ପୁରୀ: ଜଗନ୍ନାଥ ସଂସ୍କୃତି ଅନନ୍ୟ। ଶ୍ରୀମନ୍ଦିରରେ ରହିଛି ସବୁ ମାନବିକ ଜୀବନ ଜଡ଼ିତ ପରମ୍ପରା। ମାନବ ସମାଜ ପ୍ରତି ଘଟୁଥିବା ପ୍ରତିଟି ବିପତ୍ତି ସହିତ ଯୋଡ଼ି ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତି ଓ ପରମ୍ପରା। ମହାମାରୀକୁ ପ୍ରତିହତ କରିବା ପାଇଁ ଶ୍ରୀମନ୍ଦିରରେ ରହିଛି ଏକ ଅନନ୍ୟ ପରମ୍ପରା 'ବାଡିନୃସିଂହ' ବିଜେ। ପ୍ରତି ବର୍ଷ ଚୈତ୍ର ମାସ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରୁ ବାଡି ନୃସିଂହ ନଗରକୁ ବିଜେ କରିଥା'ନ୍ତି। ବାଡ଼ିନୃସିଂହ ଶ୍ରୀମନ୍ଦିର ଦକ୍ଷିଣୀ ଘରୁ ବାହାରି ନଗର ପରିକ୍ରମା ଚାରି ଶ୍ରୀକ୍ଷେତ୍ରରେ ଥିବା ଚାରି ଆଶ୍ରମ ଅଙ୍ଗିରା, ଭୃଗୁ, ମାର୍କଣ୍ଡେୟ ଓ ପଣ୍ଡୁ ଆଶ୍ରମକୁ ବିଜେ କରି ଜଗତ କଲ୍ୟାଣ କରିଥା'ନ୍ତି। ପରେ ବିଭିନ୍ନ ସାହିରେ, ଛକରେ ଠାକୁରଙ୍କ ପଂକ୍ତି ଭୋଗ ହୋଇଥାଏ। ବାଡିନୃସିଂହ ବିଜେ ପରେ ମହାମାରୀ ଆୟତ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି। ବାଡିନୃସିଂହ ବିଜେ ପରମ୍ପରାରର ଏକ ମହତ୍ ଉଦ୍ଦେଶ୍ୟ ରହିଛି।
ଯେତେବେଳେ ମାନବ ସମାଜକୁ ମହାମାରୀ ଗ୍ରାସ କରେ ସେତେବେଳେ ସ୍ବୟଂ ମହାପ୍ରଭୁ ବିଜେ କରି ଏହାର ନିରାକରଣ କରିଥା'ନ୍ତି। ଆସନ୍ତାକାଲି ମହାପ୍ରଭୁଙ୍କ ବାଡିନୃସିଂହ ବିଜେ ନୀତି ରହିଛି। ମହାପ୍ରଭୁ ବିଜେ କରିବା ପରେ ମହାମାରୀ ଭଲ ହେବ ବୋଲି ବିଶ୍ବାସ ରହିଥିବା କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାଶ । ଡକ୍ଟର ଦାସଙ୍କ ସୂଚନା ହେଲା, ଏକଦା ଶ୍ରୀକ୍ଷେତ୍ର ଓ ଅନ୍ୟ ପ୍ରାନ୍ତରେ ହଇଜା ବା ବାଡ଼ି ବ୍ୟାପିଥିଲା। ୧୯୦୩ ରୁ ୧୯୦୫ ମସିହାରେ ଏହା ଅଣାୟତ୍ତ ହୋଇପଡ଼ିଥିଲା। ପୋକ ମାଛି ଭଳି ଲୋକ ମରୁଥିଲେ। ମନ୍ଦିର ମ୍ୟାନେଜର ରାଜକିଶୋର ରାୟ ପଣ୍ଡିତମାନଙ୍କୁ ଡକାଇ ଏହାର ନିରାକରଣ ପାଇଁ ମହାପ୍ରଭୁଙ୍କ ଶରଣକୁ ଯିବାକୁ ହେବ ବୋଲି କହିଥିଲେ। ସେହି ବର୍ଷ ଶ୍ରୀମନ୍ଦିରରେ ବାଡିନୃସିଂହ ବିଜେ ନୀତି ଆରମ୍ଭ ହୋଇଥିଲା। ମହାପ୍ରଭୁ ବାଡିନୃସିଂହ ଭାବେ ନଗରକୁ ବିଜେ କରିବା ପରେ ସମଗ୍ର ପ୍ରାନ୍ତରେ ମହାମାରୀ ଭଲ ହୋଇଥିଲା। ସେହି ସ୍ମୃତିରେ ଆଜି ବି ଏହି ପରମ୍ପରା ପାଳିତ ହେଉଛି। ଏବେ ହଇଜା ନାହିଁ, ବାଡିନୃସିଂହ କରୋନା ରୋଗର ପ୍ରତିହତ କରିବେ ବୋଲି ବିଶ୍ବାସ ରଖିବାକୁ ହେବ ବୋଲି ଡକ୍ଟର ଦାଶ କହିଛନ୍ତି। ଗୋପାଳ ସହସ୍ର ନାମରୁ ମହାପ୍ରଭୁଙ୍କର ଅନ୍ୟତମ ନାମ 'ମହାମାରୀ ବିନାଶକ'। ତେଣୁ ଆସନ୍ତାକାଲି ବାଡିନୃସିଂହ ବିଜେ ପରେ ଭକ୍ତଙ୍କ କଲ୍ୟାଣ ପାଇଁ ମହାପ୍ରଭୁ ଏହି କରୋନା ମହାମାରୀର ବିନାଶ କରିବେ।
ଏହି ମାସରେ କେବଳ ହଇଜା ନୁହେଁ, ଅନ୍ୟ ମହାମାରୀ ହାଡ଼ପୁଟି, ମିଳିମିଳା ଭଳି ରୋଗ ବ୍ୟାପିଥାଏ। ଏହି ମହାମାରୀ ଅଣାୟତ୍ତ ହୋଇଯାଇଥାଏ। ବାଡିନୃସିଂହ ବିଜେ ପରେ ରୋଗ ସବୁ ଆୟତ୍ତକୁ ଆସିଥାଏ। ସମଗ୍ର ବିଶ୍ବ କରୋନା ମହାମାରୀ ଦ୍ବାରା ଏବେ ଆକ୍ରାନ୍ତ ହୋଇଛି। ସମଗ୍ର ବିଶ୍ବ ଏବେ କରୋନା ମହାମାରୀ କବଳରେ ରହିଛି। ତେଣୁ ଏହି ସମୟରେ ବାଡିନୃସିଂହ ବିଜେ ନୀତି ନିଶ୍ଚିତ ଭାବେ ମହତ୍ବ ରଖୁଛି। କରୋନା ମହାମାରୀ ଟଳିବ, ଏ ବିଶ୍ବାସ ଆମ ସମସ୍ତଙ୍କୁ ରଖିବାକୁ ହେବ ବୋଲି ଶ୍ରୀମନ୍ଦିର ଲୋକସଂପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।