ବ୍ରହ୍ମଗିରି : ଶନିବାର ଦିନ ଦ୍ବିପ୍ରହରରେ ଜଣେ ପୁଲିସ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଦଶ ଲକ୍ଷ ଟଙ୍କା ଲୁଟିନେଇ ଫେରାର ହୋଇଯାଇଛନ୍ତି। ଖବର ପାଇ ବ୍ରହ୍ମଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି। କିନ୍ତୁ ଲୁଟେରାଙ୍କ ସମ୍ପର୍କରେ ପୁଲିସ କୌଣସି ସୂଚନା ପାଇପାରିନାହିଁ।

Advertisment

ବ୍ରହ୍ମଗିରି ପୁଲିସର ସୂଚନା ଅନୁଯାୟୀ ବ୍ରହ୍ମଗିରି ଥାନା ସାହାଜାନପୁର ଗାଁ’ର ରାକେଶ ସାହୁ ଢେଙ୍କାନାଳରେ ପୁଲିସ ଫୋର୍ସ ଭାବେ କାମ କରୁଛନ୍ତି। ରାକେଶ ଏକ ଜମି କିଣିବାକୁ ବ୍ରହ୍ମଗିରି ଥାନା ବ୍ରହ୍ମଗିରି ଗାଁର ସମ୍ପର୍କୀୟ ମହଶ୍ବେର ସାହୁଙ୍କଠାରୁ ୧୦ ଲକ୍ଷ ଟଙ୍କା କରଜ ମାଗିଥିଲେ। ଆଜି ସକାଳ ୧୧ଟା ୨୦ ମିନିଟରେ ବ୍ରହ୍ମଗିରି ଥାନା କଟକପଡ଼ାସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାରୁ ମହେଶ୍ବର ଦେଇଥିବା ୧୦ ଲକ୍ଷ ଟଙ୍କା ଉଠାଇ ରାକେଶ ବ୍ୟାଗ୍‌ରେ ରଖିଥିଲେ। ବ୍ୟାଗକୁ ନିଜ ପିଠିରେ ପକାଇ ଓଡି ୧୩ଜି ୭୫୭୧ ନମ୍ବର ବିଶିଷ୍ଟ ବାଇକ୍‌ରେ ମହେଶ୍ବରଙ୍କ ଘରକୁ ଆସୁଥିଲେ। ଆସିବା ବାଟରେ ବ୍ରହ୍ମଗିରି ହାଇସ୍କୁଲ ଓ ସବରେଜିଷ୍ଟାରଙ୍କ କାର୍ଯ୍ୟାଳୟ ପାଖରେ ହଠାତ୍ ଦୁଇ ଜଣ ଯୁବକ ତାଙ୍କୁ ଅଟକାଇଥିଲେ। ଜଣେ ଯୁବକ ବନ୍ଧୁକ ଦେଖାଇ ଥିବା ବେଳେ ଅନ୍ୟ ଜଣେ ଯୁବକ ଟଙ୍କା ବ୍ୟାଗ୍‌କୁ ଛଡ଼ାଇ ଦୈାଡ଼ି ପଳାଇଥିଲା। ସେମାନେ ଟଙ୍କା କାଢ଼ିନେଇ ବ୍ୟାଗକୁ ସ୍କୁଲ ପାଚେରି ଭିତରକୁ ଫିଙ୍ଗି ପଳାଇଥିଲେ। ବ୍ୟାଗ ଭିତରେ ଥିବା ମୋବାଇଲ ଫୋନ ନେଇ ନ ଥିଲେ। ଅଭିଯୋଗ ପାଇବା ମାତ୍ରେ ପୁଲିସର ଦୁଇଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ବ୍ୟାଙ୍କର ସିସିଟିଭି ଯାଞ୍ଚ‌ରେ ଜଣାପଡ଼ିଛି ଯେ ରାକେଶ ବ୍ୟାଙ୍କରୁ ଟଙ୍କା ଉଠାଇଛନ୍ତି। ଟଙ୍କା ଉଠାଇବା ପରେ ବ୍ୟାଗରେ ଭର୍ତ୍ତି କରି ଆସୁଥିବାର ସିସିଟିଭି ଫୁଟେଜ୍‌ରେ ରହିଛି। ଆଖପାଖରେ ଥିବା ବିଭିନ୍ନ ସିସିଟିଭି ଫୁଟେଜ୍‌କୁ ପୁଲିସ ଯାଞ୍ଚ କରୁଛି। ଏନେଇ ଲିଖିତ ଅଭିଯୋଗ ହୋଇ ନ ଥିବା ବେଳେ ପୁଲିସ ଖବର ପାଇ ତଦନ୍ତ କରୁଛି ବୋଲି ସଦର ଏସ୍‌ଡିପିଓ କିଶୋର କୁମାର ମୁଣ୍ତ କହିଛନ୍ତି। ତେବେ ବନ୍ଧୁକ ଦେଖାଇ ଜଣେ ପୁଲିସଠାରୁ ୧୦ ଳକ୍ଷ ଟଙ୍କା ଲୁଟ୍‌ ହେବା ପରେ ମଧ୍ୟ ସମ୍ପୃକ୍ତ ପୁଲିସ ଏନେଇ ଥାନାରେ ଅଭିଯୋଗ ନକରିବା ଘଟଣାକୁ ରହସ୍ୟାବୃତ କରିଛି।