ଯୋଡା : ଯୋଡ଼ା ମଣ୍ତଳ ଅନ୍ତର୍ଗତ ଅଶେଇଁକଳା ରାସ୍ତାରୁ ବନ ବିଭାଗ ପକ୍ଷରୁ ଚୋରା ଲୁହାପଥର ବୋଝେଇ ଡମ୍ପର ଜବତ ଘଟଣାରେ ଖଣି ବିଭାଗ ଗୁଆଲିର ଲିଲି ଟ୍ରାନସପୋର୍ଟ ଓ ଏସକେ ଟ୍ରାନ୍ସପୋର୍ଟ ସଂସ୍ଥାକୁ କାରଣଦର୍ଶାଅ ନୋଟିସ୍ ଜାରି କରିଛି।
ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକ ସଲିଲ କୁମାର ବେହେରାଙ୍କ ସୂଚନା ଅନୁଯାୟୀ ନୂଆଗାଁ ଲୁହାପଥର ଖଣିରୁ ଏହି ଦୁଇ ପରିବହନ ସଂସ୍ଥାର ୫ ଟି ଡମ୍ପର ଖଣି ଅନୁମତି ଅନୁଯାୟୀ ନିର୍ଦ୍ଧାରିତ ସ୍ଥାନକୁ ନ ଯାଇ ଝାଡଖଣ୍ତ ରାଜ୍ୟ ସୀମାନ୍ତ କଣ୍ତରା-ପୁରୁଷୋତ୍ତମପୁର ରାସ୍ତାରେ ଅନ୍ୟ ସ୍ଥାନକୁ ଲୁହାପଥର ଚୋରା ଚାଲାଣ କରୁଥିଲେ। ଘଟଣାର ତଦନ୍ତ କରି ସଂପୃକ୍ତ ପରିବହନ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି।
ଗତ ୧୮ ତାରିଖ ବିଳମ୍ବିତ ରାତିରେ ବଡବିଲ ରେଞ୍ଜ ବନ ବିଭାଗ ପକ୍ଷରୁ ଯୋଡ଼ା ପୁଲିସ ସହାୟତାରେ ଏହି ୫ଟି ଚୋରା ଲୁହାପଥର ବୋଝେଇ ଡମ୍ପରକୁ ଜବତ କରାଯାଇଥିଲା। ବନ ବିଭାଗ ଏହି ଘଟଣାରେ ମାମଲା ରୁଜୁ କରିଥିଲା। ଯୋଡ଼ା ଖଣି ଅଞ୍ଚଳରେ ଅସାଧୁ ବ୍ୟବସାୟୀମାନେ ନିଜର ଚୋରା ଲୁହାପଥର କାରବାରକୁ ଅଧିକ ସକ୍ରିୟ କରିଥିବା ବେଳେ ଏହା ଖଣି ବିଭାଗ, ପୁଲିସ ଓ ବନ ବିଭାଗର ମୁଣ୍ତବ୍ୟଥାର କାରଣ ସାଜିଛି।
ଲୁହାପଥର ଚୋରା କାରବାରକୁ ରୋକିବା ପାଇଁ ଖଣି ବିଭାଗ ପକ୍ଷରୁ ପ୍ରଚଳିତ ଇଣ୍ଟିଗ୍ରେଟେଡ଼୍ ମାଇନିଂ ଏଣ୍ଡ ମିନେରାଲ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଥ୍ରିଏମଏସ ) ଜ୍ଞାନକୌଶଳ ଏକ ପ୍ରକାର ଫେଲ ମାରିଛି। ଏହାର ସୁଯୋଗରେ ଯୋଡ଼ା ଖଣି ଅଞ୍ଚଳରେ ସଂରକ୍ଷିତ ଜଙ୍ଗଲ ସମେତ ଉଭୟ ବନ୍ଦ ଥିବା ଓ ଚାଲୁଥିବା ଖଣିଗୁଡିକରୁ ଝାଡ଼ଖଣ୍ତ ରାଜ୍ୟକୁ ଅସାଧୁ ବ୍ୟବସାୟୀ ଲୁହାପଥର ଚୋରା ଚାଲାଣ କରିବାରେ ସକ୍ଷମ ହୋଇ ପାରୁଥିବା ସାଧାରଣରେ ଆଲୋଚନା ହେଉଛି। ଏପରି ଚୋରା କାରବାର ନେଇ ବିଭିନ୍ନ ସମୟରେ ବନ ବିଭାଗ ଓ ପୁଲିସ ଚଢଉ ଜାରି ରଖିଥିବା ବଳେ ଖଣି ବିଭାଗ ପରିବହନରେ ସ୍ବଚ୍ଛତା ଆଣିବା ପାଇଁ କୌଣସି ପ୍ରାୟସ କରୁ ନଥିବା ସାଧାରଣରେ ଅଭିଯୋଗ ହୋଇଆସୁଛି।