ଜବରଦଖଲରେ ମହାପ୍ରଭୁଙ୍କ ଶହ ଶହ ଏକର ଜମି, ଜବରଦଖଲ ମୁକ୍ତ ପାଇଁ ସରକାରୀ ଉଦାସୀନତା

ରାଜଭାଗ ଦେଉନାହାନ୍ତି ଚାଷୀ, ଅଧିକାରୀ ଚୁପ୍, ଶ୍ରୀମନ୍ଦିର-ସରକାରଙ୍କ ଭିତରେ ସମନ୍ବୟ ଅଭାବ

ଭୁବନେଶ୍ବର: ଭୁବନେଶ୍ବର ଓ ଏହାର ଆଖାପାଖରେ ପାଖାପାଖି ୭୦୦ ଏକରରୁ ଅଧିକ ସରକାରୀ ଜମି ଜବରଦଖଲ ମୁକ୍ତ ହୋଇପାରୁନାହିଁ। ସରକାର କାହା ସ୍ବାର୍ଥ ପାଇଁ ଜବରଦଖଲ କରିବାକୁ ପଛଘୁଞ୍ଚା ଦେଉଛନ୍ତି ତାହା ବୁଝାପଡୁନାହିଁ। କେବଳ ଭୁବନେଶ୍ବର କାହିଁକି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶହ ଶହ ଏକର ଜମିକୁ ଇତିମଧ୍ୟରେ କିଛି ବ୍ୟକ୍ତି ଗିଳି ହଜମ କରିଦେଲେଣି। ଆଉ କିଛି ମାଡ଼ି ବସିଛନ୍ତି। ରାଜଭାଗ ମଧ୍ୟ ଦେବାକୁ ଚାହୁଁନାହାନ୍ତି। ଶ୍ରୀମନ୍ଦିର ଚାରିପାଖରେ ମଠ ଆଦି ଉଚ୍ଛେଦ କରି ପୁରୀ ବିକାଶ ପ୍ରକ୍ରିୟା ଜାରି ରଖିଥିବା ରାଜ୍ୟ ସରକାର ସରକାର କେଉଁ ପରିସ୍ଥିତିରେ ଏ ପ୍ରସଙ୍ଗରେ ବି ନିରବ ଅଛନ୍ତି, ତାହା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ବିସ୍ମିତ କରୁଛି। ସ୍ଥିତି ଏତେ ଗମ୍ଭୀର ଯେ ନିର୍ଦିଷ୍ଟ କେତେ ଜମି କାହା ପାଖରେ ଜବରଦଖଲରେ ଅଛି, ସେ ଜମି ଏବେ କେଉଁ ଅବସ୍ଥାରେ ରହିଛି,ତାହା ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ନଜରରେ ନାହିଁ। ନିକଟରେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିଚାଳନା କମିଟି କହିଛନ୍ତି, ମହାପ୍ରଭୁଙ୍କ ନାମରେ ୬୦ ହଜାର ଏକରରୁ ଅଧିକ ଜମି ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ଆଜି ପର୍ଯ୍ୟନ୍ତ ୩୪ ହଜାର ଏକର ଅଧିକ ଜମିର ମାଲିକାନା ମହାପ୍ରଭୁଙ୍କ ନାମରେ ରେକର୍ଡ କରାଯାଇଛି। ମହାପ୍ରଭୁ ଜଗନ୍ନାଥଙ୍କ ବାକି ଜମିର ସ୍ବତ୍ତଲିପି ହାସଲ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଉଛି। ହେଲେ ମିଳୁଥିବା ତଥ୍ୟ ଅନୁସାରେ, ରାଜ୍ୟର ୨୩ଟି ଜିଲ୍ଲା ଓ ୬ଟି ରାଜ୍ୟରେ ମହାପ୍ରଭୁଙ୍କର ସମୁଦାୟ ୫୯ ହଜାର ୫୨୬ ଏକର ୧୯ ଡେସିମିଲ ସ˚ପତ୍ତି ରହିଛି। ଏ ମଧ୍ୟରୁ ପାଖାପାଖି ୪୦୦ ଏକର ଜମି କେଉଁଠି ଅଛି, ତାହା କେହି ଏଯାଏ ଜାଣିପାରୁନାହାନ୍ତି। ସମ୍ଭବତଃ ମହାପ୍ରଭୁଙ୍କ ସ˚ପତ୍ତିକୁ କେହି ଗିଳିଦେଇ ନିଜ ନାମରେ କରିସାରିଲେଣି। ଚିହ୍ନଟ ହୋଇଥିବା ୫୯ ହଜାର ୧୩୦ ଏକର ୯୩୮ ଡେସିମିଲ ଜମି ମଧ୍ୟରୁ ପାଖାପାଖି ୨୫ହଜାର ଜମିର ରେକର୍ଡ ଅଫ୍‌ ରାଇଟ୍‌ସ ବା ଜମି ସତ୍ତ୍ବାଧିକାର ସ˚ଶୋଧନ ହୋଇପାରିନାହିଁ। ଏ ମଧ୍ୟରେ କେନ୍ଦୁଝରରେ ୧୨ ଏକର ୨୦ ଡେସିମିଲ, ମୟୂରଭ˚ଜରେ ୫୭ ଏକର ୯୭୦ ଡେସିମିଲ, ସୁନ୍ଦରଗଡ଼ରେ ୪୫ ଏକର ୪୫୦ ଡେସିମିଲ ଜମି ରହିଛି। କେବଳ କୋରାପୁଟ ଓ କଳାହାଣ୍ତି ଜିଲ୍ଲାରେ ମହାପ୍ରଭୁଙ୍କ ସବୁ ସ˚ପତ୍ତି ତାଙ୍କ ନାମରେ କରାଯାଇପାରିଛି।

ଶ୍ରୀମନ୍ଦିର ପରିଚାଳନା କମିଟି ସୁପ୍ରିମକୋର୍ଟରେ କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ସମ୍ପତ୍ତିର ରେକର୍ଡ ତଥା ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ କରାଯିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଜମି ରେକର୍ଡସ୍ ଓ ସମ୍ପତ୍ତି ପରିଚାଳନା ପାଇଁ ଜିଆଇଏସ ର ବ୍ୟବସ୍ଥା କରିବା, ଜମିଜମାର ଫଏସଲା ପାଇଁ ଇ-ଅକ୍ସନ ଲାଗି ଏକ ସ୍ବତନ୍ତ୍ର ପ୍ରକୋଷ୍ଠ ଗଠନ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ। ହେଲେ ଏହା କେଉଁଠି ନା କେଉଁଠି ସୂଚାଇ ଦେଉଛି, ଶ୍ରୀମନ୍ଦିର ମାମଲାରେ ସୁପ୍ରିମକୋର୍ଟ ତନାଘନା ପରେ ଏଭଳି ତରବରିଆ ନିଷ୍ପତ୍ତି ନିଆଯାଇଛି। ଖୋଦ ଉନ୍ନୟନ କମିସନର ସୁରେଶ ମହାପାତ୍ର ଶ୍ରୀମନ୍ଦିର ପ୍ରଶାସନର ଉପାଧ୍ୟକ୍ଷ ଅଛନ୍ତି। ବର୍ତମାନର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ପୂର୍ତ ସଚିବ ଅଛନ୍ତି, ସଚିବାଳୟରେ ବସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍ ପୁରୀ ଶ୍ରୀମନ୍ଦିର ବିକାଶ କାର୍ଯ୍ୟ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ନିୟମିତ ବ୍ୟବଧାନରେ ସମୀକ୍ଷା କରୁଛନ୍ତି। ଏହା ପରେ ବି ମହାପ୍ରଭୁଙ୍କ ଜମିର ସୁରକ୍ଷା ସଂପର୍କରେ ନିଷ୍ପତ୍ତି ନ େହାଇପାରିବା ଏକ ବିରାଟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କଲାଣି। ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟିର ଆନ୍ତରିକତା ନେଇ ମଧ୍ୟ ସନ୍ଦେହ ସୃଷ୍ଟି କରୁଛି।

ଆହୁରି ତଥ୍ୟ ମିଳୁଛି ଯେ ମହାପ୍ରଭୁଙ୍କ ଜମିକୁ ଯେଉଁମାନେ ଚାଷ କରୁଛନ୍ତି ବା ବ୍ୟବହାର କରୁଛନ୍ତି, ସେମାନେ ପ୍ରତି ବର୍ଷ ରାଜଭାଗ ଦେବା କଥା। ମାତ୍ର ଏ କ୍ଷେତ୍ରରେ ବି ସର୍ବନିମ୍ନ ଉଦ୍ୟମ ହୋଇନାହିଁ। ମାତ୍ର ୬୬୩୮ ଏକର ୭୮୩ ଡେସିମିଲ ଜମିରୁ ରାଜଭାଗ ଆଦାୟ ହେଉଥିବା ଶ୍ରୀମନ୍ଦିର ଅଡିଟ୍ ବେଳେ ଚିତ୍ର ସାମ୍ନାକୁ ଆସିଥିଲା। ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବରଗଡ଼,ସମ୍ବଲପୁର, ବଲାଙ୍ଗୀର, ରାୟଗଡ଼ା, କୋରାପୁଟ, ସୋନପୁର, କେନ୍ଦୁଝର, ମୟୂରଭ˚ଜ, ସୁନ୍ଦରଗଡ଼ ଓ କଳାହାଣ୍ତି ଭଳି ୧୩ଟି ଜିଲ୍ଲାର ୧୪୪୮ ଏକର ୧୪୯ ଡେସିମିଲ ଜମିରୁ ରାଜଭାଗ ଆଦାୟ କରିବା ଲାଗି କେହି ଦାବି କରୁନାହାନ୍ତି। ଆନ୍ଧ୍ରପ୍ରଦେଶ ବ୍ୟତୀତ ଅନ୍ୟ ରାଜ୍ୟରେ ଥିବା ପ୍ରାୟ ୩୯୫ ଏକର ୨୫୨ ଡେସିମିଲ ଜମିରୁ ବି ରାଜଭାଗ ଆଦାୟ ହୋଇପାରୁନାହିଁ।
ମହାପ୍ରଭୁଙ୍କ ସ˚ପତ୍ତିକୁ ଭୋଗ ଦଖଲ କରି ରାଜଭାଗ ଦେଇନଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନି? ପ୍ରଶାସକ ପରେ ପ୍ରଶାସକ ବଦଳୁଛନ୍ତି। କେହି ଉତ୍ତରଦାୟୀ ହେବେନି? ସର୍ବୋପରି ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏବେ ରାଜସ୍ବ ସଚିବ ଦାୟିତ୍ବରେ। ଏବେ ସରକାରୀ ତନାଘନା ହେବନି ତ କେବେ ହେବ?

ଉଲ୍ଲେଖଯୋଗ୍ୟ, ଶ୍ରୀ ଜଗନ୍ନାଥଙ୍କ ସ˚ପତ୍ତିକୁ ନେଇ ବିଭିନ୍ନ ଅଦାଲତରେ ଏବେ ୧୫ ହଜାରରୁ ଅଧିକ ମାମଲା ଗଡ଼ୁଛି। ଅନେକ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ କବ୍‌ଜାରେ ଶ୍ରୀ ଜଗନ୍ନାଥଙ୍କ ଭୂସ˚ପତ୍ତି ରହିଥିବା ବେଳେ ସେଗୁଡିକର ମାଲିକାନା ପରିବର୍ତ୍ତନ କରି କବଲା ଓ ପଟ୍ଟା ବାହାର କରିବାକୁ ତହସିଲ ସ୍ତରରେ ଉଦ୍ୟମ ହୋଇଆସୁଛି। କିନ୍ତୁ ଏ ସ˚ପର୍କରେ କୌଣସି ନିର୍ଦ୍ଦିଷ୍ଟ ରେକର୍ଡ ପ୍ରସ୍ତୁତ କରି ଶ୍ରୀଜଗନ୍ନାଥଙ୍କ ଭୂସ˚ପତ୍ତିକୁୁ ଜବରଦଖଲ ମୁକ୍ତ କରିବାରେ ସରକାରୀସ୍ତରରେ ନିଷ୍କ୍ରିୟତା ଧରା ପଡି ଯାଇଛି।

ସମ୍ବନ୍ଧିତ ଖବର