଶ ସେଲ୍ଫ ଫାଇନାନ୍ସିଂ କଲେଜ ଜିରୋ ରେଜଲ୍ଟ କରିଥିବା ଦେଖିବାକୁ ମିଳିଛି। ତେଣୁ ‌ଯେଉଁ କଲେଜ ଲଗାତାର ଦୁଇ ବର୍ଷ ଧରି ଜିରୋ ରେଜଲ୍ଟ କରିଥିବେ ସେମାନଙ୍କ ବି‌ରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବା ସହ ବନ୍ଦ କରାଯାଇପାରେ। ଜିରୋ ରେଜଲ୍ଟ କରିଥିବା ୧୫ଟି କଲେଜ ମଧ୍ୟରୁ ୮ଟିରେ ଜଣେ ଲେଖାଏଁ ପିଲା ପରୀକ୍ଷା ଦେଇଥିଲେ।

ସମ୍ବନ୍ଧିତ ଖବର