‘ଶ୍ରୀଜଗନ୍ନାଥ ବିଶ୍ବ ଦେବତା’

ପୁରୀ: ଶ୍ରୀଜଗନ୍ନାଥ ବିଶ୍ବର ସାଂସ୍କୃତିକ ଦେବତା। ଓଡ଼ିଶା ବିଶ୍ବର ଆଧ୍ୟାତ୍ମିକ ଜ୍ଞାନପୀଠ। ଏଠାରୁ ବିଶ୍ବକୁ ସାଂସ୍କୃତିକ ଆହ୍ବାନ ହୁଏ। ଆଧ୍ୟାତ୍ମିକ ଜାଗରଣ ବି ହୁଏ। ଏଣୁ ଏଠାରେ ପ୍ରତ୍ୟେକ ବ୍ୟକ୍ତ ଯଦି ସମର୍ପଣ ଭାବରେ ନିଜର ଚିନ୍ତା ଓ ଭାବନାକୁ ବ୍ୟକ୍ତ କରେ, ସେ ଚୈତନ୍ୟ ହୋଇଯାଏ। ଗୌରବିହାର ଆଶ୍ରମ ପରିସରରେ ଝୁଲଣ ମହୋତ୍ସବକୁ ଉଦ୍‌ଘାଟନ କରିବା ଅବସରରେ ଏପରି ମତବ୍ୟକ୍ତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଗୌର ବିହାର ଟ୍ରଷ୍ଟର ସଭାପତି ମହନ୍ତ ସୁବଳ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଂପାଦକ ଶାରଦା ପ୍ରସନ୍ନ ପ୍ରଧାନ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ। ଗୀତିକାର ବଦ୍ରି ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ସେବା ଓ ସମର୍ପଣ ପାଇଁ ରାଜକିଶୋର ଝୁନ୍‌ଝୁନ୍‌ୱାଲା ଓ ଦୁର୍ଗାପ୍ରସାଦ ବିଶୋଇଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ଓଡ଼ିଶା ବାହାରେ ୬ଟି ରାଜ୍ୟରେ ଭାଗବତ ଟୁଙ୍ଗୀ ପ୍ରତିଷ୍ଠା, ବୃକ୍ଷରୋପଣ ଓ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଦ୍ରି ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୁରୁଚରଣ ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପ୍ରଫେସର ପ୍ୟାରୀମୋହନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର