ନବୀନଙ୍କ ଇଚ୍ଛାରେ ପିସିସି ସଭାପତି ବଦଳିବା ପ୍ରସଙ୍ଗ: ସୁରଙ୍କୁ କାରଣଦର୍ଶାଅ ନୋଟିସ୍

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଚ୍ଛାରେ ଓଡ଼ିଶାରେ ପିସିସି ସଭାପତି ଓ ପ୍ରଭାରୀ ବଦଳୁଛନ୍ତି ବୋଲି ଗଣମାଧ୍ୟମରେ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। କେଉଁ ପରିସ୍ଥିତିରେ ଶ୍ରୀ ରାଉତରାୟ ଏଭଳି ମନ୍ତବ୍ୟ ଦେଲେ ସେ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ରଖିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଚିଠି ଲେଖିଛନ୍ତି।

ଶ୍ରୀ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବିଭିନ୍ନ ଗଣମାଧ୍ୟମରେ କଂଗ୍ରେସ ଦଳର ଆଭ୍ୟନ୍ତରୀଣ ବ୍ୟାପାର ସଂପର୍କରେ ସୁର ବାବୁ ମନ୍ତବ୍ୟ ଦେବା କଂଗ୍ରେସ ପାଇଁ କ୍ଷତିକାରକ। ଏହାଦ୍ବାରା ଦଳ ସମାଲୋଚିତ ହେବା ସହିତ ଭାବମୂର୍ତି କ୍ଷୁର୍ଣ୍ଣ ହୋଇଛି। ଶ୍ରୀ ରାଉତରାୟଙ୍କ ଭଳି ଜଣେ ବରିଷ୍ଠ ନେତା ଏଭଳି ବୟାନ ଦେବା ଶୋଭନୀୟ ନୁହେଁ। ତେଣୁ ଏ ସଂପର୍କରେ ସନ୍ତୋଷଜନକ ଉ‌ତ୍ତର ଦେବା ପରେ ତାହାକୁ ଅଖିଳ ଭାରତ କଂଗ୍ରେସ କମିଟିର ଅବଗତି ନିମନ୍ତେ ଜଣାଇ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଗଣମାଧ୍ୟମକୁ ଶ୍ରୀ ରାଉତରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ମୁଁ କାରଣ ଦର୍ଶାଅ ନୋଟିସ୍‌ ପାଇଛି। ତାହାର ଉତ୍ତର ଦେବି। ମୁଁ ଯାହା କହିଛି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ବି ପୂର୍ବରୁ ସେହି କଥା କହିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଗତ ୨୩ ତାରିଖରେ ବିଧାୟକ ସୁରେଶ ରାଉତରାୟ ଗଣମାଧ୍ୟମ ଆଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଚ୍ଛାରେ ପିସିସି ସଭାପତି ଓ ପ୍ରଭାରୀ ବଦଳୁଥିବା ନେଇ ଅଭିଯୋଗ କରିଥିଲେ। ଚେଲା କୁମାରଙ୍କ ବଦଳି ନବୀନଙ୍କ ପାଇଁ, ପିସିସି ଚୟନ ବି ନବୀନଙ୍କ ପାଇଁ ହେଉଛି ବୋଲି କହିଥିଲେ। ମାତ୍ର ସୁରଙ୍କ ଏଭଳି ଅଭିଯୋଗକୁ ବିଜେଡି ନେତା ଦେବାଶିଷ ସାମନ୍ତରାୟ ଖଣ୍ଡନ କରିଥିଲେ।

ସମ୍ବନ୍ଧିତ ଖବର