କଟକ: ଶ୍ରୀଭୂମି ଗ୍ରୁପ୍ ଅଫ୍ କମ୍ପାନିଜର ଏମ୍ଡି ଶୁଭ୍ରାଂଶୁ ସିଂଙ୍କୁ ଜମାକାରୀଙ୍କ ଅର୍ଥ ହଡପ ମାମଲାରେ କଟକ ସ୍ୱତନ୍ତ୍ର ଡେଜିଗନେଟେଡ୍ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ସାବ୍ୟସ୍ତ ଶ୍ରୀ ସିଂଙ୍କୁ ଓଡିଶା ପ୍ରୋଟେକସନ ଅଫ୍ ଇଣ୍ଟରେଷ୍ଟସ ଅଫ୍ ଡିପୋଜିଟର୍ସ (ଇନ ଫାଇନାନସିଆଲ ଏଷ୍ଟାବ୍ଲିସମେଣ୍ଟ) ଆକ୍ଟ, ୨୦୧୧(ଓପିଆଇଡି ଆଇନ)ର ଧାରା ୬ରେ ୭ ବର୍ଷ ଜେଲ, ୧ ଲକ୍ଷ ଟଙ୍କା ଜରିମାନା, ଆଇପିସର ଦଫା ୧୨୦-ଖରେ ୧ ମାସ ଜେଲ, ୪୦୬ରେ ୨ ବର୍ଷ ଜେଲ, ୪୨୦ରେ ୪ ବର୍ଷ ଜେଲ, ୩ ହଜାର ଟଙ୍କା ଜରିମାନା, ୪୬୮ରେ ୪ ବର୍ଷ ଜେଲ, ୩ ହଜାର ଟଙ୍କା ଜରିମାନା, ୪୭୧ରେ ୧ ବର୍ଷ ଜେଲ, ୪୬୭ରେ ୪ ବର୍ଷ ଜେଲ, ୩ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଜମାକାରୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ପ୍ରଣୟନ କରାଯାଇଥିବା ଓପିଆଇଡି ଆଇନ ୨୦୧୩ରେ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିଲା। ଏହି ଆଇନ ଅନୁସାରେ କୌଣସି ଅର୍ଥ ଲଗାଣକାରୀ ସଂସ୍ଥାର ମୁଖ୍ୟଙ୍କୁ ଦୋଷୀ ସାବ୍ୟସ୍ତ କରାଯିବାର ଏହା ଦ୍ୱିତୀୟ ଘଟଣା। ପୂର୍ବରୁ ଗତ ବର୍ଷ ଶିରିଡି ସାଇ ଇଷ୍ଟେଟସ୍ ପ୍ରାଇଭେଟ ଲିମିଟେଡର ଏମଡି ପ୍ରକାଶ ଚନ୍ଦ୍ର ପଣ୍ଡାଙ୍କୁ ଜମାକାରୀଙ୍କୁ ଠକିବା ଅଭିଯୋଗରେ କଟକ ଡେଜିଗନେଟେଡ୍ କୋର୍ଟ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ଲକ୍ଷ ୬ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିବା ବେଳେ ଅତିରିକ୍ତ ସ୍ପେଶାଲ ପିପି ବିଶ୍ୱଜିତ ମହାପାତ୍ର ତାଙ୍କୁ ସହାୟତା କରୁଥିଲେ। କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଡିଏସ୍ପି ଶିବରାମ ସାହୁ ମାମଲାର ତଦନ୍ତ କରି ଅଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲେ। ତଦନ୍ତକାରୀ ଅଧିକାରୀଙ୍କ ସହିତ ଏତଲାକାରୀ ନିର୍ମଳ କୁମାର ଜେଷ୍ଟିଙ୍କ ସହିତ ଅନ୍ୟ ୧୧ ଜଣ ଅଦାଲତରେ ହାଜର ହୋଇ ସାକ୍ଷୀ ଦେଇଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ଶ୍ରୀଭୂମି କନଷ୍ଟ୍ରକସନ୍ ପ୍ରାଇଭେଟ ଲିମିଟେଡ, ଶ୍ରୀଭୂମି ମାଇନ୍ସ ଆଣ୍ଡ ମିନେରାଲ୍ସ, ଶ୍ରୀଭୂମି ମଲ୍ଟି ପରପୋଜ୍ କୋ-ଅପରେଟିଭ୍ ଲିମିଟେଡ, ଶ୍ରୀଭୂମି କମୋଡିଟିଜ୍ ଭଳି ସଂସ୍ଥା ଖୋଲି ଶ୍ରୀଭୂମି ଗ୍ରୁପ୍ ବ୍ୟବସାୟ ଆରମ୍ଭ କରିଥିଲା। ଶ୍ରୀଗୋଲ୍ଡ, ଶ୍ରୀପ୍ଲସ୍, ବାଏବ୍ୟାକ୍ ପ୍ରଫିଟ ପ୍ଲାନ୍, ଡାଇରେକ୍ଟ ପ୍ରଫିଟ ପ୍ଲାନ ଭଳି ବିଭିନ୍ନ ଯୋଜନା ମାଧ୍ୟମରେ ଜାମାକାରୀଙ୍କ ନିକଟରୁ ଟଙ୍କା ସଂଗ୍ରହ କରିଥିଲା। ଅଧିକ ସୁଧ ଓ ଜମି ଯୋଗାଇ ଦେବାକୁ କହି ଏହି ସଂସ୍ଥା ସାଧାରଣ ଜମାକାରୀଙ୍କ ନିକଟରୁ କୋଟି କୋଟି ଟଙ୍କା ସଂଗ୍ରହ କରିଥିଲା। ଭୁବନେଶ୍ୱର ଜୟଦେବବିହାରରେ ସଂସ୍ଥାର ମୁଖ୍ୟାଳୟ ହୋଇଥିବା ବେଳେ ରାଇରଙ୍ଗପୁର, ଯଶିପୁର, ଅନୁଗୋଳ, ଜଳେଶ୍ୱର, ବାଲେଶ୍ୱର, ବାରିପଦା, ରାଉଲକେଲା, ବହଳଦା ଓ ଆନନ୍ଦପୁର ଅଞ୍ଚଳରେ ଶାଖା କାର୍ଯ୍ୟାଳୟ ଖୋଲାଯାଇ ବିଭିନ୍ନ ଜମାକାରୀଙ୍କ ନିକଟରୁ ଅର୍ଥ ସଂଗ୍ରହ କରାଯାଇଥିଲା। ୨୦୧୫ରେ ସଂସ୍ଥାର ଠକେଇକୁ ନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ରେ ମାମଲା ରୁଜୁ ହୋଇଥିଲା। ସଂସ୍ଥାର ପରିଚଳାନା ନିର୍ଦ୍ଦେଶକ ଶୁଭ୍ରାଂଶୁ ସିଂଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ଅନ୍ୟତମ ନିର୍ଦ୍ଦେଶକ ଛୋଟରାୟ ମାଝୀ ଆଜି ପର୍ଯ୍ୟନ୍ତ ଫେରାର ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/chit.fund_.jpg)