ମାଟ୍ରିକ୍‌ରେ ୬୦%ରୁ କମ୍‌ ପାସ୍‌ ହାର ଯୋଗୁଁ ଫସିଲେ : ରାଜ୍ୟର ୬୫୩ ସ୍କୁଲ୍‌କୁ ନୋଟିସ୍‌, ଜୁନ୍‌ ୨୨ ସୁଦ୍ଧା କୈଫିୟତ୍‌ ଦେବାକୁ ନିର୍ଦେଶ 

କଟକ : ମାଟ୍ରିକ୍‌ ପରୀକ୍ଷାରେ ୬୦ ପ୍ରତିଶତରୁ କମ୍‌ ପାସ୍‌ ହାର ଥିବା ସ୍କୁଲ୍‌ ବିରୋଧରେ  ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ସଂପୃକ୍ତ ସ୍କୁଲକୁ ନୋଟିସ୍‌ ଜାରି କରି କୈଫିୟତ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବାରୁ ସଂପୃକ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ/ଶିକ୍ଷୟିତ୍ରୀ ଏବେ ଚିନ୍ତାରେ ପଡ଼ିଛନ୍ତି। ସେମାନଙ୍କୁ ଖରାପ ପରୀକ୍ଷାଫଳର କାରଣ ଦର୍ଶାଇବାକୁ ନୋଟିସ୍‌ ଜାରି ହେଉଛି। ସାରା ରାଜ୍ୟରେ ଏହି କ୍ରମରେ ୬୫୩ ହାଇସ୍କୁଲ୍‌କୁ ନୋଟିସ୍‌ ଜାରି ହେଉଥିବା ବେଳେ  କଟକ ଜିଲ୍ଲାରେ ଏହି ସଂଖ୍ୟା ହେଉଛି ୬୩। ଅର୍ଥାତ୍‌ ଜିଲ୍ଲାର ଏହି ୬୩ଟି ହାଇସ୍କୁଲ୍‌ରେ ୬୦ପ୍ରତିଶତରୁ କମ୍‌ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ସଂପୃକ୍ତ ହାଇସ୍କୁଲ୍‌ଗୁଡ଼ିକୁ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ନିରଂଜନ ବେହେରା କାରଣଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। କେଉଁ କାରଣ ପାଇଁ ପରୀକ୍ଷା ଫଳ ଖରାପ ହେଲା, କର୍ତ୍ତବ୍ୟରେ ଅବହେଳା ପାଇଁ କାହିଁକି ଦରମା ବନ୍ଦ କରାନଯିବ, ସେ ସଂପର୍କରେ କୈଫିୟତ୍‌ ତଲବ କରାଯାଇଛି। ଆସନ୍ତା ୨୨ତାରିଖ ସୁଦ୍ଧା ନୋଟିସ୍‌ର ଉତ୍ତର ରଖିବାକୁ କୁହାଯାଇଥିବାରୁ ଗୋଟିଏ ପଟେ କାର୍ଯ୍ୟାନୁଷ୍ଠାନ ଭୟରେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଚିନ୍ତା ବଢ଼ି ଯାଉଥିବା ବେଳେ ଅନ୍ୟପଟେ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ଶିକ୍ଷକ ସଂଘ ବିରୋଧ କରୁଛି। ଏଭଳି ବାଦ ବିବାଦ ଭିତରେ ଖରାପ ପ୍ରଦର୍ଶନ କରିିଥିବା ହାଇସ୍କୁଲ୍‌ ବିରୋଧରେ କି’ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି, ତାହାରି ଉପରେ ସଭିଙ୍କ ନଜର ରହିଛି।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ମାଟ୍ରିକ୍‌ରେ ପାସ୍‌ହାର ୭୬.୨୩ ପ୍ରତିଶତ ରହିଥିଲା। ଗତବର୍ଷ ତୁଳନାରେ ଏହା ପ୍ରାୟ ୯ପ୍ରତିଶତ କମ୍‌ ଥିଲା। ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ଏ ନେଇ କଡ଼ା ସମାଲୋଚନାର ଶିକାର ହେବା ପରେ ଖରାପ ପରୀକ୍ଷାଫଳ କରିଥିବା ହାଇସ୍କୁଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇଛି। ଏଥିପାଇଁ ୬୦ ପ୍ରତିଶତ ପାସ୍‌ ହାରକୁ ଏକ ମାନଦଣ୍ଡ ରୂପେ ଗ୍ରହଣ କରିଛି। ଏହାଠାରୁ କମ୍‌ ରେଜଲ୍ଟ କରିଥିବା ହାଇସ୍କୁଲ୍‌କୁ ଖରାପ ପ୍ରଦର୍ଶନ ପାଇଁ ନୋଟିସ୍‌ ଜାରି କରାଯାଉଛି। ଏହି କ୍ରମରେ କଟକ ଜିଲ୍ଲାରେ ମୋଟ୍‌ ୫୨୫ ହାଇସ୍କୁଲ ମଧ୍ୟରୁ ୩୪ଟି ହାଇସ୍କୁଲ୍‌ରେ ଶତପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୬୩ଟି ହାଇସ୍କୁଲ ଏପରି ରହିଛି, ଯେଉଁଠି ୬୦ ପ୍ରତିଶତରୁ କମ୍‌ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଏବେ ସଂପୃକ୍ତ ହାଇସ୍କୁଲ ଗୁଡ଼ିକୁ ଡିଇଓ ନୋଟିସ୍‌ ଜାରି କରି ପ୍ରଧାନଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ କୈଫିୟତ୍‌ ମାଗିଛନ୍ତି।  ନୋଟିସ୍‌ର ଉତ୍ତର ସନ୍ତୋଷଜନକ ନହେଲେ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦେଶନାମା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଇଓ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ଶ୍ରୀ ବେହେରା କହିଛନ୍ତି, ହାଇସ୍କୁଲ୍‌କୁ ନୋଟିସ୍‌ ଜାରି କରାଯାଇ ଜବାବ୍‌ ମଗାଯାଇଛି। କେଉଁ କାରଣ ପାଇଁ ପରୀକ୍ଷାଫଳ ଖରାପ ହେଲା ଏବଂ ଖରାପ ଫଳ ପାଇଁ କାହିଁକି ଦରମା ବନ୍ଦ କରାନଯିବ, ସେ ସଂପର୍କରେ  ଉତ୍ତର ରଖିବେ। ଆସନ୍ତା ୨୨ ତାରିଖ ସୁଦ୍ଧା ସେମାନେ ନୋଟିସ୍‌ର ଜବାବ ଦେବା ପରେ ଏହାର ତର୍ଜମା କରାଯିବ। ଉତ୍ତର ସନ୍ତୋଷଜନକ ନହେଲେ ସରକାରଙ୍କ ନିର୍ଦେଶନାମା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର